ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ବଦେଶୀ ଟିକାର ଯୋଗାଣ ଆରମ୍ଭ କଲା ଭାରତ ବାୟୋଟେକ । ଦିଲ୍ଲୀକୁ ପହଞ୍ଚିଲା ପ୍ରଥମ କୋଭାକ୍ସିନ ଟିକା । କୋଭିସିଲ୍ଡ ପରେ ପରେ ଦିଲ୍ଲୀରେ ପହଞ୍ଚିଲା କୋଭାକ୍ସିନ ଟିକା । ହାଇଦ୍ରାବାଦରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଆସିଲା ଦିଲ୍ଲୀ ।
ଭାରତ ବାୟୋଟେକ୍ ଦ୍ବାରା ବିକଶିତ ହୋଇଥିବା କୋଭାକ୍ସିନର 55 ଲକ୍ଷ ଡୋଜ କ୍ରୟ କରୁଛି କେନ୍ଦ୍ର । ଯେଉଁଥିରୁ 16.5 ଲକ୍ଷ ଡୋଜ ମାଗଣାରେ ଦିଆଯିବା ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ତେବେ ଟିକସକୁ ବାଦ୍ ଦେଇ ଅନ୍ୟ 38.5 ଲକ୍ଷ ଡୋଜର ମୂଲ୍ୟ 295 ଟଙ୍କା ରହିଛି ।
ଭାରତ ବାୟୋଟେକ୍ ଯେଉଁଠାରେ ଏହାର ଟିକା ଡୋଜ ପଠାଉଛି ସେଗୁଡିକର ତାଲିକା ପ୍ରକାଶ କରି ନାହିଁ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ତେବେ ଏୟାର ଇଣ୍ଡିଆ ବିମାନରେ ହାଇଦ୍ରାବାଦରୁ ଦିଲ୍ଲୀକୁ କୋଭାକ୍ସିନର ପ୍ରଥମ ପରିବହନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ରହିବ ନାହିଁ।
ସୂଚନା ଥାଉକି ଆସନ୍ତା 16 ତାରିଖରୁ ସାରା ଦେଶରେ କୋରୋନା ଟୀକା ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇରହିଛି ।