ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏଆଇଆଇଏମଏସ) ଦ୍ବାରା ଭୁଲ COVID-19 ରୋଗୀଙ୍କ ମୃତଦେହକୁ ଅଦଳବଦଳ ହେବାର ଏକ ଘଣ୍ଟା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜଣେ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି । ଏହା ସହ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାର ଯାଞ୍ଚ ପାଇଁ ଏମ୍ସ ନିର୍ଦ୍ଦେଶ ଦେଇଛି ।
ଖବର ଅନୁଯାୟୀ, AIIMS ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ କୋରୋନା କାରଣରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ଅଦଳବଦଳ କରାଯାଇ ପରିବାରକୁ ଦିଆଯାଇଥିଲା ।
ଦୁଇ ମହିଳା ଭିନ୍ନ ଧର୍ମର ଥିଲେ । ଦୁର୍ଭାଗ୍ୟବଶତ ଏହା ଜଣାପଡିବା ବେଳକୁ ଜଣେ ମୃତ ମହିଳାଙ୍କ ଅନ୍ତିମ ରୀତି ଅନ୍ୟ ଧର୍ମର ରୀତିନୀତି ଅନୁଯାୟୀ ହୋଇସାରିଥିଲା । ମୃତ ମୁସଲମାନ ମହିଳାଙ୍କ ଭାଇ ଶେଷଥର ତାଙ୍କ ଭଉଣୀର ଚେହେରା ଦେଖିବାକୁ ସେଠାକାର କର୍ମଚାରୀମାନଙ୍କୁ ଅନୁମତି ମାଗିଲା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ମୁସଲମାନ ପୀଡିତାଙ୍କ ଭାଇ କହିଛନ୍ତି, ‘ସେମାନେ ଆମକୁ ଜୁଲାଇ 7ତାରିଖ ରାତି ପ୍ରାୟ 2ଟାରେ ସମୟରେ ସୂଚନା ଦେଇଥିଲେ ଯେ ପୂର୍ବ ରାତି 11.10ରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଛି । ସେମାନେ ଆମକୁ ଶ୍ମଶାନକୁ ଯିବାକୁ କହିବା ସହ ସେଠାରେ ମୃତଦେହ ହସ୍ତାନ୍ତର କରିବେ ବୋଲି ଜଣାଇଥିଲେ । ସେଠାରେ ଶେଷଥର ପାଇଁ ଦେଖିବାକୁ ମୁଁ ଅନୁରୋଧ କଲି । କିନ୍ତୁ ସେମାନେ ମନା କରିଦେଇଥିଲେ । ’
ଏହା ସହ ମୃତଦେହ ଅଦଳବଦଳ ହୋଇଥିବା ବିଷୟରେ ସେଠାକାର ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଧମକ ଦେଇଥିବା ପରିବାର ମଧ୍ୟ ଦାବି କରିଛନ୍ତି ।
ଯେତେବେଳେ ଇଟିଭି ଭାରତ ପକ୍ଷରୁ ଡାକ୍ତରଖାନାର ଅବହେଳା ବିଷୟରେ ଜଣାଯାଇଥିଲା । ସେତେବେଳେ ମାଲବ୍ୟ ନଗର ବିଧାୟକ ସୋମନାଥ ଭାରତୀ ତୁରନ୍ତ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ ସହ କଥା ହୋଇଥିଲେ ।
ଇଟିଭି ଭାରତ ସହ ଆଲୋଚନା କରି ଭାରତୀ କହିଛନ୍ତି, ‘ମୁଁ AIIMS ନିର୍ଦ୍ଦେଶକ ଡ଼. ରଣଦୀପ ଗୁଲେରିଆଙ୍କୁ ଏହି ପ୍ରସଙ୍ଗରେ କହିଥିଲି । ହେଲେ ସେ ବିଷୟରେ ଆଲୋଚନା କରିବାକୁ ମନା କରିଦେଇଥିଲେ । ତା’ପରେ ମୁଁ ଅନ୍ୟ କିଛି ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଥିଲି । ଏପରିକି ସେମାନେ ମଧ୍ୟ ଏହି ଘଟଣାକୁ ଅସ୍ବୀକାର କରିଥିଲେ । ତାପରେ ହିଁ ସେମାନେ ନିଜର ଭୁଲ ସ୍ବୀକାର କରିଥିଲେ । ଅନ୍ୟର ଧାର୍ମିକ ପ୍ରଥା ଅନୁଯାୟୀ ଜଣେ ମହିଳାଙ୍କୁ କବର ଦିଆଯାଇଥିବା ଏକ ଲଜ୍ଜାଜନକ ଘଟଣା । ମୁଁ ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିବି ଓ ସେମାନେ ଗୁରୁତର ଦଣ୍ଡ ପାଇବେ ବୋଲି ସେ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ