ଗୌହାଟୀ: ହାତୀର ନାମ ‘ଲାଡେନ’ । ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ନାମ ଅନୁସାରେ ନାଁ ପାଇଛି ଏହି ବଳଶାଳୀ ବିଶାଳ ଜୀବ । ଆଉ କୁଖ୍ୟାତ ଆତଙ୍କବାଦୀ ଭଳି ଦୁର୍ଦ୍ଦାନ୍ତ ପାଲଟିଛି ଏହି ଦନ୍ତା ।
ଓସାମା ବିନ୍ ଲାଡେନ ନାମ ପ୍ରାପ୍ତ ଏହି ଦନ୍ତା ସାଜିଛି ନରହନ୍ତା । କିଛି ଦିନ ତଳେ ଦନ୍ତା 5 ଜଣଙ୍କୁ ଦଳିଚକଟି ପ୍ରାଣ ନେଇଛି । କେବଳ ସେତିକି ନୁହେଁ ଲାଡେନ ବାରମ୍ବାର ନିର୍ଦ୍ଦ୍ବନ୍ଦ୍ବ ଭାବରେ ଲୋକଙ୍କ ଜନବସିତରେ ଅନୁପ୍ରବେଶ କରି ଧନଜୀବନ ନଷ୍ଟ୍ରଭ୍ରଷ୍ଟ କରୁଛି । ଆସାମର ବୋଲତାର ଗ୍ରାମବାସୀଙ୍କ ପାଇଁ ଏବେ ଲାଡେନ କୋକୁଆ ଭୟ ସୃଷ୍ଟି କରି କେଉଁ ଆଡେ ଉଭାନ ହୋଇଯାଇଛି ।
ଏବେ ଏହି ନରହନ୍ତା ଦନ୍ତାଙ୍କୁ କରାୟତ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସର୍ଚ୍ଚ ଅପରେସନରେ ଡ୍ରୋନର ବ୍ୟବହାର କରି ହାତୀର ପ୍ରକୃତ ସ୍ଥାନକୁ ଚିହ୍ନ କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ବନ ବିଭାଗର ଏକ ବିଶେଷଜ୍ଞ ଟିମ୍ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏଥିରେ ଡ୍ରୋନ, କିଛି ପାଳିତ ହାତୀ ସାମିଲ ରହିଛନ୍ତି ।
ଏହି ହାତୀ ଆତଙ୍କରେ ଜଙ୍ଗଲ ସନ୍ନିକଟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ଘଟଣାରେ ପରିବେଶ ଓ ଜଙ୍ଗଲମନ୍ତ୍ରୀ ହାତୀକୁ ଆୟତ୍ତ କରିବା ସଂକ୍ରାନ୍ତରେ କି ନିଷ୍ପତ୍ତି ନିଆଯିବ ସେ ନେଇ ବନ ବିଭାଗ କର୍ମଚାରୀ ଓ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଏକ ସମିତି ଉପରେ ଦାୟିତ୍ବ ପ୍ରଦାନ କରିଛନ୍ତି ।
ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ହାତୀଟିକୁ କୌଣସି ଉପାୟରେ ଶାନ୍ତ କରି ନିଘଞ୍ଚ ଅରଣ୍ୟରେ ଛାଡି ଦେବା ପାଇଁ ପ୍ରୟାସ କରାଯାଉଛି । ହାତୀଟିରୁ ଶେଷ ଥର ପାଇଁ କଂତକା ରିଜର୍ଭ ପାର୍କରେ ଦେଖାଯାଇଥିବା କୁହାଯାଉଛି ।
ବନ ବିଭାଗ ସୂଚନା ଅନୁଯାୟୀ ଯେଉଁ ଗ୍ରାମରେ ଲାଡେନ ଆକ୍ରମଣ କରିଥିଲା, ସେହି ଗ୍ରାମଠାରୁ ପାଖାପଖି 15 କିଲୋମିଟର ଦୂରରେ ଦେଖାଦେଇଥିଲା । ଏହାପରେ ହାତୀ ଜଙ୍ଗଲ ଭିତରକୁ ପାଳାଇଯାଇଥିବା ସୂଚନା ରହିଛି ।
ବନ ବିଭାଗ ଲାଡେନଙ୍କୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଆୟତ୍ତ କରିବା ପ୍ରଚେଷ୍ଟା ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ଯେ ବିଗତ 6 ବର୍ଷ ମଧ୍ୟରେ ଆସାମରେ ହାତୀ ଆକ୍ରମଣରେ 70ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ହୋଇଛି । ଏହାସହ ଲକ୍ଷଲକ୍ଷ ଟଙ୍କାର ଫସଲ ନଷ୍ଟ କରିଛନ୍ତି ବଣୁଆହାତୀ ପଲ ।