ପାଟନା: ବର୍ତ୍ତମାନ ପିତୃପକ୍ଷ ଚାଲିଛି । ଏହି ପକ୍ଷରେ କାଉ ଓ କୁକୁରମାନଙ୍କର ବିଶେଷ ମହତ୍ତ୍ବ ଥିବା ଜଣାଯାଏ । ଏହି ପକ୍ଷର 16ତମ ଦିନରେ କାଉ ପ୍ରାୟ ସମସ୍ତଙ୍କ ଘରକୁ ଅତିଥି ରୂପରେ ଆସି ଘରର ଛାତ ଉପରେ ବସିଥାଏ । ଏହି ଦିନ କାଉ ଓ ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସମ୍ପର୍କ ମଧ୍ୟ ରହିଥିବା ଜଣାଯାଏ । ପରମ୍ପରା ଅନୁଯାୟୀ କାଉ ଖାଇବା ଦେବା ଦ୍ବାରା ପିତୃପୁରୁଷଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । କେବଳ କାଉ ନୁହେଁ, କୁକୁରମାନଙ୍କୁ ଏହି ଦିନ ଖାଦ୍ୟ ଦେଇ ପିତୃପୁରୁଷଙ୍କ ଆତ୍ମାର ମୋକ୍ଷ ପାଇଁ କାମନା କରିଥାନ୍ତି ।
ଧର୍ମନଗରୀ ହରିଦ୍ବାରରେ ପିତୃପକ୍ଷର ଏହି ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ପିଣ୍ଡଦାନ କରୁଛନ୍ତି । ପିଣ୍ଡଦାନ ପରେ କାଉ ଓ କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି ଶ୍ରଦ୍ଧାଳୁମାନେ । ଏଠାରେ ଥିବା ନାରାୟଣୀ ପଥର ଉପରେ ଖାଦ୍ୟ ରଖି କାଉମାନଙ୍କୁ ଖାଇବାକୁ ଦେଇଥାନ୍ତି । ମାତ୍ର ବର୍ତ୍ତମାନ ସମୟରେ କାଉ ମାନଙ୍କ ସଂଖ୍ୟା କମୁଥିବାରୁ ଖୁବ କମ ସଂଖ୍ୟାରେ ଏଠାରେ କାଉ ଦେଖାଯାଇଥାନ୍ତି । ସେପଟେ ସହରରେ ବନ୍ଧ୍ୟାକରଣ କାରଣରୁ କୁକୁରମାନଙ୍କ ସଂଖ୍ୟା ମଧ୍ୟ ଏଠାରେ କମିବାରେ ଲାଗିଛି ।
ବହୁଳ ପରିମାଣରେ ବାୟୁ ପ୍ରଦୁଷଣ ଓ ଗଛ ସଂଖ୍ୟା କମିବା କାରଣରୁ କାଉମାନେ ଖୁବ କମସଂଖ୍ୟାରେ ଏଠାରେ ଦେଖାଯାଉଛନ୍ତି ବୋଲି ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ କହିଛନ୍ତି ।
ବିଶ୍ବାସ ରହିଛି ଶ୍ରାଦ୍ଧ ପକ୍ଷରେ କାଉ ଏବଂ କୁକୁରଙ୍କୁ ଖାଦ୍ୟ ଦେବା ଦ୍ବାରା ପିତୃପୁରୁଷଙ୍କ ଆତ୍ମା ମୋକ୍ଷପ୍ରାପ୍ତି ହୋଇଥାନ୍ତି । ଏହି ଉଦ୍ଦେଶ୍ୟରେ ଏହି ପବିତ୍ର ସ୍ଥଳରେ ଶ୍ରଦ୍ଧାଳୁମାନେ ଶତାଧିକ ସଂଖ୍ୟାରେ ଏଠାରେ ପିଣ୍ଡଦାନ କରିବା ସହିତ କୁକୁର ଏବଂ କାଉମାନଙ୍କୁ ଖାଦ୍ୟ ଦେଇଥାନ୍ତି । ସେପଟେ ହରିଦ୍ବାରରେ ଥିବା ନାରାୟଣୀ ପଥର ଉପରେ ନିଜର ପିତୃପୁରୁଷଙ୍କ ମୋକ୍ଷ ପାଇଁ ପିଣ୍ଡଦାନ କରିଥାଏ । ତେବେ ଏହିଠାରେ ଦୀର୍ଘଦିନରୁ ଶ୍ରାଦ୍ଧ କାର୍ଯ୍ୟ କରିଆସୁଥିବା ପଣ୍ଡିତ ମନୋଜ ତ୍ରିପାଠୀ କହିଛନ୍ତି ପରମ୍ପରା ଅନୁଯାୟୀ ପିତୃପକ୍ଷରେ ଯେବେ ଆମେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେଇଥାଉ, ସେହି ସମୟରେ ବ୍ରାହ୍ମଣମାନଙ୍କୁ ଖାଇବାକୁ ମଧ୍ୟ ଦେଇଥାଉ ।
ସେହି ସମୟରେ ପାଞ୍ଚ ପ୍ରକାରର ବଳିର ଆବଶ୍ୟକତା ରହିଛି ବୋଲି ମନୋଜ କହିଛନ୍ତି । ଏହି ବଳିର ଅନେକ ମହତ୍ତ୍ବ ରହିଛି ବୋଲି ସେ କହିଛନ୍ତି । ତାଙ୍କ ମୁତାବକ ଏହି ପାଞ୍ଚ ପ୍ରକାର ବଳି ହେଉଛି ବିଶ୍ବ ଦେବତା, ଗୋଗ୍ରାସ, ପିମ୍ପୁଡ଼ି ଭୋଜନ, କାଉ ପାଇଁ କାକବଳୀ ଏବଂ କୁକୁରଙ୍କ ପାଇଁ ସ୍ବାଙ୍ଗବଳୀ ଦିଆଯାଇଥାଏ ।
ତେବେ ଏ ସବୁ ମଧ୍ୟରେ କାଉ ଏବଂ କୁକୁରମାନଙ୍କ ବିଶେଷ ଭୁମିକା ରହିଥାଏ । କାରଣ ବିଶ୍ବାସ ରହିଛି ଏହି ଲୋକ ଏବଂ ପରଲୋକରେ କାଉ ପ୍ରବେଶ କରିପାରେ । ଏହା ବ୍ୟତୀତ କାଉର ଗୋଟିଏ ଆଖି ତଳକୁ ଏବଂ ଗୋଟିଏ ଆଖି ଉପରକୁ ରହିଥାଏ । ଯାହା ମାଧ୍ୟମରେ ପିତୃପୁରୁଷମାନେ ଦେଖିପାରନ୍ତି ବୋଲି ବିଶ୍ବାସ ରହିଆସିଛି । ଏହା ସହିତ ଆମେ ଦେଉଥିବା ପିଣ୍ଡକୁ ଗ୍ରହଣ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଯଦି ଆମେ ଦେଇଥିବା ପିଣ୍ଡକୁ କାଉ ଗ୍ରହଣ କରେ, ତେବେ ଆମ ପିତୃପୁରୁଷ ଏହାକୁ ଗ୍ରହଣ କଲେ ବୋଲି ବିଶ୍ବାସ ରହିଆସିଛି ।