ନୂଆଦିଲ୍ଲୀ : ରାଜଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ସରଜିଲ ଇମାମ କୋରୋନା ଭାଇରସରେ ସଂକ୍ରମିତ ହୋଇଛି । ତେବେ ସେ ଅସୁସ୍ଥ, ଦୁର୍ବଳ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି । ଏଥିପାଇଁ ତାକୁ ଏବଂ ଅନ୍ୟ ଅନ୍ତେବାସୀଙ୍କୁ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଯାହା ଦ୍ବାରା ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଯୋଗାଇ ଦିଆଯିବ ବୋଲି ଇମାମ ନିଜ ଓକିଲଙ୍କୁ କହିଛି ।
ନାଗରିକତ୍ୱ ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନରେ ଉତ୍ତେଜନାମୂଳକ ଭାଷଣ ଦେଇ ଇମାମ ବର୍ତ୍ତମାନ ଗୌହାଟୀ ଜେଲରେ ରହିଛି । ତା ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ସେ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ମଧ୍ୟ ରହିଛି । ତେବେ ଗୌହାଟୀ ଜେଲରେ ଭିଡ ଜମିବା ସହ ସେଠାରେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯାଉ ନଥିବା ଇମାମ ଅଭିଯୋଗ କରିଛି ।
ତେବେ ଇମାମର ଲିଗାଲ୍ ଟିମ୍ ଅଭିଯୋଗ କରିଛି ଯେ, ଅନ୍ତେବାସୀଙ୍କୁ ଜେଲ୍ ପରିସରରେ ଚିକିତ୍ସା କରାଯିବ ବୋଲି ଅଧିକାରୀମାନେ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନାହିଁ ଏବଂ ସେଠାରେ ଔଷଧ କିମ୍ବା ଅମ୍ଳଜାନ ସୁବିଧା ନାହିଁ ।
ଚଳିତ ମାସର ଆରମ୍ଭରେ ଦିଲ୍ଲୀ ହାଇକୋର୍ଟ ଇମାମ ବିରୋଧରେ ଯାଞ୍ଚ ଶେଷ କରିବା ପାଇଁ ଅଧିକ ସମୟ ଦେବା ବାବଦରେ ଏକ ଟ୍ରାଏଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ତା ପିଟିସନକୁ ଖାରଜ କରିଦେଇଥିଲେ।
ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଏକ ଟିମ୍ ଶୁକ୍ରବାର ଦିନ ଗୌହାଟୀ ପହଞ୍ଚି ଇମାମକୁ କୋର୍ଟ ହାଜର ପାଇଁ ଦିଲ୍ଲୀ ଆଣିଥିଲେ । ଜୁଲାଇ 25 ରେ ତାକୁ କୋର୍ଟରେ ହାଜର କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ଗୌହାଟୀରୁ ବାହାରିବା ପୂର୍ବରୁ ଇମାମ ଏବଂ ଦିଲ୍ଲୀ ପୋଲିସ ଦଳର କୋରୋନା ପରୀକ୍ଷଣ କରାଯାଇଥିଲା । ପୋଲିସ ଟିମ୍ ଏଥିରେ ନକାରାତ୍ମକ ପରୀକ୍ଷଣ କରିଥିବା ବେଳେ ସେ ପଜିଟିଭ୍ ପରୀକ୍ଷଣ କରିଥିଲା ।