ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୁଷଣର ମାତ୍ରା କମାଇବା ପାଇଁ ଚାଲିଥିବା 'ରେଡ୍ ଲାଇଟ୍ ଅନ୍, ଗାଡି ଅଫ୍' ଅଭିଯାନକୁ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି । ଅକ୍ଟୋବର 21 ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଭିଯାନ ଆରମ୍ଭ କରି କହିଥିଲେ ଯେ ସହରରେ 10 ଲକ୍ଷ ଯାନ ଏହି ଅଭିଯାନରେ ଯୋଗ ଦେଲେ ମଧ୍ୟ ପିଏମ 10 ସ୍ତର 1.5 ଟନ୍ ଏବଂ ପିଏମ 2.5 ବର୍ଷରେ 0.4 ଟନ୍ ହ୍ରାସ ପାଇବ।
ନଭେମ୍ବର 15 ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବା ପାଇଁ ଦିଲ୍ଲୀ ସରକାର ପୁର୍ବରୁ ସ୍ଥିର କରିଥିବା ବେଳେ ପ୍ରଦୂଷଣର ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ଏହି ଅଭିଯାନକୁ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପୁନଃନିଷ୍ପତ୍ତି ନିଆଯାଇଛି । ଏହାକୁ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ ବୋଲି ମଧ୍ୟ କୁହାଯାଉଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ । ସେ ଏହି କ୍ୟାମ୍ପେନର ସଫଳ କାର୍ଯ୍ୟକାରିତା ପାଇଁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି କେହି ଏହାକୁ ସମର୍ଥନ କରୁନାହାନ୍ତି ତେବେ ଏହା ବାବଦରେ ଉତ୍ତେଜନାମୂଳକ ମତାମତ ନଦେବାକୁ ସେ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ