ନୂଆଦିଲ୍ଲୀ: କୋଭିଡ-19 ଯୋଗୁଁ ଦିଲ୍ଲୀରେ ପରିସ୍ଥିତି ସଙ୍କଟଜନକ ହୋଇଛି । ମହାମାରୀ ଯୋଗୁଁ 3000 ଉପରେ କୋରୋନା ମାମଲା ପହଞ୍ଚିଛି । ଏପରି ସ୍ଥିତିରେ ଦିଲ୍ଲୀ ଏମ୍ସ ପକ୍ଷରୁ ହସ୍ପିଟାଲର ସମସ୍ତ ରୋଗୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।
ଏମ୍ସ ମେଡିକାଲ ସୁପରିଟେଣ୍ଡେଟ ଡିକେ ଶର୍ମା ଏନେଇ ଏକ ଚିଠିରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏମ୍ସ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ଏମ୍ସକୁ ହଜାର ହଜାର ସଂଖ୍ୟାରେ ରୋଗୀ ଆସନ୍ତି । ବର୍ତ୍ତମାନ କୋଭିଡ-19 ଛଡା ଅନ୍ୟ ରୋଗର ଚିକିତ୍ସା ପାଇଁ ମଧ୍ୟ ରୋଗୀ ଆସୁଛନ୍ତି । ତେବେ ସମସ୍ତ ରୋଗୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନିଜେ ଯଦି ରୋଗୀମାନେ ମାସ୍କ ପିନ୍ଧୁଛନ୍ତି ତେବେ ଏହା ଭଲ କଥା । ନଚେତ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ଏହା ଯୋଗାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି ।
ଏହାସହ ଏମ୍ସର ସମସ୍ତ ବିଭାଗରେ ଟ୍ରିପଲ ଲେୟର ମାସ୍କ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସମୟରେ ଯେପରି ଏହା ଉପଲବ୍ଧ ରହେ ତାହା ନିଶ୍ଚିତ କରିବାକୁ ଚିଠିରେ ଲେଖାଯାଇଛି । ସମସ୍ତ ରୋଗୀଙ୍କୁ ଭଲ ଭାବେ ପରୀକ୍ଷା କରିବାକୁ ମଧ୍ୟ ଏଥିରେ କୁହାଯାଇଛି ।