ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜଧାନୀରେ କୋରୋନା ସଂକ୍ରମିତ ମାମଲା ଅଧିକ ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀବାସୀଙ୍କୁ ଆସ୍ବାସନା ଦେଇଛନ୍ତି କେଜ୍ରିୱାଲ ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, 'ଦିଲ୍ଲୀରେ କୋରୋନା ସଂକ୍ରମିଣର ମାମଲା ଅଧିକ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମେ କୋରୋନା ପରୀକ୍ଷଣକୁ ତିନି ଗୁଣ ବୃଦ୍ଧି କରିଛୁ । ତେଣୁ ସକରାତ୍ମକ ମାମଲା ପ୍ରତିଦିନ 3000କୁ ବୃଦ୍ଧି ପାଉଛି। ମୋଟ କୋରୋନା ରୋଗୀଙ୍କ ମଧ୍ୟରୁ ଏବେସୁଦ୍ଧା 45,000 ଲୋକ ସୁସ୍ଥ ହୋଇଛନ୍ତି। '
ଦିଲ୍ଲୀର କୋରୋନା ସ୍ଥିତିକୁ ନେଇ ସେ କହିଛନ୍ତି, 'କୋରୋନା ଭାଇରସରେ ଦିଲ୍ଲୀରେ ଏବେସୁଦ୍ଧା ମୋଟ 2400 ଲୋକଙ୍କର ମୃତ୍ୟୁ ଘଟିଛି। ମୋଟ 26,000 ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ 6,000 ଲୋକ ଡାକ୍ତରଖାନା ଚିକିତ୍ସାଧୀନ ଅଛନ୍ତି। ବଳକା ରୋଗୀ ନିଜ ଘରେ ଚିକିତ୍ସିତ ହେଉଛନ୍ତି। '
ସେ ଆହୁରି କହିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ଦୈନିକ ପ୍ରାୟ 3000 ନୂତନ ମାମଲା ଆସୁଛି । ଏହାସତ୍ତ୍ୱେ କୋବଳ 6,000 ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟମାନେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକ ନାହିଁ । ବର୍ତ୍ତମାନ ଦିଲ୍ଲୀରେ 13,500 ରୁ ଅଧିକ ଶଯ୍ୟା ପ୍ରସ୍ତୁତ ଅଛି ବୋଲି କେଜ୍ରିୱାଲ କହିଛନ୍ତି।
ତେବେ ଭବିଷ୍ୟତରେ ଆଇସିୟୁ ଶଯ୍ୟାର ଆବଶ୍ୟକତା ପଡିବ ବୋଲି କହିଛନ୍ତି କେଜ୍ରିୱାଲ । ଏହା ଉପରେ କାର୍ଯ୍ୟ ଜାରି ରହିଛି । ବୁରାରୀର ଏକ ଡାକ୍ତରଖାନାରେ 400 ଶଯ୍ୟା ବୃଦ୍ଧି ପାଇଁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା କେଜ୍ରିୱାଲ କହିଛନ୍ତି । ଏହା ବ୍ୟତୀତ ହୋଟେଲରେ ପ୍ରାୟ 3500 ଶଯ୍ୟାର ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।