ହାଇଦ୍ରାବାଦ: କୋରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକା ବିକଶିତ କରାଯାଉଛି। ଏହି ଟିକା ସଂକ୍ରମିତଙ୍କ ଦେହରେ ଦୀର୍ଘକାଳୀନ ଆଣ୍ଟିବଡି ତିଆରି କରିବ। କୋରୋନା ଟିକାକୁ ନେଇ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ପରୀକ୍ଷଣ ପରେ ଏଭଳି ତଥ୍ୟ ଦେଇଛି ଭାରତ ବାୟୋଟେକ। କୋଭାକ୍ସିନ ଟିକା ନେଉଥିବା ବ୍ୟକ୍ତିଙ୍କ ଦେହରେ 6ରୁ 12 ମାସ ପର୍ଯ୍ୟନ୍ତ ଆଣ୍ଟିବଡି ତିଆରି ହୋଇ ରହିବ।
ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଭାରତ ବାୟୋଟେକକୁ ଆଶାନୁରୂପ ଫଳ ମିଳିଛି। ଏହାସହ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ମଧ୍ୟ ସମାନ ରେଜଲ୍ଟ ମିଳିଥିବା ନେଇ ଭାରତ ବାୟୋଟେକ ସୂଚନା ଦେଇଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଇମ୍ୟୁନୋଜେନିସିଟି କ୍ଲିନିକାଲ ପରୀକ୍ଷଣ ବଳେ ଏହି ଫଳାଫଳ ମିଳିଛି। ମେମୋରୀ ଟି-ସେଲଗୁଡ଼ିକ ହେଉଛି ଆଣ୍ଟିଜେନ ସେଲ। ଏହି ସେଲ କୋରୋନାରୁ ସୁସ୍ଥ କରିବା ସହ ସଂକ୍ରମଣକୁ ଦୂର ରଖିବାକୁ ସହାୟକ ହେବ।
ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ମୋଟ 380 ସୁସ୍ଥ ଶିଶୁ ଏବଂ ବୟସ୍କଙ୍କୁ ମନୋନୀତ କରାଯାଇଥିଲା। ଏହି ପ୍ରକ୍ରିୟାରେ 4 ସପ୍ତାହରେ ଦୁଇଥର ଟିକା ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପାଇଁ 104 ଦିନ ସମୟ ନିଆଯାଇଥିଲା। ଦୁଇଟି ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଉପରେ ଆଧାର କରି ଭାରତ ବାୟୋଟେକ ଆଣ୍ଟିବଡି ତିଆରି ହେବା ନେଇ ଆଶାବାଦୀ ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ