ନୂଆଦିଲ୍ଲୀ: ଚୀନରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏଯାଁଏ ଚୀନରେ ଏକ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 42ହଜାରରୁ ମଧ୍ୟ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି କୋରେନା ଭାଇରସ କିପରି ଏତେ ମାରାତ୍ମକ ? ଏହାର କାରଣ ବାୟୁମଣ୍ଡଳ ଦ୍ବାରା ଏହି ଭୂତାଣୁ ଲୋକଙ୍କୁ ଅତି ସହଜରେ ସଂକ୍ରମିତ ହେଉଛି । ଯାହାକୁ ନଜରରେ ରଖି ଏହି ଭାଇରସରୁ ନିଜକୁ ରକ୍ଷା କରିବାକୁ ସିଙ୍ଗାପୁର ପ୍ରଶାସନ ପକ୍ଷରୁ ଏସି ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହା ବଦଳରେ ପଙ୍ଖାର ବ୍ୟବହାର କରିବାକୁ କୁହାଯାଇଛି ।
ତେବେ କୋରୋନା ଭାଇରସର ଭୟାବହତାକୁ ଦେଖି ବିଶେଷଜ୍ଞମାନେ ଏହାର ପ୍ରତିଶେଧକ ଖୋଜିବାରେ ଲାଗିଛନ୍ତି । ତେବେ କୋରୋନା ବ୍ୟାପିବା ନେଇ ଜଣେ ଚୀନ ବିଶେଷଜ୍ଞଙ୍କ ମତରେ ବାୟୁମଣ୍ଡଳକୁ ଦାୟୀ କରାଯାଇଛି । କାରଣ ଶ୍ବାସକ୍ରିୟା ସମୟରେ ସଂକ୍ରମିତ ପବନରୁ ଏହି ଭାଇରସ ତୀବ୍ର ଗତିରେ ଲୋକଙ୍କୁ କବଳିତ କରୁଛି । ଅନ୍ୟପଟେ ଏହାକୁ ସ୍ପଷ୍ଟ କରିବାକୁ ପ୍ରମାଣ ଦେବାର ଆବଶ୍ୟକତା ରହିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ କହିଛନ୍ତି ।
କୋରୋନା ଭାଇରସର ମୁଖ୍ୟ ଲକ୍ଷଣ ମଧ୍ୟରେ ଜ୍ବର, କାଶ ହେବା ସହ ଶ୍ବାସକ୍ରିୟାରେ କଷ୍ଟ ହେଉଥିବାବେଳେ ସାଧାରଣ ନିମୋନିଆ ଲକ୍ଷଣ ଭଳି ରହିଥାଏ । ସେଥିରୁ ମାତ୍ର 10ରୁ 20 ପ୍ରତିଶତ ମାମଲାରେ ରୋଗ ଏତେ ଗମ୍ଭୀର ହୋଇଯାଏ ଯେ, ରୋଗୀଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରିବାକୁ ପଡିଥାଏ ।
ଯାହାକୁ ଦେଖି ଭାରତରେ ମଧ୍ୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିଛି । ଏନେଇ ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ସଂସଦରେ ଏହି ପ୍ରସଙ୍ଗ ଉଠାଇବା ସହ ଚାଇନିଜ ସି-ଫୁଡ ଯେପରିକି ମାଛ, ସମେତ ଅନ୍ୟ ସମୁଦ୍ରି ଖାଦ୍ୟ ପ୍ରଣାଳୀରୁ ବ୍ୟାପୁଥିବା କହିଥିଲେ । ବହୁତ କମ ସମୟରେ ଏହି ଭୂତାଣୁ ଚୀନର ସବୁ ପ୍ରାନ୍ତକୁ ବ୍ୟାପି ସାରିଲାଣି । ଭାରତକୁ କୋରୋନା ଭାଇରସ ସମ୍ବନ୍ଧରେ ସୂଚନା ପ୍ରଥମେ 31 ଡିସେମ୍ବରରେ ମିଳିଥିଲା ।