ନୂଆଦିଲ୍ଲୀ: ଦିନ କେଇଟା ପରେ ସାରା ଦେଶ ସେଇ ଦିନକୁ ମନେ ପକାଇ ଉତ୍ସବ ପାଳନ କରିବ ଯେଉଁଦିନ ଆମେ ନିଜକୁ ନିଜ ପାଇଁ ଶାସନର ଏକ ସମ୍ବିଧାନ ଅର୍ପଣ କରିଲୁ। ଏ ଭିତରେ ୭୦ ବର୍ଷ ବିତିଲାଣି ଆଉ ଆମ ୨୬ ତାରିଖ ଦିନ ୭୧ତମ ଗଣରାଜ୍ୟ ଦିବସ ପାଳିବୁ। ସବ ଆଡ଼େ ଏଥିଲାଗି ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି।
ଇଟିଭି ଭାରତ ପକ୍ଷରୁ ଏହି କ୍ରମରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ଯେଉଁଥିରେ ଆମେ ବିଭିନ୍ନ ବର୍ଗର ଅନୁଶୀଳନକାରୀଙ୍କ ଆମ ସମ୍ବିଧାନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ବାବଦରେ ମତାମତ ସଂଗ୍ରହ କରୁଛୁ। ଆମେ କେଉଁସବୁ ପାହାଚ ଦେଇ ସାମ୍ବିଧାନିକ ବ୍ୟବସ୍ଥାକୁ ମଜଭୁତ ରଖିବାରେ ସମର୍ଥ ହୋଇଛୁ ଏବଂ ଆଗକୁ କି ପ୍ରକାର କଠୋର ଆଶଙ୍କାସବୁକୁ ଆମେ ସମ୍ମୁଖୀନ ହେବାକୁ ଯାଉଛି ତାହା ହେଉଛି ଏହି ଆଲୋଚନା ଗୁଡ଼ିକର ମୂଳ ବିଷୟବସ୍ତୁ।
ଆଜି ପୂର୍ବତନ ରାଜ୍ୟସଭା ମହାସଚିବ ତଥା ପୂର୍ବତନ ଆଇଏଏସ୍ ଭିକେ ଅଗ୍ନିହୋତ୍ରୀଙ୍କ ସହ ସମ୍ବିଧାନର ଏହି ୭୦ ବର୍ଷର ଯାତ୍ରା ବାବଦରେ ତାଙ୍କ ମତାମତ ସଂଗ୍ରହ କରିବାକୁ ଚାହିଁଛୁ। ଏହି ୧୯୬୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ୨୦୦୭ରୁ ୨୦୧୨ ଯାଏ ରାଜ୍ୟସଭାରେ ମହାସଚିବ ଭାବେ କାର୍ଯ୍ୟ କରି ସମ୍ବିଧାନର ବିଭିନ୍ନ ବ୍ୟବସ୍ଥା ଓ ତାହାର ପ୍ରତିଫଳନକୁ ବେଶ୍ ନିକଟରୁ ଅନୁଭବ କରିଛନ୍ତି। ଆସନ୍ତୁ ତା’ ହେଲେ ଭାରତର ସମ୍ବିଧାନର ଶକ୍ତି ଓ ତାହାର ଦୁର୍ବଳତା ବାବଦରେ ତାଙ୍କ ମତାମତ ଜାଣିବା।
ପ୍ରଶ୍ନ: ଯେତେବେଳେ ଆମେ ସମ୍ବିଧାନକୁ ପ୍ରଥମେ ଲେଖିଲୁ ବା ଆପଣାଇଲୁ ସେତେବେଳେ ଭାରତ ଭିବଷ୍ୟତରେ କି ପ୍ରକାର ହେବ, ତାହାକୁ ନେଇ ଅନେକ ଆଶା ଓ ସ୍ଵପ୍ନକୁ ସେଥିରେ ଆମେ ସନ୍ନିବଶିତ କରିଲୁ। ଏ ଭିତରେ ୭୦ ବର୍ଷ ସମୟ ଅତିବାହିତ ହେଲାଣି। ଆମେ ସେ ଆଶା, ସମ୍ଭାବନା ତଥା ସମ୍ବିଧାନ ନିର୍ମାତାମାନଙ୍କର ସ୍ଵପ୍ନକୁ କେତେ ରୂପାନ୍ତର କରିପାରିଛୁ?
ଉତ୍ତର: ମୋ ମତରେ ସମ୍ବିଧାନ ହେଉଛି ଏକ ମହାନ ନଥି, ଯାହା ସରକାରଙ୍କ ବିଭିନ୍ନ ଅଙ୍ଗ ଯେମିତି ସଂସଦ ହେଉ ବା ନ୍ୟାୟପାଳିକା ଅଥବା କାର୍ଯ୍ୟପାଳିକା ପ୍ରଭୃତି କିପରି ଭାବେ କାର୍ଯ୍ୟ କରିବେ, ସେଥିଲାଗି ଆବଶ୍ୟକ ନୀତି, ନିର୍ଦେଶ ଦେଇଥାଏ। ଅଥବା ମାର୍ଗ ଦର୍ଶନ କରାଇଥାଏ। ଏହି ସଂସ୍ଥାସବୁର ଆଶା ଓ ଅନୁପ୍ରାଣର ମାଧ୍ୟମ ମଧ୍ୟ ସମ୍ବିଧାନ ହୋଇଥାଏ। ସମ୍ବିଧାନ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ସମ୍ବନ୍ଧରେ ନିଜର ପରାମର୍ଶ ମାନିବାକୁ ବାଧ୍ୟ କରେ ନାହିଁ, ବରଂ ଏଥିଲାଗି ଏକ ସ୍ଥୂଳ ନିୟମାବଳୀ ସାମ୍ନାକୁ ଆଣିଥାଏ। ହଁ, ଏହା ଠିକ୍ ଯେ, ଆମ ସମ୍ବିଧାନ ବିଶ୍ଵର ସବୁଠାରୁ ବୃହତ୍ ସମ୍ବିଧାନ।
ପ୍ରାଥମିକ ଭାବେ ଆମ ସମ୍ବିଧାନ ନିର୍ମାତାମାନେ ଏଥିରେ ସମୁଦାୟ ୩୯୫ଟି ଧାରାକୁ ସଂଯୁକ୍ତ କରି ଏହାକୁ ବିଶ୍ଵର ଏକ କିର୍ତ୍ତିରାଜୀ ଭାବେ ପ୍ରସ୍ତୁତ କରିଥିଲେ। କିନ୍ତୁ ଦୈନନ୍ଦିନ ଆବଶ୍ୟକକୁ ଲକ୍ଷ୍ୟ କରି ଏଥିରେ ନୂଆ ନୂଆ ନିୟମ ଯୋଡ଼ାଗଲା। ଏବଂ କିଛି ପୁରୁଣା ନିୟମକୁ ରଦ୍ଦ କରାଯାଇଛି। ଏବେ ସମ୍ବିଧାନର ସମୁଦାୟ ଧାରା ସଂଖ୍ୟା ୪୭୦ରେ ପହଞ୍ଚିଛି। ଏହା ସତ୍ୟ ଯେ, ଆମେ ଏଇ ୭୦ ବର୍ଷ ଭିତରେ ସମ୍ବିଧାନରେ ଅନେକ ପରିବର୍ତ୍ତନ ଆଣିଛୁ, କିନ୍ତୁ ବାସ୍ତବ ସ୍ଥିତିକୁ ଲକ୍ଷ୍ୟ କଲେ ଏସବୁ ପରିବର୍ତ୍ତନ ଜରୁରୀ ଥିଲା। ପରିବତର୍ତ୍ତିତ ସମାଜର ଆବଶ୍ୟକକୁ ଖାପ ଖୁଆଇବା ଲାଗି ଆମକୁ ସମ୍ବିଧାନର ନିୟମଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ପୁଣି ଏହା ବି ସତ୍ୟ ଯେ, ଅନେକ ପରିବର୍ତ୍ତନ ସମାଜ ପାଇଁ ଜରୁରୀ ଥିଲାବେଳେ ଆଉ କିଛି ପରିବର୍ତ୍ତନ ବା ସଂଶୋଧନ ଅଦରକାରୀ ଥିଲା।
ଏଣୁ ଏହି ଅଦରକାରୀ ଭିତରୁ ଅନେକ ବ୍ୟବସ୍ଥାକୁ ଶୁଣିବା ଲାଗି ସୁପ୍ରିମ୍କୋର୍ଟଙ୍କ ନିକଟରେ ଆମେ ଆବେଦନ କରିଥିଲୁ। ଅନେକଙ୍କ ପକ୍ଷରୁ ଦାଖଲ ଯାଚିକାକୁ ଶୁଣି ସୁପ୍ରିମ୍କୋର୍ଟ ସରକାରଙ୍କୁ ସମ୍ବିଧାନର ମୂଳ ଭାବ ଓ ମୂଲ୍ୟବୋଧ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସଂଶୋଧିତ କିଛି ଅଙ୍ଗକୁ ସାମ୍ବିଧାନିକ ମନ୍ତ୍ରର ବିରୋଧୀ ବୋଲି ଗ୍ରହଣ କଲେ। ସୁପଅିମ୍କୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଇ ସମ୍ପୃକ୍ତ ଆଇନ ଓ ସଂଶୋଧନକୁ ସରକାର ପ୍ରତ୍ୟାହାର କରିଛନ୍ତି।
ପ୍ରଶ୍ନ: ଆଉ ଏଥିପାଇଁ ଆମେ ଆମ ସମ୍ବିଧାନକୁ ଏକ ଜୀବନ୍ତ ନଥି ବୋଲି ଅଭିହିତ କରିଛୁ, ଯାହା ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଇବାକୁ ଯାଇ ପରିବର୍ତ୍ତନକୁ ଗ୍ରହଣ କରିଛି?
ଉତ୍ତର: ହଁ, ଏଥିପାଇଁ ଏହା ଏକ ଜୀବନ୍ତ ନଥି କାରଣ ସଂଶୋଧନ ପାଇଁ ଅନେକ କଠୋର ନିୟମ ଥିଲେ ମଧ୍ୟ ସମାଜର ଆବଶ୍ୟକକୁ ଲକ୍ଷ୍ୟ କରି ଏଥିପାଇଁ ସହମତି ପ୍ରକାଶ ପାଇଛି ଓ ସମ୍ବିଧାନରେ ପରିବର୍ତ୍ତନ ଆସିଛି। ଅବଶ୍ୟ ଏହା ଠିକ୍ ଯେ, ସବୁସମୟରେ ସାମବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଅତ୍ୟନ୍ତ କଠୋର ନିୟମକୁ ଆପଣାଇବାକୁ ପଡ଼ି ନଥାଏ। ଏପରି କିଛି ବ୍ୟବସ୍ଥାରେ କେବଳ ସରକାର ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବର୍ତ୍ତନକୁ ଅନୁମୋଦନ କରିଥାଆନ୍ତି ଏବଂ ତାହା ସଂଶୋଧିତ ହୋଇଥାଏ। ଏଥିଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକବା ଲମ୍ବା ନୀତି ନିୟମକୁ ଅନୁସରଣ କରିବାକୁ ପଡ଼ି ନଥାଏ।
ଏହାର ଏକ ଉଦାହରଣ ହେଉଛି ଧାରା ୩୭୦ର ଉଚ୍ଛେଦ। ଏଥିଲାଗି ସମ୍ବିଧାନରେ କୌଣସି ସଂଶୋଧନର ଆବଶ୍ୟକ ପଡ଼ି ନଥିଲା। କିନ୍ତୁ ଏମିତି କିଛି ବିଷୟ ବି ରହିଛି ଯାହାର ସଂଶୋଧନ କରିବାକୁ ହେଲେ ସଂସଦର ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କୁ ରାଜି ହୋଇ ଆବଶ୍ୟକ ଭୋଟ୍ ପ୍ରଦାନ କରିବାକୁ ପଡ଼ିଥାଏ, ତାହା ପୁଣି ଦୁଇଟି ଯାକ ସଦନରେ। ଯଦି ଦୁଇ ଗୃହ ଭିତରେ ଏଥିନେଇ କୌଣସି ବୁଝାମଣାର ଅଭାବ ହୁଏ ତେବେ ଉଭୟ ଗୃହର ସଦସ୍ୟଙ୍କୁ ଏକାଠି ବସି ଆଲୋଚନା ମାଧ୍ୟମରେ ସମାଧାନ ଆଣିବାକୁ ହୋଇଥାଏ। ଆଉ କିଛି କ୍ଷେତ୍ରରେ ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟ ବିଧାନସଭାମାନଙ୍କର ସହମତି ଆବଶ୍ୟକ ହୋଇଥାଏ।
ତଥାପି ଅମ ଦେଶରେ ଯେଉଁ ସମ୍ବିଧାନ ସଂଶୋଧନ ପାଇଁ ବ୍ୟବସ୍ଥା ସବୁ ରହିଛି ତାହା ସ୍ଵିଜରଲ୍ୟାଣ୍ଡ ତଥା ଅଷ୍ଟ୍ରେଲିଆ ଭଳି କଠୋର ନୁହେଁ। ସେଠାରେ ସମ୍ବିଧାନ ସଂଶୋଧନ କରିବାକୁ ହେଲେ ଆପଣଙ୍କୁ ଗଣ ଭୋଟ୍ କରିବାକୁ ପଡ଼ିଥାଏ। ଆମ ଦେଶରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଆମେରିକାରେ ମଧ୍ୟ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ପାଇଁ କଠୋର ବ୍ୟବସ୍ଥା ଆପଣାଯାଇଥାଏ। ସଂଶୋଧିତ ହୋଇଥିବା ଆଇନକୁ ପ୍ରଥମେ ସଂସଦର ଦୁଇ ଗୃହରେ ପାରିତ କରିବାକୁ ହୋଇଥାଏ। ତାହା ପୁଣି ତିନି ଚତୁର୍ଥାଂଶ ରାଜ୍ୟର ସହମତି ଆବଶ୍ୟକ କରିଥାଏ।
ଆମେ କିନ୍ତୁ କିଛି ନିର୍ଦିଷ୍ଟ ସଂଶୋଧନ ଲାଗି କେବଳ ରାଜ୍ୟମାନଙ୍କର ଏକ ସଂଖ୍ୟା ଗରିଷ୍ଠ ସହମତି ଆଶା କରୁ। କିଛିଦିନ ତଳେ ଏମିତି କିଛି ଆବଶ୍ୟକ ପଡ଼ିଥିଲା। ଯେତେବଳେ ଆମେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ଉଦ୍ଦିଷ୍ଟ ଆରକ୍ଷଣ ବ୍ୟବସ୍ଥାକୁ ଆହୁରି ଅଧିକ ବର୍ଷ ବଢ଼ାଇଲୁ ଆମକୁ ଏହି ବ୍ୟବସ୍ଥା ଆପଣାଇବାକୁ ପଡ଼ିଥିଲା। ଧାରା ୩୩୪କୁ ଆହୁରି ୧୦ ବର୍ଷ ଅଧିକ ବଢ଼ାଯାଇଥିଲା, ଏଥିଲାଗି ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ ପଡ଼ିଥିଲା । କିନ୍ତୁ ଏଯାଏଁ ତାହା ସମ୍ଭବ ହୋଇପାରି ନଥିବାରୁ ଏହି ସଂଶୋଧିତ ବ୍ୟବସ୍ଥା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ।
ପ୍ରଶ୍ନ: ନୂଆକରି ଲାଗୁ ହୋଇଥିବା ନାଗରିକତ୍ଵ ଆଇନ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ପାଖରେ ଅନେକ ରିଟ୍ ପିଟିସନ୍ ଦାୟର ହୋଇଛି। ସେଥିରେ ପ୍ରାୟ ସମସ୍ତେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର ବ୍ୟାହତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଆପଣ ଏ ବିଷୟକୁ କିପରି ଗ୍ରହଣ କରିବେ?
ଉତ୍ତର: ପ୍ରାଥମିକ ସ୍ତରରେ ଯାଞ୍ଚ କଲେ ଏହା ଜଣାଯାଏ ଯେ ସମ୍ପୃକ୍ତ ନାଗରିକତ୍ଵ ସଂଶୋଧନ ଆଇନ (ସିଏଏ) ସମ୍ବିଧାନର ଅଂଶ ବିଶେଷ ନୁହେଁ। ଏଥିଲାଗି ଦରକାର ହୋଇଥିବା ସଂଶୋଧନ ବିଲ୍ ଏହା ଏକ ସାଧାରଣ ବିଧେୟକ ଭଳି। ଯାହାର ସଂଶୋଧନକୁ ଉଭୟ ଗୃହ ଅନୁମୋଦନ କରିଛନ୍ତି। ଅର୍ଥାତ୍ ଏହା ସମ୍ବିଧାନ ସଂଶୋଧନ ନୁହେଁ। ନାଗରିକତ୍ଵ ପ୍ରସଙ୍ଗ ଯେହେତୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ପରିସର ଏଣୁ ଏଥିଲାଗି ରାଜ୍ୟମାନଙ୍କ ପରାମର୍ଶ ଆବଶ୍ୟକ ନୁହେଁ।
ଅପପକ୍ଷେ ଏହି ଆଇନକୁ ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଛି ସେଥିରେ ଦୁଇଟି ପ୍ରମୁଖ ବିଷୟ ଅନ୍ତର୍ଭୁକ୍ତ। ଗୋଟିଏ ହେଲା ଯେ, ଆମ ଦେଶର ଧର୍ମ ନିରପେକ୍ଷ ଢାଞ୍ଚା। ଯଦିଓ ବିଦେଶରେ ମୁସଲମାନମାନେ ନିର୍ଯାତନାର ଶିକାର ହେଉଛନ୍ତି କିନ୍ତୁ ଏହି ଆଇନର ପରିଧିରୁ ସେମାନଙ୍କୁ ବାହାରେ ରଖାଯାଇଛି। ଦ୍ଵିତୀୟଟି ହେଉଛି ଯାହା ଆପଣ କହିଲେ, ସମାନତା ପ୍ରସଙ୍ଗ, ଯାହା ସବୁବେଳେ କହେ ଯେ, ଆଇନ ଆଖିରେ ସମସ୍ତେ ସମାନ। ଏଣୁ କୌଣସି ମତ ଦେବା ପୂର୍ବରୁ ଅପେକ୍ଷା କରିବା ଦରକାର ଯେ, କୋର୍ଟ କ’ଣ କହୁଛନ୍ତି।
କାରଣ ଗୋଟିଏ ଆଇନ ସଂସଦରେ ପାରିତ ହେବା ପରେ କୋର୍ଟଙ୍କ କ୍ଷମତା ରହିଛି ତାହାର ସାମ୍ବିଧାନିକ ପରିବ୍ୟାପ୍ତି ବିଷୟରେ ବିଶ୍ଳେଷଣ କରିବା। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସାଂସଦ ଓ ସରକାର ଏହି ଆଇନକୁ ସଂଶୋଧନ କରିବା ଲାଗି ସେମାନଙ୍କ ବୁଦ୍ଧିମତ୍ତାକୁ ପ୍ରୟୋଗ କରିଛନ୍ତି। ସେମାନେ ଜାଣିଛନ୍ତି ସାମ୍ବିଧାନିକ ଦୃଷ୍ଟିକୋଣ କ’ଣ ରହିଛି ବା ନରହିଛି।
ଏହି ପ୍ରସଙ୍ଗରେ କିଛି ରାଜ୍ୟମାନେ କହିପାରିବେ ନାହିଁ ଯେ, ସେମାନେ ତାହାକୁ ଲାଗୁ କରିବେ ନାହିଁ। ଅଥବା କୋର୍ଟ କିଛି ବ୍ୟାଖ୍ୟା ନକରିବା ଯାଏ ରାଜ୍ୟଗୁଡ଼ିକ ନିରବ ରହିବେ! ଏ ବାବଦରେ ଆଇନ ମନ୍ତ୍ରୀ ମଧ୍ୟ ସ୍ପଷ୍ଟ ଭାବେ ଧାରା ୨୫୬କୁ ଉଲ୍ଲେଖ କରିଛନ୍ତି। ଏହି ଆଇନ ଅନୁସାରେ ‘ନାଗରିକତ୍ଵ’ ଏକ କେନ୍ଦ୍ରୀୟ ପ୍ରସଙ୍ଗ।
ଏଣୁ କେନ୍ଦ୍ର ହାତରେ କ୍ଷମତା ରହିଛି ଏହି ଆଇନକୁ ସଂଶୋଧନ କରିବା ବା ଏ ବାବଦରେ ନୂଆ ଆଇନ ଆଣିବା ପ୍ରଭୃତି। ସେହିପରି ଧାରା ୨୫୬ ଏହା ସ୍ପଷ୍ଟ କରୁଛି ଯେ, ଯେଉଁ ଆଇନକୁ ଭରତର ସଂସଦ ପାରିତ କରୁଛି ତାହାକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ବାଧ୍ୟ। ଏଣୁ ରାଜ୍ୟମାନେ ଏହି ଆଇନକୁ ଲାଗୁ କରିବା ପାଇଁ ମନା କରିପାରିବେ ନାହିଁ।
ଧାରା ୩୬୫ ଅନୁସାରେ ଯଦି କୌଣସି ରାଜ୍ୟ ସଂସଦରେ ପାରିତ ହୋଇଥିବା ଆଇନକୁ ଲାଗୁ କରିବାରେ ଅମଙ୍ଗ ପ୍ରକାଶ କରନ୍ତି ବା ବାଧା ସାଜନ୍ତି ତେବେ ତାହାକୁ ସାମ୍ବିଧାନିକ ବ୍ୟବସ୍ଥାର ବିଫଳତା ବୋଲି କୁହାଯାଇପାରିବ। ଏପରି କ୍ଷେତ୍ରରେ କେନ୍ଦ୍ର ଧାରା ୩୫୬ ଅନୁସାରେ ସମ୍ପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ। ଅର୍ଥାତ୍ ସେ ସରକାରଙ୍କୁ ଭାଙ୍ଗିଦେବା କ୍ଷମତା ରହିଛି।
କିନ୍ତୁ ଏଠି ଅଚଳାବସ୍ଥା ଗୋଟିଏ ବା ଦୁଇଟି ରାଜ୍ୟକୁ ନେଇ ଉଠି ନାହିଁ । ଅନେକ ରାଜ୍ୟ ଏବେ ଏହି ନିୟମକୁ ପାଳନ କରିବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଅର୍ଥାତ୍ ଆମେ ଏକ ସମୟରେ ଏତେଗୁଡ଼ିଏ ରାଜ୍ୟର ସରକାରଙ୍କୁ ବରଖାସ୍ତ କରି ଜରୁରୀକାଳୀନ ପରିସ୍ଥିତି ବା ଧାରା ୩୫୬କୁ ପ୍ରୟୋଗ କରିପାରିବା ନାହିଁ। ଏହାଦ୍ଵାରା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବ। ଏଣୁ ସରକାରଙ୍କୁ ଏହି ପରି ସାମ୍ବିଧାନିକ ଅଚଳାବସ୍ଥା ରାସ୍ତା ନନେଇ କିଛି ସମାଧାନର ରାସ୍ତା କାଢ଼ିବାକୁ ପଡ଼ିବ। ଅବଶ୍ୟ ଏହା ଠିକ୍ ଯେ, କିଛି ପାର୍ଟି ଏହା କରୁଛନ୍ତି।
ପ୍ରଶ୍ନ: ଆପଣଙ୍କ ସମୟରେ ସଂସଦରେ ବିତର୍କ ଆଉ ଆଜିର ବିତର୍କ ଭିତରେ ଆପଣ କି ପ୍ରକାର ଗୁଣାତ୍ମକ ପ୍ରଭେଦ ଦେଖୁଛନ୍ତି। ଆପଣଙ୍କୁ ଏହାର ରେଟିଂ କରିବାକୁ କୁହାଗଲେ କିପରି କରିବେ?
ଉତ୍ତର: ସଂସଦରେ ବିତର୍କର ମାନ ହ୍ରାସ ପାଇବା ଏକ ପ୍ରମୁଖ ଉଦ୍ବେଗର କାରଣ। ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ ମଧ୍ୟ ଏ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ତାଙ୍କ ମତରେ ସଂସଦରେ ହେଉଥିବା ବିତର୍କ ଗୁଣାତ୍ମକ ମାନ ହରାଉଛି। ଆଜି ବୋଲି ନୁହେଁ ଏହା ଗଲା କିଛି ବର୍ଷ ହେଲା ଅବକ୍ଷୟ ହୋଇ ଚାଲିଛି।
ରାଜ୍ୟସଭାରେ ବିତର୍କର ଧାରାକୁ ଦେଖିଲେ ଆହୁରି ସ୍ଥିତି ସଙ୍ଗୀନ ବୋଲି ମନେ ହୁଏ। କାରଣ ରାଜ୍ୟସଭାକୁ ଆମ ସାଂସଦୀୟ ବ୍ୟବସ୍ଥାରେ ବୟସ୍କଙ୍କ ଗୃହ ବୋଲି ବିଚାର କରାଯାଏ । ଅର୍ଥାତ୍ ଆମେ ଯେପରି କୌଣସି ଏକ ବିଧିଗତ ନିଷ୍ପତ୍ତି ନେବାବେଳେ ବୟୋଜ୍ୟଷ୍ଠମାନଙ୍କ ପରାମର୍ଶ ପାଇଁ ତାଙ୍କ ପାଖକୁ ଯାଇଥାଉ ଠିକ୍ ସେହିପରି ସରକାର ଲୋକସଭାରେ କୌଣସି ଏକ ପ୍ରସ୍ତାବ ପାରିତ କରିବା ପରେ ରାଜ୍ୟସଭାକୁ ତାହାର ପରାମର୍ଶ ମାଗି ଥାଆନ୍ତି।
ରାଜ୍ୟସଭାର ଦାୟିତ୍ଵ ହେଉଛି ଏହାରି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ। କିନ୍ତୁ ଗଲା ଅନେକ ବର୍ଷ ହେଲା ଏଥିରେ ଅବକ୍ଷୟ ଦେଖିବାକୁ ମିଳୁଛି। ଏଣୁ ଆରମ୍ଭରୁ ଯେମିତି ବିତର୍କ ବା ଚର୍ଚା ହେଉଥିଲା ତାହା ଆଉ ଏବେ ହେଉ ନାହିଁ। ଯେଉଁ ବାଗ୍ମୀ ଓ ଦିଗ୍ଗଜଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ପ୍ରାପ୍ତ କରିଆସୁଥିଲା ସେହି ଧାରା ମଧ୍ୟ ଥମିଲା ଭଳି ଲକ୍ଷ୍ୟ କରାଯାଉଛି।
ଦେଖିବାକୁ ଗଲେ ଆଜିକାର ରାଜ୍ୟସଭା ସେଦିନର ରାଜ୍ୟସଭା ହୋଇନାହିଁ। ଏବେ ତ ଏମିତି ପରିସ୍ଥିତି ହୋଇଛି ଆପଣ ରାଜ୍ୟସଭାକୁ ସଦସ୍ୟ ଭାବେ ନିର୍ବାଚିତ ହେବା ଲାଗି ସେହି ରାଜ୍ୟର ନାଗରିକ ହେବା ଅବାଶ୍ୟକ ପଡ଼ୁନାହିଁ। ଏବେ ଯେଉଁମାନଙ୍କୁ ସଦସ୍ୟ ଭାବେ ବଛାଯାଉଛି ସେମାନେଯେ, ଜ୍ଞାନୀ ତଥା ଅନେକ ପ୍ରତିଭା ଓ ଅଭିଜ୍ଞତାର ଅଧିକାରୀ ତାହା କହିବା ବି ଭୁଲ୍ ହେବ।
ପ୍ରଶ୍ନ: ଆପଣଙ୍କ ହିସାବରେ ଆମ ସମ୍ବିଧାନର ସବୁଠାରୁ ଶକ୍ତ ଓ ସବୁଠାରୁ ଦୁର୍ବଳ କୋଣ କେଉଁଟି?
ଉତ୍ତର: ଆମ ସମ୍ବିଧାନରେ ଯେଉଁଠି ସବୁଠାରୁ ଶକ୍ତ ବିନ୍ଦୁ ଭାବେ ଆମେ ଗ୍ରହଣ କରୁ ତାହା ମଧ୍ୟ ସବୁଠାରୁ ଦୁର୍ବଳ କୋଣ ଭାବେ ଆବିର୍ଭୁତ। ପ୍ରଥମ କଥା ହେଲା ଆମ ସମ୍ବିଧାନ ପ୍ରଶାସନର ପ୍ରତିଟି କୋଣକୁ ବ୍ୟାଖ୍ୟା କରିଛି। ଯେତେବେଳେ ବି କୌଣସି ପ୍ରଶାସନିକ ବ୍ୟବସ୍ଥାରେ ଆମେ କୌଣସି ଜଟିଳ ପରିସ୍ଥିତିରେ ପହଞ୍ଚୁ ତେବେ ସମ୍ବିଧାନରେ ତାହାର ସମାଧାନ ମିଳିଥାଏ ଅର୍ଥାତ୍ ଆମକୁ ଆଉ କୌଣସି ଉତ୍ସରୁ ସହାୟତା ବା ପରାମର୍ଶ ନେବାର ଆବଶ୍ୟକତା ନାହିଁ।
ଆଉ ଗୋଟିଏ ଶକ୍ତ ବିନ୍ଦୁ ହେଉଛି ଆମର ମୌଳିକ ଅଧିକାର। ସମ୍ବିଧାନଦ୍ଵାରା ନାଗରିକଙ୍କୁ ପ୍ରଦତ୍ତ ଏହି ଅଧିକାରକୁ ସଂଶୋଧନ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋକୋର୍ଟ ଏକଦା ବ୍ୟାଖ୍ୟା କରିଥିଲେ। କିନ୍ତୁ ୨୪ତମ ସମ୍ବିଧାନ ସଂଶୋଧନ ପରେ ଯେତେବେଳେ ସୀକାର ଜଣାଇଲେ ଯେ, ଏହି ମୌଳିକ ଅଧିକାରର ବି ସଂଶୋଧନ ସମ୍ଭବ ସେତେବେଳେ ମାମଲା ପୁଣିଥରେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା।
ଏବେ ଦୁର୍ବଳ ବିନ୍ଦୁ କଥା। ଆମ ସମ୍ବିଧାନର ସବୁଠାରୁ ଦୁର୍ବଳ କୋଣ ବି ସେଇ ଗୋଟିଏ ତାହା ହେଲା, ଆମ ସମ୍ବିଧାନ ପ୍ରଶାସନର ସବୁ କୋଣକୁ ଧ୍ୟାନ ଦେଇଥାଏ। ଆଉ ସେଥିପାଇଁ ଆମେ କୌଣସି ଏକ ଜିନିଷକୁ ଲାଗୁ କରିବା ପାଇଁ ହେଲେ ବା ନୂଆ ବିଧି ଲାଗୁ କରିବାକୁ ଚାହିଁଲେ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିବାକୁ ବାଧ୍ୟ ହୋଇଥାଉ।
ଗଲା ୭୦ ବର୍ଷ ଭିତରେ ଆମେ ସେଥିଲାଗି ୧୦୪ ଥର ସମ୍ବିଧାନ ସଂଶୋଧନ କରିଛୁ। ଏହା ବିଶ୍ଵରେ କୌଣସି ଗଣତାନ୍ତ୍ରିକ ଦେଶର ସମ୍ବିଧାନକୁ ସର୍ବାଧିକ ଥର ସଂଶୋଧନ କରାଯାଇଥିବା ଏକ ସମ୍ବିଧାନ।
ପ୍ରଶ୍ନ: ନିକଟ ଅତୀତରେ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ନେଇ ଅନେକ ଆଲୋଚନା ହୋଇଛି। ଏଥିପାଇଁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଆପଣ କ’ଣ କହିବେ?
ଉତ୍ତର: ହଁ, ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟକୁ ଜଣେ ନାଗରିକ ପାଳନ କରିବା ଦରକାର । କିନ୍ତୁ ଯେଉଁପରି ଭାବେ ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ବ୍ୟାଖ୍ୟା କରାଯାଇଛି ତାହାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ। କିଛି ମାତ୍ରାରେ ଆମେ ଏହାକୁ ବାଧ୍ୟତାମୂଳକ କରିପାରିବା ଯଦି ଏକ ରାଜନୀତିକ ଇଚ୍ଛାଶକ୍ତି ଓ ସହମତି ପ୍ରକାଶ ପାଇପାରିବ। ଯେମିତି ଜାତୀୟ ପତାକାକୁ ସମ୍ମାନ ଦେବା, ଦେଶରେ ସାମାଜିକ ବନ୍ଧନକୁ ବଜାୟ ରଖିବା ଲାଗି ଆମେ ମୌଳିକ କର୍ତ୍ତବ୍ୟକୁ ବାଧ୍ୟତାମୂଳକ କରିବାପରିବା।
ପ୍ରଶ୍ନ: ଡିରେକ୍ଟିଭ୍ ପ୍ରିନ୍ସିପାଲ୍ ଅଫ୍ ଷ୍ଟେଟ୍ ପଲିସି ଭଳି ଏହା ଏକ ଅଙ୍ଗ କି?
ଉତ୍ତର: ହଁ। କାରଣ ଯେଉଁସବୁ ବ୍ୟବସ୍ଥା ସମ୍ବିଧାନର ଏହି ଅନୁଚ୍ଛେଦରେ ରାଷ୍ଟ୍ରକୁ ଜନସାଧାରଙ୍କ ମଙ୍ଗଳ ପାଇଁ କରିବା ଲାଗି ନିର୍ଦେଶ ରହିଛି ସେଗୁଡ଼ିକ କେବଳ ନୀତି ନିର୍ଦେଶକ ତତ୍ତ୍ଵ ଭଳି। ସମ୍ବିଧାନ ପ୍ରଦତ୍ତ ଏହି ନୀତିକୁ କାର୍ଯ୍ୟରେ ଲଗାଇବା ଲାଗି ରାଷ୍ଟ୍ର ବାଧ୍ୟ ନୁହେଁ। କିନ୍ତୁ ଏଇ କିଛି ବର୍ଷ ହେଲା ରାଷ୍ଟ୍ର ସେଗୁଡ଼ିକୁ ଆଇନରେ ପରିଣତ କରିଛନ୍ତି। ଯେମିତି ଶିକ୍ଷାଧିକାର ଆଇନ। ଏହା ନୀତି ନିର୍ଦ୍ଧାରଣ ତତ୍ତ୍ଵରେ ଉଲ୍ଲେଖ ଥିଲା। ଏଣୁ ଯେଉଁ ମୌଳିକ କର୍ତ୍ତବ୍ୟର ଆବଶ୍ୟକ ରହିଛି ସେଗୁଡ଼ିକ ଲାଗି ଆବଶ୍ୟକ ନୀତି ପ୍ରସ୍ତୁତ ହେବା ଦରକାର।
ନହେଲେ ସେଗୁଡ଼ିକୁ ଏହିପରି ଭାବେ ବ୍ୟାଖ୍ୟା କରାଯିବା ଦରକାର ଯେମିତି ତାହା କାର୍ଯ୍ୟରେ ପରିଣତ ହୋଇପାରିବ। ନହେଲେ କେବଳ ନାଁକୁ ମାତ୍ର ହୋଇ ଏହିସବୁ ନାଗରିକଙ୍କ କର୍ତ୍ତବ୍ୟ ସମ୍ବିଧାନରେ ଶୋଭା ପାଇବ ସିନା ତାହାର କିଛି ମୂଲ୍ୟ ରହିବ ନାହିଁ।
ପ୍ରଶ୍ନ: ଆପଣଙ୍କ ମତରେ ଭାରତର ସମ୍ବିଧାନ ପାଇଁ ସବୁଠାରୁ ଗୁରୁତ୍ଵପୂଣ୍ଣ ଆହ୍ବାନ କ’ଣ?
ଉତ୍ତର: ଆହ୍ବାନ କହିଲେ ଅନେକ ରହିଛି। ଏସବୁ କ’ଣ ହୋଇପାରେ ତାହା ନିକଟରେ ପାରିତ ହୋଇଥିବା ନାଗରିକତ୍ତ୍ଵ ସଂଶୋଧନ ଆଇନ ଏବଂ ଧାରା ୩୭୦ ଉଚ୍ଛେଦ ପରେ ସ୍ପଷ୍ଟ ହୋଇଛି। କିନ୍ତୁ ଯଦି ସମ୍ବିଧାନର ମୂଳମନ୍ତ୍ରକୁ ଆମେ ଲକ୍ଷ୍ୟ କରିବା ଏବଂ ସେହି ଅନୁସାରେ କାର୍ଯ୍ୟ କରିବା ତେବେ ଭବିଷ୍ୟତରେ କୌଣସି ଆହ୍ବାନ ବା ଆଶଙ୍କାର ଆମେ ସମ୍ମୁଖୀନ ହେବା ନାହିଁ। ଦେଶର ଶାସନ ବ୍ୟବସ୍ଥା ସୁରୁଖୁର ହୋଇପାରିବ। ଏହି ମୂଳ ମନ୍ତ୍ରଟି କ’ଣ? ଆମକୁ ମନେ ରଖିବାକୁ ହେବ ଯେ, ଆମ ସମ୍ବିଧାନ ହେଉଛି ଶାସନ ବ୍ୟବସ୍ଥାର ବାଇବେଲ୍, ଗୀତା ଓ କୋରାନ୍।