ହାଇଦ୍ରାବାଦ: ଦେଶରେ ବର୍ତ୍ତମାନ ଜନସଂଖ୍ୟା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ଯେଉଁଥିରେ ବଢୁଥିବା ଜନସଂଖ୍ୟା ସହ ଅନ୍ୟ ଏକ ସମସ୍ୟା ମୁଣ୍ଡ ଟେକିଛି ଯାହା ହେଉଛି ଶିଶୁଙ୍କ ଶିକ୍ଷା । ଏକ ସର୍ବେକ୍ଷଣରୁ ସ୍ପଷ୍ଟ କି ଏବେ ବି ଦେଶର ମଧ୍ୟବିତ୍ତ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରାୟ ତିନି ଚତୁର୍ଥାଂଶ ଶିଶୁ ସଠିକ୍ ଶିକ୍ଷାରୁ ବଞ୍ଚିତ । ଯେବେ କି ଧନୀ ଶ୍ରେଣୀର ପରିବାର କ୍ଷେତ୍ରରେ ପ୍ରାୟ 90 ପ୍ରତିଶତ ଶିଶୁ ଶିକ୍ଷା ପାଇପାରିଛନ୍ତି । ତେଣୁ ଗରିବ ଶିଶୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାର ସମ୍ଭାବନା ଧନୀ ଶିଶୁଙ୍କ ତୁଳନାରେ ପ୍ରାୟ 7 ପ୍ରତିଶତ କମ ବୋଲି ଆକଳନ କରାଯାଇଛି।
ତେବେ ସମାନତାର ନାରା ଲାଗୁଥିବା ଦେଶରେ ଏବେ ବି ଶିକ୍ଷାକୁ ନେଇ ରହିଛି ଅନେକ ଅସମାନତା। ଯାହାର କଷାଘାତରେ ଯୁଝି ଆସୁଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅନେକ ଶିଶୁ । ହେଲେ ଏନେଇ ସରକାରୀସ୍ତରରେ ଅନେକ ଯୋଜନା କରାଯାଉଥିଲେ ମଧ୍ୟ ଏବେ ବି କାହିଁକି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଶିଶୁ, ତାହା ସୃଷ୍ଟି କରିଛି ଏକ ବଡ ପ୍ରଶ୍ନବାଚୀ ।
ଅନ୍ୟପଟେ ୟୁନେସ୍କୋ(UNESCO) ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି କି ବିଶ୍ବରେ ପ୍ରାୟ 330 ମିଲିୟନ ଶିଶୁ ସ୍କୁଲ ଯାଉଛନ୍ତି ହେଲେ ସେଠାରେ ପ୍ରାଥମିକ ଶିକ୍ଷା ମଧ୍ୟ ପାଇପାରୁ ନାହାଁନ୍ତି । ଏହା ଶିକ୍ଷା ପ୍ରତି ସମାଜରେ ବର୍ତ୍ତମାନ ବି ରହିଥିବା ଅସଚେତନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରେ । ତେବେ ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଥିଲା କି ବିଶ୍ବରେ ଅନେକ ରାଷ୍ଟ୍ରରେ ଗରିବ ବା ମଧ୍ୟବିତ୍ତ ଶ୍ରେଣୀର ପରିବାରରେ ଶିଶୁଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ମାଗଣା ଶିକ୍ଷାଦାନ ଯୋଜନା ଆବଶ୍ୟକ। ହେଲେ ସେହି ରାଷ୍ଟ୍ରରେ ଏନେଇ କୌଣସି ବ୍ୟବସ୍ଥା ନଥିବାରୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିଯାଉଛନ୍ତି ଅନେକ ଶିଶୁ।
ନିକଟରେ କରାଯାଇଥିବା ଅନ୍ୟ ଏକ ସର୍ବେକ୍ଷଣରୁ ସ୍ପଷ୍ଟ ଯେ, ଶିକ୍ଷା ନା କେବଳ ଭବିଷ୍ୟତ ପାଇଁ ଏକ ଜରୁରୀ ଆବଶ୍ୟକତା ବରଂ ଏହା ସମାଜରେ ଥିବା ଅସମାନତା ସହ ଲଢିବାରେ ମଧ୍ୟ ସାହାଯ୍ୟ କରେ । ଏହାଦ୍ବାରା ଶିକ୍ଷାଗତ କ୍ଷେତ୍ରରେ ଧନୀ, ଗରିବ ଓ ମଧ୍ୟବିତ୍ତଙ୍କ ମଧ୍ୟରେ ଥିବା ଅସମାନତାକୁ ଦୂର କରିବାରେ ସହାୟକ । କାରଣ ପ୍ରତି ଶିଶୁ ସମାନ ପରିମାଣର ଶିକ୍ଷା ଓ ସୁଯୋଗର ହକଦାର।
ଦେଖିବାକୁ ଗଲେ କେତେକ ରାଷ୍ଟ୍ରରେ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନ୍ୟତା ମଧ୍ୟ ଏଥିପାଇଁ ସମାନ ଭାବେ ଦାୟୀ । ଏହି ବିଦ୍ୟାଳୟରେ ଅଳ୍ପ ଶିକ୍ଷିତ ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରତିକୂଳ ପରିବେଶ ଓ ଶିକ୍ଷା ଉପଯୋଗୀ ସାମଗ୍ରୀର ଅଭାବ ସୃଷ୍ଟି କରିଛି ଏକ ଭିନ୍ନ ପରିବେଶ । ଯାହା ଦ୍ବାରା ବିଦ୍ୟାଳୟ ପ୍ରତି ଶିଶୁଙ୍କ ଆକର୍ଷଣ ଏକ ପ୍ରକାର କମିବାରେ ଲାଗିଥିବା ପ୍ରକାଶ ।
ଏହା ମଧ୍ୟ କୁହାଯାଇପାରେ କି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଶିଶୁ ଶିକ୍ଷାରୁ ଏଥିପାଇଁ ବଞ୍ଚିତ କାରଣ ସେମାନଙ୍କ ପାଖରେ ଅଧିକଂଶ ସମୟରେ ଶାରିରୀକ ଅସୁସ୍ଥତା ଲାଗି ରହିଥାଏ । ଫଳରେ ଅଧା ଦିନ ପାଠପଢାରୁ ବଞ୍ଚିତ ହୁଅନ୍ତି ଏହି ଶିଶୁ । ଉଦାହରଣ ସ୍ବରୂପ ରିପୋର୍ଚ ମୁତାବକ ପାକିସ୍ତାନରେ ସର୍ବମୋଟ 24 ମିଲିୟନ ଶିଶୁ ବିଦ୍ୟାଳୟ ଯିବାରୁ ବଞ୍ଚିତ ହେବା ସହ ଏହି ରାଷ୍ଟ୍ରରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ନିମ୍ନମାନର । ଅନ୍ୟ ରାଷ୍ଟ୍ର ତୁଳନାରେ ଏହା ପିଲାଙ୍କ ଶିକ୍ଷା ଦିଗରେ ସର୍ବନିମ୍ନ ଖର୍ଚ୍ଚ କରୁଥିବା ମଧ୍ୟ ଜଣାପଡିଛି । ଫଳ ସ୍ବରୂପ ଏଠାରେ ପାରିବାରିକ ସ୍ଥିତି ଅନୁଯାୟୀ ପିଲାଙ୍କ ଶିକ୍ଷା ପୂରଣ ହୋଇଥାଏ।
ଏହି ସମସ୍ୟାରେ ଅନ୍ୟ ଏକ ମୂଖ୍ୟ କାରଣ ହେଉଛି ଲିଙ୍ଗଗତ ଭେଦଭାବ । ଆଜି ବି ଅନେକ ରାଷ୍ଟ୍ରରେ ଝିଅମାନେ ଶିକ୍ଷାରୁ ବଞ୍ଚିତ । ଏଥିପାଇଁ ସମାଜ ଯେତିକି ଦାୟୀ, ତା’ଠାରୁ ଢେର ଅଧିକ ସେମାନଙ୍କ ପରିବାର ଦାୟୀ । ଯେଉଁଥିରେ ପୁଣି ସର୍ବାଗ୍ରେ ରହିଛି ପାକିସ୍ତାନ । ପାକିସ୍ତାନରେ ପୁଅଙ୍କ ତୁଳନାରେ ଗରିବ ଝିଅ ସ୍କୁଲ ନଯିବାର ସମ୍ଭାବନା ତିନି ଗୁଣା ଅଧିକ । ଯାହା ସେମାନଙ୍କୁ ଅଜ୍ଞାନର ଅନ୍ଧକାରକୁ ଠେଲିବା କହିଲେ କିଛି ଭୁଲ ହେବ ନାହିଁ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି ଶିକ୍ଷକଙ୍କୁ କମ୍ ଦରମା । କମ୍ ଦରମା ବିଶିଷ୍ଟ ବିଦ୍ୟାଳୟରେ ଶିକ୍ଷକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସେମାନଙ୍କ ପାଠପଢା ଶୈଳୀକୁ ମଧ୍ୟ ପ୍ରଭାବିତ କରୁଛି । ତେଣୁ ପବ୍ଲିକ ଏଜୁକେଶନ ବା ଲୋକଶିକ୍ଷା ଏସବୁ ସମସ୍ୟାର ଏକପ୍ରକାର ସମାଧାନ ବୋଲି ଅନୁସନ୍ଧାନକାରୀ ହୃଦବୋଧ କରିଛନ୍ତି । ଏହାଦ୍ବାରା ଗରିବ ପିଲା ମାଗଣାରେ ଶିକ୍ଷା ପାଇବା ସହ ସ୍କୁଲ ଘର ଭଡାର ମଧ୍ୟ କୌଣସି ସମସ୍ୟା ରହିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ