ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବେ । ଏଥିପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ସେହିପରି ଏୟାର ଇଣ୍ଡିଆକୁ କିଣିବାକୁ ବି ବହୁ କମ୍ପାନୀ ଆଗ୍ରହ ପ୍ରକାଶ କରୁଥିବା ସେ ପ୍ରକାଶ କରିଛନ୍ତି ।
କେନ୍ଦ୍ର ନିକଟକୁ କମ ସମୟ ମଧ୍ୟରେ ଭଲ ପ୍ରସ୍ତାବ ଆସିଲେ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଘରୋଇକରଣ ପ୍ରକ୍ରିୟାକୁ ଏକ ବିକଳ୍ପ ବ୍ୟବସ୍ଥା ମଧ୍ୟରେ କରାଯିବ । ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକାଧିକ ମନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ।
ଏକ ଫାଷ୍ଟ ରେଟ ଏୟାରଲାଇନ ହୋଇଥିବାରୁ ଏୟାରଇଣ୍ଡିଆକୁ ଅଧିଗ୍ରହଣ କରିବାକୁ ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଯିଏବି ଏହାକୁ ଅଧିଗ୍ରହଣ କରିବ ସେ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ଓ ଘରୋଇ ବିମାନ ଚଳାଚଳର ନୀତି ନିୟମ ହିସାବରେ ପରିଚାଳିତ ହେବ ବୋଲି ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ 3 ତାରିଖରେ ଭାରତୀୟ ବିମାନ ବନ୍ଦର ଆର୍ଥିକ ନିୟାମକ ପ୍ରାଧିକରଣ ବିଲକୁ ସଂସଦରେ ପାରିତ କରାଯାଇଥିଲା । ସେପଟେ ଦୀର୍ଘ ସମୟରୁ ଋଣ ଭାରରେ ବୁଡି ରହିଥିବା ଏୟାର ଇଣ୍ଡିଆ ତୈଳ କମ୍ପାନୀଙ୍କ ବିଲ ଭରଣ କରିବାରେ ଅସର୍ମଥ ରହିଛନ୍ତି । ଏଥିଯୋଗୁଁ କେତେକ ବିମାନ ବନ୍ଦରକୁ ତେଲ ଯୋଗାଇ ଦେବାକୁ ମନା କରି ଦେଇଛନ୍ତି ବିପିସିଏଲ, ଆଇଓସିଏଲ, ଏଚପିଚିଏଲ ଓ ଏଟିଏଫ ଆଦି ତୈଳ କମ୍ପାନୀ ।