ଜୟପୁର: ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାକୁ ନେଇ ହାଇକୋର୍ଟରେ ପହଞ୍ଚିଛି ବିଏସପି । ବିଏସପି ମହାସଚିବ ସତୀଶ ମିଶ୍ରା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ତେବେ ଯାଚିକାର ଶୁଣାଣି ବିଜେପି ବିଧାୟକ ମଦନ ଦିଲାବରଙ୍କ ଯାଚିକା ସହିତ ହେବ ବୋଲି ସୂଚନା ମିଳିଛି ।
ପୂର୍ବରୁ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବାକୁ ନେଇ ବିଜେପି ବିଧାୟକ ମଦନ ଦିଲାବର ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ବାଚସ୍ପତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ସେନେଇ ଯାଚିକାରେ ଉଲ୍ଲେଖ ଥିଲା ।
2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଥିବା ଦାବି କରିଛନ୍ତି । ଏହାସହ ସେମାନେ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।
ସୂଚନାଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।
ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।
ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ