ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହେବାପରେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳୁଛି । ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ପ୍ରତିଶ୍ରୃତିବଦ୍ଧ ଦେଶବାସୀଙ୍କ ମୁହଁରେ ବଦଲାର ଭାଷା । ଏହି ଘଟଣା ପରେ ଚାରିଆଡେ ଶୋକାକୁଳ ପରିବେଶ । ଲୁହରେ ଲହୁରେ କଟୁଛି ଦିନ । ଶହୀଦଙ୍କ ମରଶରୀରର ଅନ୍ତିମ ଦର୍ଶନ ପାଇଁ ଚାରୁଆଡୁ ଛୁଟୁଛି ଲୋକଙ୍କ ସୁଅ ।
ଏହାଭିତରେ ଏଭଳି ଏକ ଖବର ଆସିଛି ଯାହା ପଢିଲା, ଶୁଣିଲା ପରେ ଅଖିରୁ ଆପେ ଆପେ ଝରିଯିବ ଲୁହ । ବିହାର ସାସାରାମରେ ଶହୀଦ ଯବାନଙ୍କ ମରଶରୀରକୁ ନେଉଥିବା ସମୟରେ ଜଣେ ଯବାନ ହୃଦଘାତରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ଶବାଧାରରକୁ ଦେଖି ନିଜ ଧୈର୍ଯ୍ୟଚ୍ୟୁତ ହୋଇଯାଇଥିଲା ତାଙ୍କର । ମନରେ ଅସ୍ଥିରତା ଆସିଥିଲା ଏହି ଘଟଣାକୁ ଦେଖି ସହିପାରିନଥିଲେ ଯବାନ ନିତ୍ୟାନନ୍ଦ ସିଂ । ଏକା ସଙ୍ଗେ ୪୦ ସାଥୀଙ୍କ ଶବକୁ ଦେଖି ବିଏସଏଫରର ଯବାନ ନିତ୍ୟାନନ୍ଦ ସିଂ ଭାଙ୍ଗିପଡ଼ିଥିଲେ ଏହା ଫଳରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଜଣାଯାଇଛି ଯେ ପୁଲୱାମାରେ ଶହୀଦ କିଛି ଯବାନ ନିତ୍ୟାନନ୍ଦଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ ।
ସୂଚନାଯୋଗ୍ୟ ଗଲା ଚାରି ଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି । ପ୍ରଥମେ ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସିଆରପିଏଫ୍ର ୪୦ଜଣ ଯବାନ ଶହୀଦ ହୋଇଥିଲେ । ଏହା ପରେ ୧୬ତାରିଖରେ ରାଜୌରୀ ଅଞ୍ଚଳରେ ଆଇଡି ବିସ୍ଫୋରଣରେ ଜଣେ ମେଜର ଚିତ୍ରେଶ ସିଂ ବିଷ୍ଟ ଶହୀଦ ହୋଇଥିଲେ ।
ଏହି ଘଟଣା ପରେ ସାରା ବିଶ୍ବର ତୁଙ୍ଗ ନେତା ଭାରତ ପକ୍ଷରେ ରହିଛନ୍ତି । ପାକିସ୍ତାନକୁ ଉଚିତ ଶିକ୍ଷା, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ତଥା ଶହୀଦଙ୍କ ବଦଲା ନେବା ପାଇଁ ସୋମବାର ସର୍ବଭାରତୀୟ ବ୍ୟବସାୟୀ ସଂଘ 12ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲା । ପୁଲୱାମା ପରେ ଭାରତରେ ପାକିସ୍ତାନକୁ ବିରୋଧ କରିବା ସହ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ସ୍ବର ତୀବ୍ର ହେବାରେ ଲାଗୁଛି ।