ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ୟୁ-ଟର୍ଣ୍ଣ ପରେ ଏହାକୁ ସମାଲୋଚନା କରିଛି ବିଜେପି । କଂଗ୍ରେସ ଏହାକୁ ନେଇ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି ।
ପ୍ରକାଶ ଯେ, ରାହୁଲଙ୍କ ବୟାନକୁ ନେଇ ପାକିସ୍ତାନ ଜାତିସଂଘର ଦ୍ବାରସ୍ଥ ହୋଇଛି । ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ବିଜେପି କହିଛି ।
ସେପଟେ ବିଜେପିର ଆକ୍ରମଣର ପାଲଟା ଜବାବ ଦେଇଛି କଂଗ୍ରେସ । ଭାରତ ଏବେ ଏକତ୍ର ଲଢିବାକୁ ପ୍ରସ୍ତୁତ ଅଛି । ଏହି ସମୟରେ ବିଜେପିରୁ ହୀନ ରାଜନୀତି କରିବା ଉଚିତ ନୁହେଁ ବୋଲି କଂଗ୍ରେସ କହିଛି ।
ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ନିଜ କାର୍ଯ୍ୟକଳାପରେ ଦେଶକୁ ଲଜ୍ଜିତ କରିଛି । ରାହୁଲ ଗାନ୍ଧୀ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି, ତାହା ନିନ୍ଦନୀୟ । କାଶ୍ମୀରକୁ ନେଇ ରାହୁଲ ସର୍ବଦା ଅବାସ୍ତବିକ କଥା କହୁଛନ୍ତି । ସେ ପାକିସ୍ତାନ ହାତରେ ଖେଳୁଛନ୍ତି । ପାକିସ୍ତାନ ରାହୁଲଙ୍କ ବୟାନକୁ ପ୍ରମାଣ ସ୍ବରୂପ ଦର୍ଶାଇ ଜାତିସଂଘକୁ ଚିଠି ଲେଖିଛି। କଂଗ୍ରେସ ଏହା କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କରୁଛି ବୋଲି ଅଭିଯୋଗ କରିଛନ୍ତି ଜାଭେଦକର । ତେବେ ରାହୁଲଙ୍କ ବୟାନକୁ ନେଇ ଦେଶବ୍ୟାପୀ ବିରୋଧ ହେବାପରେ ସେ ନିଜ ବୟାନରୁ ୟୁ-ଟର୍ଣ୍ଣ ନେଇଥିବା ଜେଭେଦକର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାହୁଲ ଗାନ୍ଧୀ ଟ୍ଵିଟ୍ କରି କହିଥିଲେ , ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୋର ଅସହମତି ରହିଛି । କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ପାକିସ୍ତାନ କିମ୍ବା ବିଶ୍ବର ଅନ୍ୟ କୌଣସି ଦେଶକୁ ଏଥିରେ ମୁଣ୍ଡ ପୁରାଇବା ପାଇଁ ଦିଆଯିବନାହିଁ । ସେହିପରି କାଶ୍ମୀରରେ ହେଉଥିବା ଆତଙ୍କୀ କାର୍ଯ୍ୟକଳାପ ନେଇ ମଧ୍ୟ ପାକିସ୍ତାନକୁ ଦାୟୀ କରିଥିଲେ ରାହୁଲ ।