ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେବିଜେପିକୁ ଲାଗିଲା ବଡ ଝଟକା । ଦଳର ୟୁପି ଅଧ୍ୟକ୍ଷ ମହେନ୍ଦ୍ର ନାଥ ପାଣ୍ଡେଙ୍କ ପୁତ୍ରବଧୁ ଅମୃତା ପାଣ୍ଡେ ଧରିଛନ୍ତି କଂଗ୍ରେସର ହାତ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ୟୁପି ରାଜନୀତି ବେଶ ସରଗରମ ହୋଇ ଉଠିଛି । ଅନ୍ୟପକ୍ଷେ ଅମୃତା କହିଛନ୍ତି ଯେ କଂଗ୍ରେସରେ ଯୋଗ ଦେବା ଏହା ତାଙ୍କରବ୍ୟକ୍ତିଗତ ନିଷ୍ପତ୍ତି ।
ଅମୃତା ହେଉଛନ୍ତି ମହେନ୍ଦ୍ରା ପାଣ୍ଡେଙ୍କ ବଡ ଭାଇ ଜିତେନ୍ଦ୍ର ପାଣ୍ଡଙ୍କ ପୁତ୍ରବଧୁ । କଂଗ୍ରେସରେ ଯୋଗଦେବା ପରେ ଅମୃତା କହିଛନ୍ତି ଯେ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ସେ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପରେ କଂଗ୍ରେସରେ ସାମିଲ ହେବାକୁ ସ୍ଥିର କରିଥିଲେ । ଏହାସହ ତାଙ୍କ ବାପଘରର କଂଗ୍ରେସ ସହ ସମ୍ପର୍କ ଭଲ ଥିବାରୁ ସେ କଂଗ୍ରେସରେ ସାମିଲ ହେବାକୁ ଚାହୁଁଥିଲେ । ଦେଶ ସେବା କରି ମହିଳାଙ୍କ ବିକାଶ ପାଇଁ ପ୍ରିୟଙ୍କାଙ୍କ ସାଥ୍ ଦେବାକୁ ସେ ଚାହାନ୍ତି ବୋଲି କହିଛନ୍ତି ।