ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ଶୀତ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକିଥିବା ଏହି ସ୍ବଳ୍ପ ସମୟରେ ସରକାର ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯାଉଛନ୍ତି । ଯାହା ଦଳପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଯେଉଁଥିପାଇଁ ସମସ୍ତ ସାଂସଦ ଲୋକସଭାରେ ଉପସ୍ଥିତ ରହିବା ଜରୁରୀ ।
ଏପରି ସ୍ଥଲେ ଆଜି ଗୃହରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । ଯାହାକୁ ନେଇ ଏବେ ସଡକରୁ ସଂସଦ ପର୍ଯ୍ୟନ୍ତ ଜାରି ରହିଛି ପ୍ରତିବାଦ ବିକ୍ଷୋଭ । ଲୋକସଭାରେ ବିତର୍କ ସରଗରମ ରହିଥିବା ବେଳେ ଶାସକ ବିଜେପିକୁ କଡା ବିରୋଧର ସମ୍ମୁଖିନ ହେବାକୁ ପଡୁଛି । ଆହୁରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆସିବାକୁ ଥିବାରୁ ବିଜେପିର ଆଭିମୁଖ୍ୟ ଓ ରଣନୀତି କଣ ହେବ ତାହା ନିର୍ଦ୍ଧାରଣ କରିବା ପାଇଁ ବୁଧବାର ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପାର୍ଲାମେଣ୍ଟର ଲାଇବ୍ରେରି ଭବନରେ ଅନୁଷ୍ଠିତ ହେବ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଦଳର ସଂସଦୀୟ ବୋର୍ଡର ନେତାମାନେ ଯୋଗଦେବେ ।