ପାଟନା: ବିହାରରେ କାୟା ବିସ୍ତାର କରିଛି (ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ) ବା AES । ଘଣ୍ଟାକୁ ଘଣ୍ଟା ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏହି ଜ୍ୱରରେ ପ୍ରାୟ 120ରୁ ଅଧିକ କୋମଳମତି ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅବସ୍ଥାରେ । ତେବେ ଏହି ରୋଗ ନିୟନ୍ତ୍ରଣକୁ ଆସୁନଥିବା ବେଳେ ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଦ ଉଡିଯାଇଛି । କାରଣ ଏତେ ମାତ୍ରାରେ ଶିଶୁଙ୍କ ମୃତ୍ୟୁ ପାଇଁ ଆଗକୁ ପରିସ୍ଥିତି କଣ ଯେ ହେବ ତାହା ପରିକଳ୍ପନା ବାହାରେ ।
ଅନ୍ୟପଟେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିପାଇଁ ସଜାଗ ରହିଥିବା ବେଳେ ଡାକ୍ତରୀ ବିଭାଗର ସ୍ବତନ୍ତ୍ର ଟିମ ଘଟଣାସ୍ଥଳକୁ ପଠାଯାଇଛି । ଏହି ଟିମରେ ବିଭିନ୍ନ ରାଜ୍ୟର ବିଶେଷକ୍ଷ ଡାକ୍ତର ମାନେ ରହିଛନ୍ତି । ଏବେସବୁଠାରୁ ବଡ ଚ୍ୟାଲେଞ୍ଜ କିପରି ଏହି ରୋଗକୁ ନିୟନ୍ତ୍ରଣକୁ ଆଣିହେବ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲଗାଯାଇପାରିବ ।
ସୂଚନା ଯୋଗ୍ୟ, ଏହି ଜ୍ୱରରେ ପୀଡିତ ହୋଇ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜରେ ପ୍ରାୟ 93 ଓ କେଜ୍ରିୱାଲ ହସ୍ପିଟାଲରେ 19 ଜଣ ଶିଶୁ ପ୍ରାଣ ହାରିଛନ୍ତି । ଏବେବି ଅନେକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ସେପଟେ ବିହାରରେ ଏହି ଜ୍ୱର କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କ ବି ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ ହସ୍ପିଟାଲ ପରିଦର୍ଶନ କରିବାକୁ ଯାଇଥିବା ବେଳେ ହଟହଟା ହୋଇଥିଲେ । ସେହିଭଳି ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି ।
ତେବେ ଏହାରି ମଧ୍ୟରେ ସବୁଠାରୁ ବଡ କଥା ହେଲା ବିହାରରେ ବ୍ୟାପୁଥିବା ଏହି ମହାମାରୀ ଜ୍ୱର କବଳରୁ କେବେ ମୁକୁଳିବେ କୋମଳମତି ଶିଶୁ । କଣ ରହିବ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ତାହା ଉପରେ ପୁରା ଦେଶବାସୀଙ୍କ ନଜର ।