କୋଲକାତା: ସ୍ବାସ୍ଥ୍ୟକର୍ମୀଙ୍କୁ ମୁକୁଟ ପିନ୍ଧାଇଲେ ଦଶଭୂଜା । ମା'ଙ୍କ ରଙ୍ଗବେରଙ୍ଗ ପ୍ରତିମୂର୍ତ୍ତିରେ ବିଭିନ୍ନ ପୂଜା ପେଣ୍ଡାଲ ଝଲସୁଥିବା ବେଳେ କୋଲକାତାର ମୁର୍ସିଦାବାଦ ଅଞ୍ଚଳର ଏକ ପୂଜା ପେଣ୍ତାଲ ନିଜର ଥିମକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ପେଣ୍ଡାଲରେ ପୂଜା ପାଉଥିବା ଦୁର୍ଗାଙ୍କ ପ୍ରତିମା ହାତରେ ତ୍ରିଶୁଳ ବଦଳରେ ଏକ ମୁକୁଟ ଧରି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ପିନ୍ଧାଉଥିବା ନଜର ଆସିଛନ୍ତି । କୋଭିଡ କାଳରେ ସ୍ବାସ୍ଥ୍ୟକର୍ମୀଙ୍କ ମହାନ ସେବାକୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ମା'ଙ୍କର ଏଭଳି ପ୍ରତିମା ସ୍ଥାପନ କରାଯାଇଥିବା ପେଣ୍ଡାଲ ସଦସ୍ୟ କହିଛନ୍ତି ।
ସାରା ଦେଶରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ଖାତିର ନ କରି କୋଭିଡ ଭାଇରସ ସହ ଲଢେଇ କରୁଛନ୍ତି । ଅନ୍ୟର ଜୀବନ ରକ୍ଷା କରୁଛନ୍ତି । ଏଣୁ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉଦ୍ଦେଶ୍ୟରେ ଏଭଳି ଥିମ୍ ରଖାଯାଇଛି । ଏହାବ୍ୟତୀତ ଏହି ଥିମ୍ ମାଧ୍ୟମରେ କୋଭିଡ଼-19 ଗାଇଡଲାଇନ୍ସକୁ ଅନୁକରଣ କରିବା ଏବଂ ନିଜର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇବାର ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିବା ପେଣ୍ଡାଲର ସଦସ୍ୟ ଶୌମଦୀପ କହିଛନ୍ତି ।
ଦୁର୍ଗା ପୂଜାରେ କୋଲକାତା ନିଜର ଥିମ୍ ପାଇଁ ସଦା ସର୍ବଦା ଚର୍ଚ୍ଚାରେ ଥାଏ । ମହାମାରୀ ପାଇଁ ଚଳିତ ବର୍ଷ ପୂଜା ଟିକେ ଫିକା ପଡିଥିଲେ ମଧ୍ୟ ସମସ୍ତ ରୀତିନୀତି ଅନୁଯାୟୀ ଦେବୀ ଦୁର୍ଗାଙ୍କ ଆରାଧନା କରାଯାଉଛି । ଭକ୍ତମାନେ ଅନଲାଇନ ଜରିଆରେ ମା'ଙ୍କ ସାନିଧ୍ୟ ଲାଭ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ