ନୂଆଦିଲ୍ଲୀ: ରାଜନୈତିକ ଦଳର ନେତାଙ୍କ ଆରୋପ ପ୍ରତ୍ୟାରୋପ ଓ ଟୀକାଟିପ୍ପଣୀ ମଧ୍ୟରେ ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ । ମତଦାନ ପରେ ପ୍ରାୟ ସମସ୍ତ ଗଣ ମାଧ୍ୟାମର ଏଗ୍ଜିଟ୍ ପୋଲରେ ଆମ ଆଦମୀ ପାର୍ଟିକୁ ବହୁମତ ମିଳିବାର ଅନୁମାନ କରାଯାଉଛି । ହେଲେ ତଥାପି ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମନରେ ରହିଛି ଡର । ଏହି ଡର ଆଉ କାହା ପାଇଁ ନୁହେଁ, ବରଂ ଇଭିଏମ ପାଇଁ ରହିଛି ।
ଦିଲ୍ଲୀ ନିର୍ବାଚନୀ ମୈଦାନରେ ଛିଡା ହୋଇଥିବା 672 ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ ମେସିନରେ ସିଲ ହୋଇ ରହିଛି । ଆଉ ଏହି ଇଭିଏମ ହ୍ୟାକ ହୋଇଯିବା ଭୟରେ ଦିଲ୍ଲୀର 30ଟି ଷ୍ଟ୍ରଙ୍ଗ୍ ରୁମ ଆଗରେ ନିଜର କର୍ମୀଙ୍କୁ ଜଗାଇ ଆମ ଆଦମି ପାର୍ଟି । ଏହି ଆପ କର୍ମୀମାନେ ଆସନ୍ତା ମଙ୍ଗଳବାର ମତଗଣନା ପର୍ଯ୍ୟନ୍ତ ଏଠାରେ ଜଗି ରହିବେ ।
ଦିଲ୍ଲୀରେ ମତଦାନ ସରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ, ମନିଷ ସିସୋଡିଆ ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉପସ୍ଥତ ରହିଥିଲେ । ଏହି ବୈଠକ ପରେ ଆପ କର୍ମୀ ଇଭିଏମ ଜଗିବେ ବୋଲି ସୂଚନା ଦେଇଛନ୍ତି ସଞ୍ଜୟ ସିଂହ
।