ବେଙ୍ଗାଲୁରୁ: ମଣିଷ ଜୀବନରେ ପରିବହନ ବା ଯାନବାହାନର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା। ପରିବହନ କ୍ଷେତ୍ରରେ ଅବିଶ୍ବସନୀୟ ବିକାଶ ଯୋଗୁଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ସହଜ ହୋଇ ହୋଇଛି। ଆଧୁନିକ ଯୁଗରେ ସଠିକ ପରିବହନ ପାଇଁ କାର ବ୍ୟବହାର ପାଲଟିଛି ଏକ ମୂଲ୍ୟବାନ ଧାରା। ଇଞ୍ଜିନ ଓ ଇନ୍ଧନ ସାହାଯ୍ୟରେ ଏହି କାର ହୋଇ ପାରିଛି ବ୍ୟବହାର ଉପଯୋଗୀ। କିନ୍ତୁ ଏଠି ଚିତ୍ର ଟିକିଏ ଅଲଗା... ଜଣେ 15ବର୍ଷର ବାଳକ ଉଦ୍ଭାବନ କରିଛନ୍ତି ବିନା ଇଞ୍ଜିନର କାର।
ଯଦି କାରରେ ଇଞ୍ଜିନ ନାହିଁ ତାହେଲେ ଚାଲୁଛି କେମିତି ? ଏହି ନିଆରା କାର ବିଷୟରେ ଜାଣିବାକୁ ଆଗ୍ରହୀଥିବା ଲୋକଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। କର୍ଣ୍ଣାଟକ ଦଶମ ଶ୍ରେଣୀର ଛାତ୍ର ଅଂଶ ରାଓ ଏହି କାରର ଆବିଷ୍କାରକ। ଅଂଶ ଲକଡାଉନ ସମୟର ଠିକ ଉପଯୋଗ କରି ସଫଳତା ପୂର୍ବକ ଏମିତି କାର ଆବିଷ୍କାର କରିଛନ୍ତି ଯାହା ଇଞ୍ଜିନ ବଦଳରେ ବ୍ୟାଟେରୀରେ ଚାଲୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଗୁଗଲ ଓ ୟୁଟ୍ୟବରୁ ଦେଖି ଏହି କାର ତିଆରି କରିଛନ୍ତି।
ପିଲାଟି ଦିନୁ ଅଂଶ ଏକ ନିଆରା କାର ତିଆରି କରିବାକୁ ମନସ୍ଥ କରିଥିଲେ। ପିତା ବିନାୟକ ରାଓଙ୍କୁ ମଧ୍ୟ ଏନେଇ ଅଂଶ ଜଣାଇଥିଲେ। ପ୍ରଥମରୁ ପୁଅର କାର ତିଆରି କରିବା ନେଇ ଆର୍ଥିକ ରୂପରେ ସହାୟତା କରିବାକୁ ମନା କରି ଦେଇଥିଲେ ବିନାୟକ। କିନ୍ତୁ ପରେ ପୁଅର ରୁଚି ଓ ବୁଦ୍ଧିମତାକୁ ଦେଖି କାର ଡିଜାଇନ ପାଇଁ ପ୍ରଥମେ 10 ହଜାର ଟଙ୍କା ଦେଇଥିଲେ। ଅଂଶ ରାଓ କାର ତିଆରି ପାଇଁ କାରଖାନାରୁ କଞ୍ଚା ମାଲ କିଣିବା ଆରମ୍ଭ କରିଥିଲେ।
ଏଭଳି ଏକ କାର ତିଆରି କରି ପାରିବା ନେଇ ଅଂଶଙ୍କ ବାପାଙ୍କର ବି କୌଣସି ଆଶା ନଥିଲା। କିନ୍ତୁ ଧିରେଧିରେ ଏଥିରେ ସମୟ ଦେଉଦେଉ କାର ତାର ଆକାର ନେବାକୁ ଆରମ୍ଭ କଲା। ବାସ୍ତବର ଏକ କାର ତଆରି କରିବା ସମ୍ଭବ ଏହା ଦେଖି ସେ ଚକିତ ହୋଇ ଯାଇଥିଲେ। ବର୍ତ୍ତମାନ ସେ ନିଜ ପୁଅକୁ ନେଇ ଗର୍ବ କରନ୍ତି।
ଅଂଶ ରାଓ ଗୁଗଲ ଓ ୟୁଟ୍ୟୁବରୁ କାର ତିଆରି ପ୍ରଣାଳୀ ଶିଖିବା ସହ ଏଥିପାଇଁ ଆବଶ୍ୟକ ଜିନିଷ ବି ସେ ବିଭିନ୍ନ କାରଖାନାରୁ କିଣିଥିଲେ। କାର ଡୋର, ଟାୟାର ଓ ଅନ୍ୟ ଆବଶ୍ୟକ ଜିନିଷ ବି ସେ କାରଖାନାରୁ ଏକତ୍ର କରିଥିଲେ। କାର ତିଆରି ପାଇଁ ସମସ୍ତ କଞ୍ଚା ମାଲ ଜୁଟାଇବା ପରେ ସେ ଏହାର ଢାଞ୍ଚା ନିର୍ମାଣ କରିଥିଲେ। ଏହି କାରରେ କୌଣସି ସାଇଡ ମିରର ବଦଳରେ ଲାଗିଛି କ୍ୟାମେରା। ସାଇଡ କ୍ୟାମେରା ସହ ଏଥିରେ ଫ୍ରଣ୍ଟ ଓ ବ୍ୟାକ କ୍ୟାମେରା ମଧ୍ୟ ଲାଗିଥିବା ବେଳେ ଏହା ଡିସପ୍ଲେ ରହିଛି ଷ୍ଟେରିଂ ପାଖରେ। କାରରେ କୌଣସି ଇଞ୍ଜିନ କିମ୍ବା ଗିୟର ନାହିଁ। କାରଣ ବ୍ୟାଟେରୀ ଚାଲୁଥିବା ଏହି କାର 4 ଘଣ୍ଟାରେ ପୂର୍ଣ୍ଣ ଚାର୍ଜ ହୋଇ 70 କିମି ପର୍ଯ୍ୟନ୍ତ ଯାଇପାରେ।
ବ୍ୟାଟେରୀ ଚାଳିତ ଏହି କାର ଯେକୌଣସି ରାସ୍ତାରେ ଚାଲି ପାରିବ। କାରକୁ ଆକର୍ଷକ କରିବା ପାଇଁ ଅଂଶ କାରକୁ ରଙ୍ଗ ଦେଇଛନ୍ତି। ଛାତ୍ରଙ୍କ ମୁତାବକ ଏହି କାରର ଆନୁମାନିକ ମୂଲ୍ୟ 1 ଲକ୍ଷ 20 ହଜାର ହେବ। ଆଉ ଦୁଇ ସପ୍ତାହ ମଧ୍ୟରେ ଏହି କାର ସମ୍ପୁର୍ଣ୍ଣ ରୂପେ ରାସ୍ତାରେ ଦୌଡ଼ିବାକୁ ପ୍ରସ୍ତୁତ ରହିବ। ସେ ଯାହା ବି ହେଉ, ଅଂଶ ରାଓଙ୍କ ପରିଶ୍ରମ ତାଙ୍କୁ ସଫଳତାର ଉଚିତ ମାର୍ଗକୁ ନେଇ ଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ