ଚଣ୍ଡିଗଡ଼: ହରିଆଣାରୁ 68ହଜାର ପ୍ରବାସୀ ଶ୍ରମିକଙ୍କୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ, ସେମାନଙ୍କୁ ଗତ ଚାରିଦିନ ମଧ୍ୟରେ ନିଜନିଜ ସ୍ଥାନକୁ ପଠାଯାଇଛି । ଏନେଇ ହରିଆଣା ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।
ରବିବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ହରିୟାଣା ସରକାର 5ହଜାର ବସ ଓ 100ଟି ସ୍ପେଶାଲ ଶ୍ରମିକ ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଇ ଦେଉଛନ୍ତି ।
ଗତ ବୁଧବାର ହରିଆଣାର ହିସାର ଷ୍ଟେସନରୁ ପ୍ରଥମ ଟ୍ରେନରେ 12ଶହ ପ୍ରବାସୀ ଶ୍ରମିକ ବିହାର ଅଭିମୁଖେ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଭିନ୍ନ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ପଠାଇବା ଘୋଷଣା କରିଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ପ୍ରାୟ 68ହଜାର ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ଟ୍ରେନ ଓ ବସ ମାଧ୍ୟମରେ ପଠାଇବାର ବ୍ୟବସ୍ଥା କରାଯାଇଛି।
ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ 1100ରୁ ଅଧିକ ବସ ପଠାଯାଇଛି ଯେଉଁଥିରେ 890ଟି ବସ ଉତ୍ତରପ୍ରଦେଶକୁ ଯାଇଛି, ସେହିପରି 152ଟି ବସ ରାଜସ୍ଥାନ, 44 ଟି ମଧ୍ୟପ୍ରଦେଶ, ନଅଟି ପଞ୍ଜାବ ଓ ଉତ୍ତରପ୍ରଦେଶ, ଦୁଇଟି ହିମାଚଳ ଅଭିମୁଖେ ପଠାଯାଇଛି ।
ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ରୟ ଗୃହରେ ରଖିବା ଓ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ରେଳଷ୍ଟେସନ ବସଷ୍ଟାଣ୍ଡକୁ ଆଣିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରେ 28ହଜାର ଉତ୍ତରପ୍ରଦେଶକୁ, 12ହଜାର ବିହାର, 9,550 ଉତ୍ତରାଖଣ୍ଡ ଓ 6,500 ମଧ୍ୟପ୍ରଦେଶକୁ ପଠାଯାଇଛି । ସେହିପରି 435 ଜଣ ଶ୍ରମିକଙ୍କୁ ରାଜସ୍ଥାନ, 221 ଜଣଙ୍କୁ ପଞ୍ଜାବ, 54ଜଣଙ୍କୁ ହିମାଚଳ ପ୍ରଦେଶ, 46ଜଣଙ୍କୁ କେରଳ, 32ଜଣଙ୍କୁ ଆସାମ, 39ଜଣଙ୍କୁ ମହାରାଷ୍ଟ୍ର, 27ଜଣଙ୍କୁ ଗୁଜୁରାଟ, 41ଜଣଙ୍କୁ ଜାମ୍ମୁ କାଶ୍ମୀର, 10ଜଣଙ୍କୁ ଦିଲ୍ଲୀ ଓ 18 ଜଣଙ୍କୁ ଆନ୍ଧ୍ରପ୍ରଦେଶ ପଠାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ପ୍ରକାଶ କରିଛନ୍ତି ।
@PTI