ଜୟପୁର: ଥମିବାର ନାଁ ଧରୁନି ରାଜସ୍ଥାନ ଶିଶୁ ମଡକ । କୋଟା ଜେକେଲୋନ ହସ୍ପିଟାଲରେ ଆହୁରି 3 ଶିଶୁଙ୍କର ଗଲା ପ୍ରାଣ । 116 ଛୁଇଁଲା ମୃତ୍ୟୁ ସଂଖ୍ୟା । ମୃତକଙ୍କ ଭିତରେ 2 ନବଜାତକ ଥିବାବେଳେ ଜଣେ ଦେଢ ମାସର ଶିଶୁ ରହିଛି ।
ନିମୋନିଆ ଯୋଗୁଁ ଦେଢ ମାସ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ 5 ଦିନ ହେବ ନବଜାତକଟି ଆଇସିୟୁରେ ଭର୍ତ୍ତି ହୋଇଥିଲା । ଶାରୀରିକ ବିକୃତି ହୋଇଥିବା ଯୋଗୁଁ ଶିଶୁଟିର ମୃତ୍ୟୁ ଘଟିଛି । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ମଧ୍ୟ ହସ୍ପିଟାଲ ଗସ୍ତରେ ଆସି ନୀରିକ୍ଷଣ କରୁଛନ୍ତି । ବର୍ତ୍ତମାନ ଏହାର ସମସ୍ତ ଦାୟିତ୍ବ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।
ଜେକେଲୋନ ହସ୍ପିଟାଲରେ ଶିଶୁ ମଡକ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରୟାସ କରିଛନ୍ତି । ହସ୍ପିଟାଲରେ କିଛି ଉପକରଣ ପରିବର୍ତ୍ତନ କରିବା ସହ ନୂତନ ଉପକରଣ ଆଣିଛନ୍ତି । କିନ୍ତୁ ଶିଶୁ ମୃତ୍ୟୁରେ ଲାଗୁନି ଲଗାମ । କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି।
40 ଦିନ ଭିତରେ ଏହି ହସ୍ପିଟାଲରେ ମୋଟ 116 ଜଣ ଶିଶୁଙ୍କର ମୃତ୍ୟୁ ଘଟିସାରିଲାଣି । ବର୍ଷ ଆରମ୍ଭରୁ 16 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ନବଜାତକଙ୍କୁ ବର୍ତ୍ତମାନ ମାଆ ସହ ୱାର୍ଡରେ ରଖାଯିବ । ଶିଶୁ ବିଶେଷଜ୍ଞ ରାଉଣ୍ଡରେ ଆସି ପ୍ରତିଦିନ ଶିଶୁର ଅବସ୍ଥା ଦେଖିପାରିବେ ।