ନୂଆଦିଲ୍ଲୀ: ଉତ୍ତର ଭାରତରେ ଏବେବି ଜାରି ରହିଛି ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡି । ହେଲେ ପୂର୍ବ ଦିନ ଅପେକ୍ଷା ଥଣ୍ଡାର ମାତ୍ରାରେ ଅଳ୍ପ ହ୍ରାସ ହୋଇଛି । ତେବେ ରବିବାର ମଧ୍ୟ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଘନ କୁହୁଡି ଛାଇ ରହିଛି । ଯେଉଁଥିପାଇଁ ବାୟୁର ଗୁଣବତ୍ତା ଅତ୍ୟଧିକ ଖରାପ ରହିଛି ।
ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ ଓ ବିହାରର କିଛି ସ୍ଥାନରେ ଘନ କୁହୁଡି ଛାଇ ରହିଛି । ସ୍କାଇମେଟ ମୁତାବିକ ଗତ 24 ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀର, ଲଦାଖ, ହିମାଚଳପ୍ରଦେଶର କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀର, ଲଦାଖ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡର ଉତ୍ତର ଭାଗରେ ବର୍ଷା ଓ ହିମପାତ ହେବାର ଆଶଙ୍କା କରାଯାଇଛି ।
ତେବେ ଅତ୍ୟଧିକ କୁହୁଡି ପାଇଁ ଦିଲ୍ଲୀ ଆସୁଥିବା 26ଟି ଟ୍ରେନ ବିଳମ୍ବରେ ଚାଲୁଛି । ଏହି ସବୁ ଟ୍ରେନ ଗୁଡିକ 2 ରୁ 5 ଘଣ୍ଟା ବିଳମ୍ବରେ ଚାଲୁଛି । ରେଳ ବିଭାଗର ସୂଚନାନୁସାରେ, କୁହୁଡି ଓ ଥଣ୍ଡା କାରଣରୁ ଟ୍ରେନ ଚଳାଚଳରେ କୌଣସି ସୁଧାର ଆସିବାର ସମ୍ଭାବନା ନାହିଁ ।
ସେହିପରି ରବିବାର ସକାଳୁ ରାଜଧାନୀ ଦିଲ୍ଲୀରେ ହାଲୁକା କୁହୁଡି ଦେଖାଯାଇଥିବାବେଳେ ଦୃଶ୍ୟତା 800 ମିଟର ରେକର୍ଡ କରାଯାଇଛି । ପାଣିପାଗ ବିଭାଗର କହିବା ମୁତାବିକ ରବିବାର ରାଜଧାନୀରେ ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦିନ ସାରା ସର୍ବୋଚ୍ଚ ତାପମାତ୍ରା 21 ଡିଗ୍ରୀ ସେଲସିୟସ ରହିବାର ଆଶଙ୍କା କରାଯାଉଛି ।
ଏୟାର କ୍ବାଲିଟି ଇଣ୍ଡେକ୍ସ ମୁତାବିକ ଲୋଧି ରୋଡ ଅଞ୍ଚଳରେ ସର୍ବାଧିକ ପ୍ରଦୂଷଣ ପିଏସ 2.5 ସ୍ଥର 264 ଓ ପିଏମ 10 ସ୍ତର 260 ରେକର୍ଡ କରାଯାଇଛି । ଯାହାର ଏକ୍ୟୁଆଇ ଖରାପ ସ୍ତରରେ ରହିଛି ।