ନୂଆଦିଲ୍ଲୀ: ସାରା ଭାରତରେ ତବଲିଗୀ ଜମାତର 22000 ଲୋକଙ୍କୁ ବିଭିନ୍ନ ରାଜ୍ୟରେ କ୍ବାରେଣ୍ଟାଇନ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ଗୃହବିଭାଗର ସଚିବ ପୁନ୍ୟ ସଳିଲ ଶ୍ରୀବାସ୍ତବ ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ତବଲିଗୀ ଜାମାତର ସହିତ ଜଡିତ ସଂଖ୍ୟକ ଲୋକଙ୍କର କ୍ବାରେଣ୍ଟାଇନରେ ନିଶ୍ଚିତ ଭାବରେ ସରକାର ଏବଂ ଅନ୍ୟାନ୍ୟ ଏଜେନ୍ସି ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ।
କୋରୋନା ଆକ୍ରାନ୍ତ ମୋଟ ମାମଲାର 30 ପ୍ରତିଶତ ନିଜାମୁଦ୍ଦିନ ମର୍କାଜ ସହିତ ଜଡିତ ରହିଛି । ତବଲିଗୀ ଜମାତ ଦ୍ବାରା ଭାରତର 17ଟି ରାଜ୍ୟ ପ୍ରଭାବିତ ହୋଇଛି ଯେଉଁଠାରୁ ଗତ କିଛି ଦିନ ମଧ୍ୟରେ 1023ଟି ପଜେଟିଭ ଆସିଛି । ଦେଶର ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, କର୍ଣ୍ଣାଟକ, ଆଣ୍ଡାମାନ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, କେରଳ, ଅରୁଣାଚଳ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଥିବା କେତେକ ଜିଲ୍ଲାରେ କୋରୋନା ପଜେଟିଭ ସଂଖ୍ୟା ବୃଦ୍ଧି ପାଇଛି ।
ସୂଚନା ଅନୁଯାୟୀ ଦେଶରେ 41-60 ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ପ୍ରାୟତଃ ପ୍ରଭାବିତ ହୋଇଛନ୍ତି ଅଧିକାଂଶ ରୋଗୀଙ୍କ ମଧ୍ୟରେ ପୂର୍ବ ରୋଗ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ରହିଛି । ଆଜି ପର୍ଯ୍ୟନ୍ତ, ଭାରତ 3200ରୁ ଅଧିକ କୋରୋନା ପଜେଟିଭ ରହିଥିଲାବେଳେ 183 ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି ଏବଂ 77 ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ