ଚଣ୍ଡିଗଡ: ପଞ୍ଜାବରେ ଇତିହାସର ପୁନଃରାବୃତ୍ତି । ପ୍ରଥମଥର ପାଇଁ ବିଜୟ ଧ୍ବଜା ଉଡ଼ାଇଛି ଆମ ଆଦମି ପାର୍ଟି । ଆଜିଠୁ ପଞ୍ଜାବରେ ଆପ୍ ସରକାର । କଂଗ୍ରେସ ଗଡ ଭାଙ୍ଗି ଆମ୍ ଆଦମି ପାର୍ଟି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ୪୮ ବର୍ଷୀୟ ଭଗୱନ୍ତ ମାନ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ପୈତୃକ ଗ୍ରାମ ଖଟକର କଲାଣରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି । ପୂର୍ବାହ୍ନ ୧୨ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ରାଜ୍ୟପାଳ କନୱରୀଲାଲ ପୁରୋହିତ ତାଙ୍କୁ ଶପଥ ପାଠ କରାଇଛନ୍ତି । ସମାରୋହରେ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ୪୦ ଏକର ଜମିର ଏକ ସ୍ଥାନରେ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ପେଣ୍ଡାଲରେ ୫୦ ହଜାରରୁ ଅଧିକ ଲୋକଙ୍କ ବସିବା ବ୍ୟବସ୍ଥା ହୋଇଛି । ଭଗତ ସିଂ ମେମୋରିଆଲରେ ତିନୋଟି ବଡ ବଡ ଷ୍ଟେଜ ତିଆରି ହୋଇଛି । ମୁଖ୍ୟ ଷ୍ଟେଜରେ ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ । ଦ୍ବିତୀୟ ଷ୍ଟେଜରେ ନବନିର୍ବାଚିତ ବିଧାୟକ ଏବଂ ତୃତୀୟ ଷ୍ଟେଜରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଦଳର ନେତାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି । ମାନଙ୍କ ଶପଥ ଗ୍ରହଣ କାର୍ଯ୍ୟରେ ହେଲିପ୍ୟାଡ ଏବଂ ୨୫ ହଜାର ଗାଡି ପାର୍କିଂର ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମରେ ଯେପରି କୌଣସି ସମସ୍ୟା ନ ଉପୁଜେ ସେ ନେଇ ପଞ୍ଜାବ ପୋଲିସ ଓ ୧୦ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି ।
ଶପଥଗ୍ରହଣ ଉତ୍ସବରେ ଭଗୱନ୍ତ କହିଛନ୍ତି ଯେ, ମୁଁ ଏଠାରେ ଶପଥ ନେବାର ଏକ କାରଣ ରହିଛି । ଯେଉଁମାନେ ଏହି ରାଷ୍ଟ୍ରକୁ ଆମକୁ ଦେଇଛନ୍ତି ସେମାନଙ୍କୁ ଆମେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି । ଭଲ ପାଇବା ସମସ୍ତଙ୍କ ଜନ୍ମଗତ ଅଧିକାର । ଏଥର ବତନକୁ ଭଲ ପାଇବା ବୋଲି ଶପଥ ଗ୍ରହଣ କରି କହିଛନ୍ତି ଭଗୱନ୍ତ । ୧୯୭୦ ଠାରୁ ପଞ୍ଜାବରେ ଜଣେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାନ ।
କମେଡିଆନରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମାନଙ୍କ ଯାତ୍ରା ସହଜ ନଥିଲା । ଦିନ ଥିଲା ଲୋକେ ତାଙ୍କ ମୁହଁ ଦେଖି ହସୁଥିଲେ । ସେ ଲୋକଙ୍କୁ ହସାଉଥିଲେ । କିନ୍ତୁ ସେ ରାଜନୀତିରେ ଯୋଗ ଦେବା ପରେ ଲୋକେ ତାଙ୍କୁ ଦେଖି ଦୁଃଖ ଜଣାଇଥିଲେ । ପଞ୍ଜାବର ସଙ୍ଗରୁର୍ ଲୋକସଭା ଆସନରୁ ୨ ଥର ସାଂସଦ ହୋଇଥିବା ଭଗୱନ୍ତ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ୨୦୧୪ରେ ଆପରେ ମିଶିଥିଲେ । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନରେ ଆପ ୯୨ଟିରେ ବିଜୟ ଲାଭ କରିଛି । ଧୁରି ବିଧାନସଭା ଆସନ୍ରୁ ଲଢ଼ିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ପ୍ରତିଦ୍ବନ୍ଦୀ ଦଲଭିର୍ ସିଂଙ୍କୁ ୫୮,୨୦୬ ଭୋଟ୍ରେ ପରାସ୍ତ କରିଛନ୍ତି ।