ଏଥରର ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ, ଖୁବଶୀଘ୍ର ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି । ଜାତୀୟକରଣର ୫ ଦଶକ ପରେ ବ୍ୟାଙ୍କିଂ ପରିଚାଳନା କ୍ଷେତ୍ରରେ ଦେଶ ନୂଆ ପଥରେ ଅଗ୍ରସର ହେଉଛି ବୋଲି ନିର୍ମଳାଙ୍କ ଘୋଷଣା ପରେ ଚର୍ଚ୍ଚା ଜୋର୍ ଧରିଲା ।
ତେବେ ଘରୋଇକରଣ ହେବାକୁ ଥିବା ପ୍ରସ୍ତାବିତ ବ୍ୟାଙ୍କ ଗୁଡିକର ତାଲିକା ସଂପର୍କିତ ରିପୋର୍ଟକୁ ମିଥ୍ୟା ବୋଲି କହି ନିନ୍ଦା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଅନ୍ୟପଟେ କିନ୍ତୁ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ଦୁଇଟି ଆଇନ ଯେମିତି ହେଲେ ଏବର୍ଷ ସଂଶୋଧନ କରିବାକୁ ସରକାର ଚେଷ୍ଟା ଚଳାଇଥିବା ସ୍ପଷ୍ଟ ସଂଙ୍କେତ ମିଳିଛି । ନନ୍-ପରଫର୍ମିଙ୍ଗ୍ ଆସେଟ୍ ବା ଅଣ-ନିଷ୍ପାଦିତ ସଂପତ୍ତି (ଏନପିଏ ) ବଢିବାରେ ଲାଗିଛି ।
ଏଦୃଷ୍ଟିରୁ ଏନପିଏ ପ୍ରଭାବିତ ବ୍ୟାଙ୍କଗୁଡିକୁ ପୁଂଜି ଯୋଗାଣ ପରିବର୍ତ୍ତେ ତାହା ଲୋକଙ୍କ ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିବା ଭଲ ବୋଲି କେନ୍ଦ୍ରମନ୍ତ୍ରୀମାନେ ଯୁକ୍ତି ଉପସ୍ଥାପନ କରିଆସୁଛନ୍ତି । ଏହି ଯୁକ୍ତିରୁ ହିଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି ।
ତେବେ ୟେସ ବ୍ୟାଙ୍କ, ଲକ୍ଷ୍ମୀବିଳାସ ବ୍ୟାଙ୍କ ଭଳି ଅନ୍ୟ କିଛି ବ୍ୟାଙ୍କର ଦେବାଳିଆ ସ୍ଥିତି ଯୋଗୁଁ ପତ୍ତନ ସୂଚାଇ ଦେଇଛି ଯେ, ଘରୋଇ ବ୍ୟାଙ୍କଗୁଡିକ ମଧ୍ୟ ଏନପିଏ ସମସ୍ୟାରୁ ମୁକ୍ତ ନୁହଁନ୍ତି । ସରକାରୀ ପରିସଂଖ୍ୟନ ଅନୁସାରେ, ଆଇଡିବିଆଇ ସମେତ ୧୯ଟି ଘରୋଇ ବ୍ୟାଙ୍କରେ ଜମା ହୋଇପଡିଥିବା ଏନପିଏର ପରିମାଣ ୨ ଲକ୍ଷ କୋଟି ଟଙ୍କା ହେବ ।
ଘରୋଇ ବ୍ୟାଙ୍କଗୁଡିକର ମଧ୍ୟ ଏନପିଏ ସମସ୍ୟା ରହିଥିବାରୁ ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀଙ୍କ ସଂଘ-ଏଆଇବିଇଏ ଉଦବେଗ ପ୍ରକାଶ କରିଛି । ବ୍ୟାଙ୍କଗୁଡିକର ଘରୋଇକରଣ ପରିବର୍ତ୍ତେ ପ୍ରମୁଖ ଖିଲାପକାରୀଙ୍କ ଠାରୁ ଋଣ ଆଦାୟ କରିବା ଉପରେ ସରକାର ଗୁରୁତ୍ବ ଦେବା ଦରକାର ବୋଲି ଏଆଇବିଇଏ କହିଛି । ଗତ 4 ବର୍ଷ ମଧ୍ୟରେ ଅପ୍ରାପ୍ୟ ଋଣ ବା ବେଡ୍ ଡେବ୍ଟ ଘୋଷିତ ହୋଇଥିବା ୨ ଦଶମିକ ୩୩ ଲକ୍ଷ କୋଟି ଟଙ୍କା ଉଦ୍ଧାର କରିବାରେ ଅର୍ଥ ମନ୍ତ୍ରାଳୟ ସଫଳ ହୋଇଛି ବୋଲି ସଂସଦରେ କିଛି ଦିନ ତଳେ ଘୋଷଣା କରାଯାଇଥିଲା ।
ଏଥିରୁ ସ୍ପଷ୍ଟ ଯେ, ବେଡ୍ ଡେବ୍ଟ ବି ଉଦ୍ଧାର କରାଯାଇପାରିବ । ନନ୍ -ପରଫର୍ମିଙ୍ଗ ଆସେଟ୍ ବା ଏନପିଏର ପ୍ରଭାବୀ ପରିଚାଳନା ପାଇଁ ମାଲେସିଆର ଧନ ହର୍ତା ଭଳି ବ୍ୟାଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରତିଷ୍ଠା ପାଇଁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଡି. ସୁବା ରାଓ ପ୍ରସ୍ତାବ ଦେଇଥିଲେ । ସୁପରିଚାଳନା ପାଇଁ ସବୁ ନନ୍ -ପରଫର୍ମିଙ୍ଗ ଆସେଟ୍ ଏକ ସ୍ବତନ୍ତ୍ର ସଂସ୍ଥାକୁ ସ୍ଥାନାନ୍ତର କରିବା ଜରୁରୀ ।
କିନ୍ତୁ ନନ୍-ପରଫର୍ମିଂ ଆସେଟ ସୃଷ୍ଟି ହେଉଥିବା ପରିସ୍ଥିତିରେ ବି ସୁଧାର ଆଣିବା ଜରୁରୀ ହୋଇପଡିଛି । ଋଣ ଖିଲାପୀ ନିୟନ୍ତ୍ରଣ ପାଇଁ ଆରବିଆଇ ଖିଲାପକାରୀଙ୍କ ଫଟୋ ପ୍ରକାଶ କରିବାକୁ ଆହ୍ବାନ ଦେଇଛି । କିନ୍ତୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପ୍ରାୟତଃ ପାଳନ ହୁଏନାହିଁ ।ଋଣ ଶୁଝିବାର କ୍ଷମତା ନ ଥିବା ଲୋକଙ୍କୁ ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରୁଛନ୍ତି । ବ୍ୟାଙ୍କ ଭିତରର କିଛି ବିଶ୍ବାସଘାତକମାନଙ୍କ ଯୋଗୁଁ ଅନେକ ସମୟରେ ଆର୍ଥିକ ଅପରାଧୀଙ୍କୁ ଋଣ ମିଳିଥାଏ ।
ଏହାଛଡା ଋଣ ଆଦାୟ କ୍ଷେତ୍ରରେ ଉଦାସୀନତା ଯୋଗୁଁ ମଧ୍ୟ ଆମଦେଶରେ ବ୍ୟାଙ୍କ ସଂଙ୍କଟ ସୃଷ୍ଟି ହେବାର ପ୍ରମୁଖ କାରଣ । ବ୍ୟାଙ୍କ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ହିଁ ଦେଶରେ ପ୍ରତି 4 ଘଣ୍ଟାରେ ଥରେ ବ୍ୟାଙ୍କ ଠକେଇ ହୋଇଥାଏ ବୋଲି ଆରବିଆଇ ଦର୍ଶାଇଛି । କିନ୍ତୁ ଏହି ସ୍ଥିତି ସୁଧାରିବାକୁ କିଛି ପଦକ୍ଷେପ ନିଆଯାଇନାହିଁ ।
ବ୍ୟବସ୍ଥାପିକା ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ଭାବେ ଋଣ ପ୍ରଦାନ ଗାଇଡଲାଇନର ସମୀକ୍ଷା କରିବା ଦରକାର ବୋଲି ନିକଟରେ ମତବ୍ୟକ୍ତ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ହାଇକୋର୍ଟଙ୍କ ପ୍ରସ୍ତାବ ଯଥାର୍ଥ ମନେ ହୁଏ । ଦେଢ ବର୍ଷ ପୂର୍ବେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିଯୋଗୁଁ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସଂଖ୍ୟା ୨୭ରୁ ୧୨କୁ ହ୍ରାସ ପାଇଛି ।
ଲୋକଙ୍କ ଟଙ୍କା ଏସବୁ ବ୍ୟାଙ୍କରେ ସୁରକ୍ଷିତ ରହେ । ଲୋକେ ଏସବୁ ବ୍ୟାଙ୍କ ଉପରେ ଭରସା କରନ୍ତି । ତେଣୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବାବଦରେ କୌଣସି ନିଷ୍ପତ୍ତି ସରକାର ବେଶ ଭାବିଚିନ୍ତି ନେବା ଦରକାର । ଦେଶର ଅର୍ଥନୀତି ପାଇଁ ବ୍ୟାଙ୍କିଂ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସେକ୍ଟର । ତେଣୁ ବ୍ୟାଙ୍କଗୁଡିକର ସ୍ଥିତି ଭଲ ରହିବା ପାଇଁ ସରକାର ସର୍ବଦା ଚେଷ୍ଟା କରିବା ଦରକାର ।