ପାଟନା: "ଆସନ୍ତା ୨ ଦିନ ମଧ୍ୟରେ ମୋ ମାଆଙ୍କର ମୃତ୍ୟୁ ଘଟିବ । ଏଥିଲାଗି ମୋତେ ଛୁଟି ଆବଶ୍ୟକ ।" ଏମିତି କିଛି ଲେଖି ପ୍ରଧାନ ଶିକ୍ଷକଙ୍କୁ ଛୁଟି ମାଗିଛନ୍ତି ଶିକ୍ଷକ (Banka School Teacher Leave Application) । ବିହାର ବାଙ୍କା ଜିଲ୍ଲାରୁ ଏହି ଘଟଣା ସାମନାକୁ ଆସିଛି । ଯାହାକୁ ଶୁଣିବା ମାତ୍ରେ ଲୋକଟିଏ ଆଶ୍ଚର୍ଯ୍ୟ ହୋଇଯାଉଛି । ଏଭଳି ଗୋଟିଏ ନୁହେଁ, ଅନେକ ଛୁଟି ଆବେଦନ ପତ୍ର ଭାଇରାଲ ହେବାରେ ଲାଗିଛି ।

ବାଙ୍କାରେ ଶିକ୍ଷକଙ୍କ ଅଜବ ଆବେଦନ ପତ୍ର:-
ବାଙ୍କା ଜିଲ୍ଲାର ଧୋରେୟା ଥାନା ଅଞ୍ଚଳର କଚହରୀ ପିପରା ଗ୍ରାମର ଅଜୟ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ପତ୍ର ଭାଇରାଲ ହେଉଛି । ଏଥିରେ ଲେଖାଯାଇଛି ଯେ, "ମହୋଦୟ, ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ..ବିନମ୍ର ଅନୁରୋଧ ଏହିକି ଯେ ଆସନ୍ତା ଡିସେମ୍ବର ୫ ତାରିଖ ରାତି ୮ଟା ବେଳେ ମୋ ମାଆଙ୍କର ମୃତ୍ୟୁ ଘଟିବ । ତାଙ୍କର ଅନ୍ତିମ ସଂସ୍କାର ଲାଗି ଡିସେମ୍ବର ୬ ତାରିଖ ଓ ୭ ତାରିଖ ବିଦ୍ୟାଳୟରେ ଅନୁପସ୍ଥିତ ରହିବି । ଏଥିଲାଗି ଆପଣଙ୍କୁ ଅନୁରୋଧ କି ମୋର ଛୁଟି ମଞ୍ଜୁର କରନ୍ତୁ ।"

ଏହା ବି ପଢନ୍ତୁ- ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଆଜମ ଖାନଙ୍କ ବିରୋଧରେ ଆଉ ଏକ ମାମଲା
'୪ଦିନ ପରେ ରୋଗାଗ୍ରସ୍ତ ହେବି, ୨ଦିନ ଛୁଟି ଆବଶ୍ୟକ'

ସେହିପରି ବାରାହାଟ ଖଡିୟାରା ଉର୍ଦ୍ଦୁ ବିଦ୍ୟାଳୟର ଶିକ୍ଷକ ରାଜ ଗୌରବଙ୍କ ଛୁଟି ଆବେଦନ ପତ୍ର ମଧ୍ୟ ଭାଇରାଲ ହେଉଛି । ଏଥିରେ ସେ ଲେଖିଛନ୍ତି ଯେ ଆସନ୍ତା ଡିସେମ୍ବର ୪ ତାରିଖ ଓ ୫ ତାରିଖ ସେ ରୋଗାଗ୍ରସ୍ତ ହେବେ । ଏଥିଲାଗି ସେ ବିଦ୍ୟାଳୟ ଆସିପାରିବେ ନାହିଁ । ଏଣୁ ତାଙ୍କୁ ଛୁଟିର ଆବଶ୍ୟକ । ଶିକ୍ଷକ ଜଣକ ଡିସେମ୍ବର ୧ ତାରିଖରେ ଏହି ଆବେଦନ ପତ୍ର ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ସେହିପରି ଆଉ କେହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଛୁଟି ମାଗିଛନ୍ତି ଯେ ଆଉ କେହି ଲେଖିଛନ୍ତି ଆଗାମୀ ଦିନରେ ମୋର ପେଟ ଖରାପ ହେବ ସେଥିଲାଗି ଛୁଟିର ଆବଶ୍ୟକ ରହିଛି ।
ଏପରି ଆବେଦନ ପତ୍ରର ଉଦ୍ଦେଶ୍ୟ:-
ଭାଗଲପୁର ଆୟୁକ୍ତ ଦୟାନିଧାନ ପାଣ୍ଡେଙ୍କ ଆଦେଶ ପରେ ଏପରି ଅଜବ ଆବେଦନ ପତ୍ର ସାମନାକୁ ଆସିଛି । ସେ କହିଥିଲେ ଯେ ଆକସ୍ମିକ ଛୁଟି ନେବା ଲାଗି ପ୍ରଥମେ ଏହାର ସ୍ବୀକୃତି ନେବା ଆବଶ୍ୟକ । ଗତ ୩ ଦିନ ପୂର୍ବରୁ ତଥା ନଭେମ୍ବର ୨୯ ତାରିଖରେ ଏଭଳି ଆଦେଶ ଜାରି ହୋଇଥିଲା । ଏହାପରେ ଭାଗଲପୁର ଡିଇଓ ଏବଂ ବାଙ୍କା ଡିଇଓ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାପରେ ପ୍ରଶାସନିକ ଆଦେଶ ଓ ଶିକ୍ଷକଙ୍କ ଛୁଟି ଆବେଦନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ନିର୍ଦ୍ଦେଶନାମା ପଛର କାହାଣୀ:-
ମିଳିଥିବା ସୂଚନା ଅନୁସାରେ ଏଭଳି ନିର୍ଦ୍ଦେଶନାମା ପଛରେ ମଧ୍ୟ ଏକ କାହାଣୀ ରହିଛି । ଗତ କିଛି ଦିନ ତଳେ ସ୍କୁଲ ନିରୀକ୍ଷଣ କରାଯାଇଥିଲା । ଏହି ସମୟରେ ସ୍କୁଲରେ ଗୋଟିଏ ଦିନରେ ଏକାଧିକ ଶିକ୍ଷକ ଛୁଟିରେ ରହିଥିଲେ । ଯାହାଦ୍ବାରା ପିଲାଙ୍କ ଶିକ୍ଷାଦାନରେ ବାଧା ଉପୁଜିଥିଲା । ଏଥିଲାଗି ଅଧିକ ସଂଖ୍ୟକ ଶିକ୍ଷକ ଯେପରି ଗୋଟିଏ ସମୟରେ ଛୁଟି ନ ନେଇପାରିବେ ସେଥିଲାଗି ଏପରି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଭଳି ନିର୍ଦ୍ଦେଶନାମାକୁ ବିରୋଧ କରି ପ୍ରଧାନ ଶିକ୍ଷକଙ୍କ ନିକଟରୁ ଅଜବ ଛୁଟି ଆବେଦନ ପତ୍ର ଲେଖିଥିଲେ ଶିକ୍ଷକ ଗୋଷ୍ଠୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ