ନୂଆଦିଲ୍ଲୀ: ଫୋନ ଟ୍ୟାପିଂ ବିବାଦ ଉପରେ ଲୋକସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ । ଫୋନ ଟ୍ୟାପିଂରୁ ଜାସୁସିର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଅଶ୍ବିନୀ ।
ଡାଟା ଲିକ୍ର ଜାସୁସି ସହ କୌଣସି ସମ୍ପର୍କ ନାହିଁ । ଡାଟାରୁ ସର୍ଭିଲାନ୍ସ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ ।
ଫୋନ ଟ୍ୟାପିଂକୁ ନେଇ ସରକାରଙ୍କ ପ୍ରୋଟୋକଲ ଅତ୍ୟନ୍ତ କଠୋର । ଡାଟାରୁ ସର୍ଭିଲାନ୍ସ ପ୍ରମାଣିତ ହୁଏନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଯେଉଁ ରିପୋର୍ଟ ଦିଆଯାଇଛି, ଏହାର ତଥ୍ୟପରେ କୌଣସି ସ୍ପଷ୍ଟତା ନାହିଁ ।
ଫୋନ ଟ୍ୟାପିଂ ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ନେତାମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିଆରେ ଦାବି ହେଉଛି ।
ଦାବି ଅନୁଯାୟୀ, ୪୦ରୁ ଅଧିକ ସାମ୍ବାଦିକଙ୍କ ଫୋନ ହ୍ୟାକ ହୋଇଛି । ଅନ୍ତରାଷ୍ଟ୍ରୀୟ ମିଡିଆର ୧୭ଟି ନ୍ୟୁଜ ୱେବସାଇଟରେ 'ଦ ପେଗାସସ ପ୍ରୋଜେକ୍ଟ' ନାଁରେ ରିପୋର୍ଟ ପ୍ରକାଶିତ ହୋଇଛି । ଏଥିରେ କେବଳ ଭାରତ ନୁହେଁ, ବିଶ୍ବର ହଜାର ହଜାର ଲୋକଙ୍କ ଫୋନ ହ୍ୟାକ ହୋଇଥିବା ଉପରେ ରିପୋର୍ଟ ଲେଖାଯାଇଛି ।
ଅନ୍ତରାଷ୍ଟ୍ରୀୟ ମିଡିଆର ରିପୋର୍ଟ ପରେ ରାଜନୈତିକ ପାରଦ ଉପରମୁହାଁ ରହିଛି । ବିରୋଧୀଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଷୟ ଉପରେ ଚର୍ଚ୍ଚାର ଦାବି କରିଛନ୍ତି ।