ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ ପତ୍ନୀ ଅମୃତା ଫଡନାବିସ୍ଙ୍କୁ ଲାଞ୍ଚ ଅଫର ଓ ଧମକ ଦେବା ଘଟଣା । ମାଲବାର ହିଲ୍ ଥାନାରେ ଅଭିଯୋଗ ପରେ ଡିଜାଇର ଅନିକ୍ଷା ଜୟସିଂଘାନିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଉଲ୍ଲାସନଗର ସହରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ନିଜ ବାପାଙ୍କ ନାଁରେ ଥିବା ଅପରାଧିକ ମାମଲାର ରଫାଦଫା କରିବା ପାଇଁ ସେ ଅମୃତାଙ୍କୁ ଲାଞ୍ଚ ଅଫର କରିଥିବା ଅଭିଯୋଗ ହୋଇଥିଲା ।
ଅନିକ୍ଷା ଜଣେ ପୋଷାକ, ଜୋତା ଓ ଅଳଙ୍କାର ଡିଜାଇନର ଅଟନ୍ତି । କ୍ରିକେଟ ବେଟିଂ ଘଟଣାରେ ଡିଜାଇନରଙ୍କ ବାପା ଅନିଲ ଜୟସିଂଘାନି ବିରୁଦ୍ଧରେ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ପୋଲିସ ରେକର୍ଡରେ ୮ ବର୍ଷ ଧରି ଅନିଲ ଫେରାର୍ ଅଛନ୍ତି । ଏପଟେ ଅନିକ୍ଷା ନିଜ ଭାଇ ସହ ଉଲ୍ଲାସନଗରରେ ରହୁଥିଲେ । ୨୦୨୧ ମସିହାରେ ସେ ଅମୃତାଙ୍କ ସହ ସମ୍ପର୍କରେ ଆସିଥିଲେ । ଅନିକ୍ଷା ନିଜକୁ ଡିଜାଇନର ଭାବେ ପରିଚିତ କରାଇଥିଲେ ।
ଏହା ମଧ୍ୟ ପଢନ୍ତୁ: Reservation In CISF: ପୂର୍ବ ଅଗ୍ନିବୀରଙ୍କ ପାଇଁ CISFରେ ସୁଯୋଗ, 10% ସଂରକ୍ଷଣ ଘୋଷଣା
ଏହାପରେ ଅନିକ୍ଷା ନିଜ ବାପାଙ୍କ ନାଁରେ ଥିବା ସବୁ ମାମଲା ରଫାଦଫା କରିବା ପାଇଁ ଅମୃତା ଫଡନାବିସ୍ଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ । ସ୍ବାମୀ ଦେବେନ୍ଦ୍ର ଫଡନାବିସ୍ଙ୍କୁ କହି ମାମଲା ଚାପି ଦେବାକୁ ସେ ପ୍ରାୟ ୧ କୋଟି ଟଙ୍କା ଅଫର କରିଥିଲେ । କିନ୍ତୁ ଅମୃତା ତାଙ୍କ ଅଫରକୁ ପ୍ରତ୍ୟାଖାନ କରିବା ସହ ନମ୍ବର ବ୍ଲକ କରିଦେଇଥିଲେ । ଏଥିରେ ରାଗିଯାଇ ଅନିକ୍ଷା ଅମୃତାଙ୍କ ନିକଟକୁ ଅଜଣା ନମ୍ବରରୁ ଭିଡିଓ କ୍ଲିପ୍, ଭଏସ୍ ନୋଟ ଏବଂ ମେସେଜ ପଠାଇଥିଲେ । ଏହାସହିତ ତାଙ୍କ ଚାକରାଣିଙ୍କୁ କୋଟିଏ ଟଙ୍କା ଲାଞ୍ଚ ଦେଇ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଏହି ଭିଡିଓକୁ ସେ ଅମୃତାଙ୍କୁ ପଠାଇ ବ୍ଲାକମେଲିଂ କରିଥିଲେ ।
ଏନେଇ ଗତ ଫେବୃୟାରୀ ୨୦ରେ ଅମୃତା ଫଡନାବିସ୍ ମୁମ୍ବାଇ ମାଲବାର ହିଲ୍ ପୋଲିସ ଷ୍ଟେସନରେ ଅନିକ୍ଷା ଏବଂ ତାଙ୍କର ପଳାତକ ବାପାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ ଛାନଭିନ୍ କରିବା ପରେ ଗତକାଲି ସକାଳେ ଅନିକ୍ଷାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଛି । ତାଙ୍କର ଭାଇକୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଆଜି ଡିଜାଇନରଙ୍କୁ କୋର୍ଟରେ ହାଜର କରାଯିବ ।
ଇଟିଭି ଭାରତ, ମୁମ୍ବାଇ