ୱାଶିଂଟନ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ମାଟିରେ କଂଗ୍ରେସର ବିଜୟ ଫର୍ମୁଲା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଉ ୩ରୁ ୪ଟି ବିଧାନସବା ନିର୍ବାଚନରେ ବିଜେପିର ମୂଳପୋଛ ହେବ ବୋଲି ସେ କହିଛନ୍ତି । ସତ୍ତାଧାରୀ ଦଳକୁ ହରାଇବା ଲାଗି କଂଗ୍ରେସ ନିକଟରେ ଯଥେଷ୍ଟ ପ୍ରସଙ୍ଗ ରହିଛି ଏବଂ ଭାରତବାସୀ ମଧ୍ୟ ଏହି ଦଳକୁ ଆଉ ସମର୍ଥନ କରୁନଥିବା କହିଛନ୍ତି ରାହୁଲ । ଆମେରିକାର ୩ଟି ସହର ଗସ୍ତରେ ଥିବା ରାହୁଲ ଗତକାଲି (ଗୁରୁବାର) ୱାଶିଂଟନରେ ଆୟୋଜିତ ନ୍ୟାସନାଲ ପ୍ରେସ କ୍ଲବର ସାମ୍ବାଦିକ ସମ୍ମିଳନୀରେ ଏହି ମନ୍ତବ୍ୟ ଦେଇଛନ୍ତି ।
ବିଜେପିକୁ ଶାସନ କ୍ଷମତାରୁ ହଟାଇବା ସମ୍ପର୍କରେ ଆଲୋଚନା କରି ରାହୁଲ କହିଥିଲେ, "ଲୋକଙ୍କୁ ଏପରି ଲାଗୁଛି ଯେ ବିଜେପି ଓ ଆରଏସଏସର ଶକ୍ତିକୁ କେହି ରୋକିପାରିବେ ନାହିଁ । ହେଲେ ଏହା ସତ୍ୟ ନୁହେଁ । କଂଗ୍ରେସକୁ ତୃଣମୂଳ ସ୍ତରରୁ ସମର୍ଥନ ରହିଛି । ମୁଁ ଏଠାରେ ଭବିଷ୍ୟବାଣୀ କରୁଛି ଯେ କଂଗ୍ରେସ ଆଗାମୀ ନିର୍ବାଚନରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବ । ଯାହାକି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରାଇବ । ବିରୋଧୀ ମହାମେଣ୍ଟ ବିଜେପିକୁ କ୍ଷମତାଚ୍ୟୁତ କରିବ । ଆଉ ୩ରୁ ୪ ବିଧାନସଭା ନିର୍ବଚାନରେ ବିଜେପିର ମୂଳପୋଛ ହେବ । କଂଗ୍ରେସ କର୍ଣ୍ଣାଟକ ବିଜୟକୁ ଦୋହରାଇବ ।"
ଏହା ବି ପଢନ୍ତୁ- Love Jihad: ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଲା ନାବାଳକ, ଜୀବନ ହାରିଲେ ନାବାଳିକା
ଗତ ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିଛି । ଯାହାଦ୍ବାରା ଏକମାତ୍ର ଦେଶର ଦକ୍ଷିଣାଞ୍ଚଳ ରାଜ୍ୟ କର୍ଣ୍ଣାଟକରୁ କ୍ଷମତାଚ୍ୟୁତ ହୋଇଥିଲା ବିଜେପି । ଏହା ବିଜେପିର ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ଉପରେ ରାଜ୍ କରିବାର ସ୍ବପ୍ନକୁ ମଧ୍ୟ ଧୂଳିସାତ କରିଥିଲା । ଏହି ବିଜୟରୁ କଂଗ୍ରେସ ବଳ ଗୋଟାଇଛି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଅନ୍ୟ ରାଜ୍ୟଗୁଡ଼ିକରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ବିଜେପିକୁ ମାତ୍ ଦେବାରେ କଂଗ୍ରେସ ସଫଳ ହେବ ବୋଲି କହିଛନ୍ତି ରାହୁଲ । ଚଳିତ ବର୍ଷ ଶେଷସୁଦ୍ଧା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଫଳାଫଳ ସମସ୍ତ ରାଜନୈତିକ ଦଳ ପ୍ରତି ଗୁରୁତ୍ବପୂର୍ଣ୍ଣ ।
କହିବାକୁ ଗଲେ ଏହା ଏକପ୍ରକାର ୨୦୨୪ ସାଧାରଣ ନିର୍ବାଚନର ଫଳାଫଳକୁ ମଧ୍ୟ ସ୍ପଷ୍ଟ କରିବ । ଏଣୁ ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ ବିଜୟ ହାସଲ କରିବାକୁ ନେଇ ଲକ୍ଷ୍ୟ ରଖିଛି । ରାହୁଲ ଆହୁରି କହିଛନ୍ତି, "ଗଣତାନ୍ତ୍ରିକ ଢାଞ୍ଚାର ପୁନଃନିର୍ମାଣ ସହଜ ନୁହେଁ । ଏହା କଷ୍ଟସାଧ୍ୟ ହେବ । କିଛି ସମୟ ଲାଗିବ । ହେଲେ ଆମେ ଆଶ୍ବସ୍ତ ରହିଛୁ ଯେ ବିଜେପିକୁ କ୍ଷମତାଚ୍ୟୁତ କରିବା ଉପରେ କଂଗ୍ରେସ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ମୋଦିଙ୍କୁ ହଟାଇବା ମୁସ୍କିଲ ବୋଲି କୁହାଯାଉଛି । ହେଲେ ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ଦୁର୍ବଳ ।"