ଚେନ୍ନାଇ: AIADMK-BJP ମେଣ୍ଟରେ ନୂଆ ମୋଡ଼ । ଏବେ ଭାରତୀୟ ଜନତା ପାର୍ଟି ସହିତ କୌଣସି ମେଣ୍ଟ ନାହିଁ । ନିର୍ବାଚନ ଆସିଲେ ମେଣ୍ଟ ପ୍ରସଙ୍ଗ ବିଚାର କରାଯାଇପାରେ ବୋଲି ଆଜି AIADMK ପକ୍ଷରୁ ସ୍ପଷ୍ଟ କରାଯାଇଛି । AIADMK ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜିଆରଙ୍କ ରାଜନୈତିକ ମାର୍ଗଦର୍ଶକ ସି.ଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ରାଜ୍ୟ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଏହି ମନ୍ତବ୍ୟ ପ୍ରସଙ୍ଗରେ AIADM ମଧ୍ୟ ବିଜେପି ରାଜ୍ୟ ମୁଖ୍ୟ ଆନ୍ନାମଲାଇଙ୍କୁ ଟାର୍ଗେଟ କରିବା ସହ ସମାଲୋଚନା କରିଥିଲା । ଆଜି ଉଭୟ ଦଳମଧ୍ୟରେ କୌଣସି ମେଣ୍ଟ ନାହିଁ ବୋଲି AIADMK ପକ୍ଷରୁ ସ୍ପଷ୍ଟ କରାଯାଇଛି ।
AIADMର ବରିଷ୍ଠ ନେତା ଜୟକୁମାର ଆଜି ଏହି ଘୋଷଣା କରିବା ସହ କହିଛନ୍ତି, ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ହେବା ପାଇଁ ଆନ୍ନାମଲାଇଙ୍କର ଯୋଗ୍ୟତା ନାହିଁ । ସେ ନିଜର ଛବି ସୃଷ୍ଟି କରିବା ପାଇଁ ଆନ୍ନାଦୁରାଇଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେଇଛନ୍ତି । ସେ AIADMK ର ତମାମ ଦିବଙ୍ଗତ ବରିଷ୍ଠ ନେତାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଳିତାଙ୍କ ବିରୋଧରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ଯାହା ଦଳକୁ ଆଘାତ ଦେଇଛି । ଏହାକୁ ଦଳ କେବେ ବରଦାସ୍ତ କରିପାରିବ ନାହିଁ ।
ଜୟକୁମାର କହିଛନ୍ତି, ରାଜ୍ୟରେ ବିଜେପି କେବଳ AIADMK ପାଇଁ ପରିଚିତ । ସେମାନଙ୍କର ଏକକ ଭୋଟ କ୍ଷମତ କେତେ ତାହା ମଧ୍ୟ ଜଣାଅଛି । ବିଜେପି ଓ ଏହାର ଅନ୍ୟ ନେତୃତ୍ବ ତାମିଲନାଡ଼ୁରେ AIADMK ସହ ମେଣ୍ଟ ଚାହୁଁଛନ୍ତି । ମାତ୍ର ରାଜ୍ୟ ୟୁନିଟର ଦଳ ସଭାପତି ଥିବା ଆନ୍ନାମଲାଇ ଏହା ଚାହୁଁନାହାନ୍ତି । ତେଣୁ ସେ ନିଜର ଛବି ପ୍ରସ୍ତୁତ କରିବା ପାଇଁ ତମାମ ଦିବଙ୍ଗତ AIADMK ନେତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇଛନ୍ତି । ଯାହା ଦଳ ପକ୍ଷେ ବରଦାସ୍ତ ଯୋଗ୍ୟ ନୁହେଁ । ସେ ବିଜେପି ରାଜ୍ୟ ସଭାପତି ହେବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି, ଏକଥା ମଧ୍ୟ AIADMK କହିସାରିଛି । ଆମେ ଅଧିକ କିଛି ଖରାପ ସମାଲୋଚନା ଚାହୁଁନାହୁଁ । ଏବେ ବିଜେପି ସହ ରାଜ୍ଯରେ ଦଳର କୌଣସି ମେଣ୍ଟ ନାହିଁ । ନିର୍ବାଚନ ଆସିଲେ ଆବଶ୍ୟକ ସ୍ଥଳେ ମେଣ୍ଟ କଥା ବିଚାର କରାଯାଇପାରେ ।
ତେବେ କେନ୍ଦ୍ରରେ ପୂର୍ଣ୍ଣ ବହୁମତରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି କୌଣସି ବି ଦକ୍ଷିଣ ଭାରତୀୟ ରାଜ୍ୟରେ ସୁଦୃଢ଼ ନାହିଁ । ତାମିଲନାଡ଼ୁରେ ଏବେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ ଶାସନରେ ଥିବା ବେଳେ AIADMK ବିରୋଧୀ ଦଳ ଭୂମିକାରେ ରହିଛି । AIADMK ମଧ୍ୟ ବିଜେପି ନେତୃତ୍ବାଧୀନ NDA ମେଣ୍ଟର ସକ୍ରିୟ ସହଯୋଗୀ ଥିଲା । ନିକଟରେ NDA ମେଣ୍ଟ ବୈଠକରେ ଦଳର ସର୍ବୋଚ୍ଚ ନେତା ତଥା ପୂର୍ବତନ ମୁଖ୍ୟ କେ.ପଲାନିସାମି ମଧ୍ୟ ଅଂଶଗ୍ରହଣ କରିଥିଲେ । ହେଲେ ବିଜେପିର ଯୁବନେତା ତଥା ରାଜ୍ୟ ୟୁନିଟ୍ ସଭାପତି ଆନ୍ନାମଲାଇଙ୍କ ମନ୍ତବ୍ୟ ନେଇ ଦୁଇ ଦଳ ମଧ୍ୟରେ ଥିବା ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ