ଅଯୋଧ୍ୟା: ଉତ୍ତର ପ୍ରଦେଶ ପୋଲିସର ନାନା ପ୍ରଚେଷ୍ଟା ସତ୍ତ୍ବେ ମହିଳାମାନଙ୍କ ଉପରେ ହିଂସା ମାମଲା କମିବାର ନାଁ ନେଉନି । ରାମ ନଗରୀ ଅଯୋଧ୍ୟାରେ ସ୍କୁଲ ଯାଉଥିବା ନାବାଳିକା ଛାତ୍ରୀଙ୍କ ଉପରକୁ ହୋଇଛି ଏସିଡ ମାଡ । ବୁଧବାର ଦିନ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ଉପରେ ଦୁର୍ବୁତ୍ତ ଜଣକ ଜ୍ବଳନଶୀଳ ପଦାର୍ଥ ବା ଏସିଡ ଫିଙ୍ଗିଥିଲା । ଯାହାଫଳରେ ନାବାଳିକା ଜଣକ ଗମ୍ଭୀର ଭାବେ ଜଳି ଯାଇଛନ୍ତି । ସୂଚନା ପାଇ ପୋଲିସ ଏସିଡ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଅଯୋଧ୍ୟା ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏଥି ସହିତ ମାମଲାକୁ ଗମ୍ଭୀରତାର ସହିତ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଯୋଧ୍ୟା ଗ୍ରାମୀଣର ଏସପି କହିଛନ୍ତି ଯେ ଅଭିଯୁକ୍ତ ଜଣକ ଏସିଡ୍ ପୀଡିତାଙ୍କ ପଡୋଶୀ ଗାଁର ବାସିନ୍ଦା ଅଟେ ।
ତାରୁନ ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିବା ଏକାଦଶ ଶ୍ରେଣୀର ଛାତ୍ରୀ ଜଣକ ନିକଟସ୍ଥ ଏକ କଲେଜରେ ପାଠ ପଢୁଥିଲେ । ବୁଧବାର ଦିନ ନାବାଳିକା ଜଣକ ସକାଳେ ସ୍କୁଲ ପାଇଁ ବାହାରିଥିଲେ । ଛାତ୍ରୀ ନାରାୟଣପୁର ଗାଁ ନିକଟରେ ପହଞ୍ଚିବା ମାତ୍ରେ ସେଠାରେ ଅଭିଯୁକ୍ତ ଜୟସିଂହ ପୂର୍ବରୁ ଅପେକ୍ଷା କରି ରହିଥିଲା । ତେବେ ସୁଯୋଗ ଦେଖି ଅଭିଯୁକ୍ତ ଛାତ୍ରୀଙ୍କ ମୁହଁକୁ ଏସିଡ ଫିଙ୍ଗିଥିଲା । ଫଳରେ ଛାତ୍ରୀଙ୍କ ଚେହେରା ସହିତ ଶରୀରର ଅନ୍ୟ ସ୍ଥାନ ମଧ୍ୟ ଗୁରୁତର ଭାବେ ଜଳି ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ସ୍କୁଲ ଭ୍ୟାନରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଡ୍ରାଇଭରକୁ ବାନ୍ଧିଲା ପୋଲିସ
ଛାତ୍ରୀଙ୍କ ଚିତ୍କାର ଶୁଣି ଲୋକ ସେଠାରେ ପହଞ୍ଚିଥିଲେ । ପୋଲିସ ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଜୟସିଂହକୁ ମଉ ଜଙ୍ଗଲରେ ଘେରାବନ୍ଦୀ କରିଥିଲା । ସେଠାରେ ଅଭିଯୁକ୍ତ ପୋଲିସ ଉପରେ ଫାୟରିଂ କରି ଫେରାର ହେବାକୁ ଚେଷ୍ଟା କରିଥିଲା । ଏଥିରେ ଜଣେ ପୋଲିସ କର୍ମୀଙ୍କ ଦେହରେ ଗୁଳି ମଧ୍ୟ ବାଜିଥିଲା । ଜବାବରେ ଅଭିଯୁକ୍ତର ଗୋଡକୁ ଗୁଳି କରିଥିଲା ପୋଲିସ । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଚିକିତ୍ସା କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥି ସହିତ ମାମଲାର ଯାଞ୍ଚ ଚାଲିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ