
ଇମ୍ଫାଲ: ପ୍ରାୟ ୩ ମାସ ହେବ ଜଳୁଛି ମଣିପୁର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ବେ ମଣିପୁରରେ ବିକ୍ଷୋଭ ବହ୍ନି ପ୍ରଶମିତ ହେବାର ନା ନେଉନି ବରଂ ସ୍ଥିତି ଦିନକୁ ଦିନ ସଂଘାତିକ ହେଉଛି । ଏହାର ସୁଯୋଗରେ ପଡୋଶୀ ମିଆଁମାର ଦେଶର ନାଗରିକମାନେ ଏହି ହିଂସା ପ୍ରଭାବିତ ରାଜ୍ୟରେ ବେଆଇନ ଭାବେ ଅନୁପ୍ରବେଶ କରୁଛନ୍ତି । ଜୁଲାଇ ୨୨ ଓ ୨୩ ତାରିଖରେ ଅର୍ଥାତ୍ ମାତ୍ର ଦୁଇ ଦିନରେ ମିଆଁମାରର ୭୧୮ ଜଣ ନାଗରିକ ମଣିପୁରରେ ପ୍ରବେଶ କରିଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ତେବେ ଉପଯୁକ୍ତ ଡକ୍ୟୁମେଣ୍ଟ୍ ବିନା କେମିତି ଓ କାହିଁକି ପଡ଼ୋଶୀ ଦେଶର ନାଗରିକଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଗଲା ସେନେଇ ଆସାମ ରାଇଫଲକୁ ରିପୋର୍ଟ ତଲବ କରିଛନ୍ତି ସରକାର । ଏହାସହ ସେମାନଙ୍କୁ ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur Women Paraded Naked: ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫଦାରୀ ସଂଖ୍ୟା 7କୁ ବୃଦ୍ଧି
ମଣିପୁର ମୁଖ୍ୟ ଶାସନ ସଚିବ ଡ. ବିନୀତ ଯୋଶୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଜୁଲାଇ ୨୨ ଓ ୨୩ ତାରିଖରେ ମିଆଁମାରର ୭୧୮ ଜଣ ନାଗରିକ ଲାଜାଙ୍ଗ ବର୍ଡର ଦେଇ ମଣିପୁରର ଚନ୍ଦାଲ ଜିଲ୍ଲାରେ ଅନୁପ୍ରବେଶ କରିଛନ୍ତି । ସେମାନଙ୍କ ମଧ୍ୟରେ ୨୦୯ ଜଣ ପୁରୁଷ, ୨୦୮ ମହିଳା ଏବଂ ୩୦୧ ଛୋଟ ପିଲା ଅଛନ୍ତି । ସମସ୍ତେ ଲାଜାଙ୍ଗ, ବୋନଜ୍, ନ୍ୟୁ ସମତାଲ, ନ୍ୟୁ ଲାଜାଙ୍ଗ, ୟାଙ୍ଗନୋମଫାଇ, ୟାଙ୍ଗନୋମଫାଇ ସ'ମିଲ୍ ପ୍ରଭୃତି ଜିଲ୍ଲାରେ ଅବସ୍ଥାନ କରୁଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଭାରତରେ ମିଆଁମାର ନାଗରିକଙ୍କ ବେଆଇନ ପ୍ରବେଶ ରୋକିବାକୁ ସୀମା ସୁରକ୍ଷା ଦାୟିତ୍ବରେ ଥିବା ଆସାମ ରାଇଫଲ୍ସକୁ ମଣିପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକୀୟ ଭିସା ଏବଂ ଭ୍ରମଣ ସୂଚୀ ବିନା ଯେପରି କୌଣସି ନାଗରିକ ମିଆଁମାର ବର୍ଡର ଅତିକ୍ରମ କରିନପାରିବେ ସେଥିପ୍ରତି ସଜାଗ ରହିବାକୁ ୱାର୍ଣ୍ଣିଂ ଦିଆଯାଇଛି ।

ଗତ ୨୩ ତାରିଖରେ ଆସାମ ରାଇଫଲ୍ସ ହେଡକ୍ବାର୍ଟର ପକ୍ଷରୁ ଘଟଣା ସଂକ୍ରାନ୍ତରେ ଚନ୍ଦାଲ ଜିଲ୍ଲାର ଡେପୁଟି କମିଶନରଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ତେବେ କେବଳ ଏହି ବିଦେଶୀ ଶରଣାର୍ଥୀ ନୁହଁନ୍ତି, ଅତୀତରେ ମିଆଁମାରରୁ ଅନେକ ନାଗରିକ ଆସି ମଣିପୁରରେ ରହୁଛନ୍ତି ଏବଂ ହିଂସା ପରଠୁ ପ୍ରତିଦିନ ହଜାର ହଜାର ବିଦେଶୀ ନାଗରିକ ଅବୈଧ ଭାବେ ଭାରତରେ ପ୍ରବେଶ କରୁଛନ୍ତି । ମିଆଁମାରରୁ ବେଆଇନ ଭାବେ ଭାରତ ଆସିଥିବା ୮ ଜଣ ନାଗରିକ ଚୁରଚାନ୍ଦପୁର ଜିଲ୍ଲାରେ ଚିକିତ୍ସାଧୀନ ଥିବା ନେଇ ଜୁଲାଇ ୧୧ରେ ଇଟିଭି ଭାରତରେ ଖବର ପ୍ରକାଶିତ ହୋଇଥିଲା । ହିଂସାକାଣ୍ଡ ସମୟରେ ବୋମାମାଡ଼ ଓ ଗୁଳିକାଣ୍ଡରେ ସେମାନେ ଗୁରୁତର ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ