ନୂଆଦିଲ୍ଲୀ: ଦେଶରେ କୋଭିଡ ପରେ ଚିନ୍ତା ବଢାଇବାରେ ଲାଗିଛି ମଙ୍କିପକ୍ସ ସଂକ୍ରମଣ । ସଂକ୍ରମଣ ଅନିୟନ୍ତ୍ରିତ ହୋଇ ନଥିଲେ ସୁଦ୍ଧା ଗୋଟିଏ ପରେ ଗୋଟିଏ ସଂକ୍ରମଣ ବଢିବା ଚିନ୍ତା ବଢାଇଛି । ଏହି କ୍ରମରେ ମୁକାବିଲା ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ସରକାର । ରାଜଧାନୀ ଦିଲ୍ଲୀରେ କେବଳ ମଙ୍କିପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ 3 କେନ୍ଦ୍ରୀୟ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଠାରେ ସଂକ୍ରମିତ କିମ୍ବା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ଓ୍ବାର୍ଡ ଓ ଅନ୍ୟ ସମସ୍ତ ଆବଶକୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ଦିଲ୍ଲୀର 3 ପ୍ରମୁଖ କେନ୍ଦ୍ରୀୟ ହସ୍ପିଟାଲରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲଗୁଡିକ ମଧ୍ୟରେ ସବଦରଜଙ୍ଗ ହସ୍ପିଟାଲ, ରାମମନୋହର ଲୋହିଆ ହସ୍ପିଟାଲ ଓ ଲେଡି ହରଦିଙ୍ଗେ ହସ୍ପିଟାଲ ରହିଛି । ଏଠାରେ ମଙ୍କିପକ୍ସ ସମ୍ପର୍କିତ ଲକ୍ଷଣଯୁକ୍ତ ତଥା ସନ୍ଦିଗ୍ଧ ସଂକ୍ରମିତ ଆସିଲେ, ସେମାନଙ୍କ ସଙ୍ଗରୋଧ ଚିକିତ୍ସା ଓ ଅନ୍ୟ ସମସ୍ତ ଟେଷ୍ଟିଂ କରାଇବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ଏହି 3 କେନ୍ଦ୍ରୀୟ ହସ୍ପିଟାଲକୁ ବାଦ ଦେଲେ ଦିଲ୍ଲୀର ଅନ୍ୟ କିଛି ପ୍ରମୁଖ ହସ୍ପିଟାଲରେ ମଧ୍ୟ ମଙ୍କିପକ୍ସ ସଂକ୍ରମିତଙ୍କ ପାଇଁ ପୂର୍ବ ପ୍ରସ୍ତୁତି ହୋଇଛି । ଜୟପ୍ରକାଶ ନାରାୟଣ ହସ୍ପିଟାଲ (LNJP) ରେ 20 ଆଇସୋଲେସନ ରୁମ ପ୍ରସ୍ତୁତ ହୋଇ ରଖାଯାଇଥିବା ବେଳେ ଗୁରୁ ତେଗ ବାହାଦୂର ହସ୍ପିଟାଲ (GTB) ଓ ବାବ ସାହେବ ଆମ୍ବେଦକର ହସ୍ପିଟାଲରେ 10 ଟି ଲେଖାଏଁ ଆଇସୋଲେସନ ରୁମ, ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ ପ୍ରସ୍ତୁତ କରାଯାଇ ରଖାଯାଇଛି ।
ସେହିପରି ଦିଲ୍ଲୀ ସରକାର ମଧ୍ୟ କିଛି ପ୍ରମୁଖ ଘରୋଇ ହସ୍ପିଟାଲକୁ ମଧ୍ୟ ଏ ସମ୍ପର୍କିତ ସମ୍ଭାବ୍ୟ ମାମଲାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କିତ ଲକ୍ଷଣ ନେଇ କୌଣସି ରୋଗୀ ସେଠାରେ ଚିକିତ୍ସା ପାଇଁ ଆସୁଥିଲେ ତାଙ୍କୁ ସମ୍ପୂର୍ଣ୍ଣ ସଙ୍ଗରୋଧରେ ରଖି ଚିକିତ୍ସା କରିବାକୁ ଆଇସୋଲେସନ ଓ୍ବାର୍ଡ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମକୁ ନେଇ ଟାକ୍ସଫୋର୍ସ ଗଠନ କରି ସମଗ୍ର ଦେଶରେ ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛନ୍ତି । ମଙ୍କିପକ୍ସ ସଂକ୍ରମଣ ନେଇ ସତର୍କ ରହିବା ସହ ଭୟଭୀତ ନେହେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ