ଚେନ୍ନାଇ: ୧୯୯୨ ମସିହା ଜୁନ ୨୦ । ତାମିଲନାଡୁ ରାଜ୍ୟର ଆଦିବାସୀ ବହୁଳ ବାଚଥି ଗ୍ରାମରେ ଘଟିଥିଲା ଏକ ଲୋମଟାଙ୍କୁରା କାଣ୍ଡ । ନିମିଷକରେ ଖିନଭିନ୍ ହୋଇଯାଇଥିଲା ପୁରା ଗାଁ । ଗାଁର ପ୍ରତିଟି ଘରୁ ଶୁଭିଥିଲା ଆକୁଳ ଚିତ୍କାର । ଛୋଟ ଛୁଆଙ୍କ ଠାରୁ ମହିଳାଙ୍କ ଯାଏ, ଭଦ୍ର ମୁଖାଧାରୀ ଜହ୍ଲାଦଙ୍କ ବର୍ବରତାରୁ କେହି ବର୍ତ୍ତିନଥିଲେ । ପରିବାର ଲୋକଙ୍କ ଆଖି ସାମ୍ନାରୁ ମହିଳା ଓ ଯୁବତୀଙ୍କୁ ଟାଣି ନେଇ ଗଣଦୁଷ୍କର୍ମ କରାଯାଇଥିଲା । ଆଉ ଏହି ପାଶବିକ କାଣ୍ଡ ଭିଆଇଥିବା ଜହ୍ଲାଦମାନେ ଥିଲେ ଖୋଦ୍ ବଡ ବଡୁଆ ସରକାରୀ ବାବୁ । ୩ ଦଶନ୍ଧି ତଳେ ଘଟିଥିବା ବାଚଥି ଗ୍ରାମର ଲୋମହର୍ଷଣକାରୀ ଘଟଣା ହୁଏତ ଅନେକ ଲୋକ ଜାଣିନଥିବେ । ଦୀର୍ଘ ୩୧ ବର୍ଷ ପରେ ଏବେ ବାଚଥି ପୀଡିତାମାନଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି ।
କ'ଣ ଥିଲା ପୁରା ଘଟଣା:
ଚେନାଇଠୁ ୩୫୦ କିମି ଦୂର ଚିତ୍ତେରୀ ରେଞ୍ଜ ଅନ୍ତର୍ଗତ ଆଦାବାସୀ ଆଧୁଷ୍ୟିତ ଏକ ଛୋଟିଆ ଗ୍ରାମ ବାଚଥି । ସେତେବେଳେ ଚିତ୍ତେରୀ ରେଞ୍ଜରେ ପ୍ରଚୁର ପରିମାଣର ବହୁମୂଲ୍ୟ ଚନ୍ଦନ ବୃକ୍ଷ ଥିଲା । ୧୯୯୨ ଜୁନ ୨୦ ତାରିଖ ଦିନ ଚନ୍ଦନ କାଠ ଚୋରା ଚାଲାଣ ନାଁରେ ବାଚଥି ଗାଁରେ ବଡ ଧରଣର ରେଡ୍ ହୋଇଥିଲା । ଏହି ତସ୍କରୀରେ ବାଚଥି ଗ୍ରାମବାସୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ୨୫୦ରୁ ଅଧିକ ବନ କର୍ମଚାରୀ, ରାଜସ୍ବ ଅଧିକାରୀ ଏବଂ ପୋଲିସ କର୍ମୀ ଗାଁରେ ପଶିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ସରକାରୀ ବାବୁମାନେ ଗ୍ରାମରେ ବ୍ୟାପକ ଭଙ୍ଗାରୁଜା, ମାରପିଟ୍ କରିବା ସହ ଗାଁ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ । ଛୋଟଠୁ ବୁଢା ପର୍ଯ୍ୟନ୍ତ କେହି ବି ବର୍ତ୍ତି ନଥିଲେ ଅତ୍ୟାଚାରରୁ ।
ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ: ପୋଲିସ ଓ ବନ ବିଭାଗ ଅଧିକାରୀମାନେ ସବୁ ଗାଁ ଲୋକଙ୍କୁ ଘରୁ ଟାଣି ନେଇ ଗୋଟିଏ ବରଗଛ ତଳକୁ ଆଣିଥିଲେ । ସେଠାରେ ଗାଁର ୧୮ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା, ଯାହାମଧ୍ୟରେ ଜଣେ ନାବାଳିକା ଥିଲେ । ଭଙ୍ଗାରୁଜା, ମହିଳାଙ୍କୁ ଦୁଷ୍କର୍ମ ଓ ଅସହ୍ୟ ନିର୍ଯାତନା ପୁରା ଗାଁକୁ ଶ୍ମଶାନ ଭୂଇଁରେ ପରିଣତ କରିଦେଇଥିଲା । ତେବେ ରାଜ୍ୟର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ବର୍ବରତା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ସିପିଆଇ(ଏମ୍) ଏହି ଘଟଣାରେ ହସ୍ତକ୍ଷେପ କଲା ।
ବାଚାଥି ଅତ୍ୟାଚାର ଘଟଣାର ସିବିଆଇ ତଦନ୍ତ ପାଇଁ ସିପିଆଇ(ଏମ) ସୁପ୍ରିମକୋର୍ଟରେ ଆବଦେନ କରିଥିଲା । ତଦନ୍ତ ରିପୋର୍ଟ ଆଧାରରେ ୨୦୧୧ ମସିହାରେ ତାମିଲନାଡୁର ସେସନ୍ କୋର୍ଟ ୨୬୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ମାମଲାର ଶୁଣାଣି ମଧ୍ୟରେ ୫୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ରାୟ ବିରୋଧରେ ବାକି ୨୧୫ ଜଣ ଅଭିଯୁକ୍ତ ଅଧିକାରୀମାନେ ମାଡ୍ରାସ ହାଇକୋର୍ଟରେ ଆବଦେନ କରିଥିଲେ । ମାତ୍ର ହାଇକୋର୍ଟ ବିଚାରପତି ପି ବେଲମୁରୁଗନ ତଳ କୋର୍ଟଙ୍କୁ ରାୟକୁ କାୟମ ରଖି ଆବେଦନକାରୀମାନଙ୍କ ଆବେଦନ ଖାରଜ କରିଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ହ୍ରାସ ହେବନି ପୋକ୍ସୋ ଆଇନର ବୟସ ସୀମା ! ଆଇନ ମନ୍ତ୍ରଣାଳୟକୁ ଲ’ କମିଶନଙ୍କ ସୁପାରିସ୍
ବିଚାରପତି କହିଛନ୍ତି ଯେ, ପ୍ରକୃତି ଚନ୍ଦନ ଚୋରା ଚାଲାଣକାରୀଙ୍କୁ ଖସାଇବାକୁ ସେଦିନ ବାଚାଥି ଗ୍ରାମରେ ରେଡ୍ କରାଯାଇଥିଲା । ଧର୍ମପୁରୀ ଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀ ଚନ୍ଦନ କାଠ ତସ୍କରୀ ମାମଲାରେ ସେତେଟା ଗମ୍ଭୀରତା ଦେଖାଇନଥିଲେ କି ତସ୍କରମାନଙ୍କ ବିରୋଧରେ ଆକ୍ସନ ନେଇନଥିଲେ । ପ୍ରକୃତି ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଯାଇ ତତ୍କାଳୀନ ସରକାରଙ୍କ ସହଯୋଗରେ ରାଜସ୍ବ ଅଧିକାରୀ, ପୋଲିସ କର୍ମୀ, ବନ କର୍ମଚାରୀମାନେ ଏଭଳି ଘୃଣ୍ୟ ନାଟକ ରଚିଥିଲେ ଏବଂ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିଥିଲେ ।
ତେବେ ମାଡ୍ରାସ ହାଇକୋର୍ଟ ବିଚାରପତି ବେଲମୁରୁଗନ ଅଭିଯୁକ୍ତମାନଙ୍କ ଆବେଦନ ଖାରଜ କରିବା ସହ ଦୁଷ୍କର୍ମ ପୀଡିତା ଆଦିବାସୀ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପୀଡିତାଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ । ଏଥିସହ କ୍ଷତିପୂରଣ ରାଶିର ୫୦ ପ୍ରତିଶତ ବା ୫ ଲକ୍ଷ ଟଙ୍କା ଅଭିଯୁକ୍ତମାନଙ୍କ ଠାରୁ ଆଦାୟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ଏହାରି ସହିତ ଦୀର୍ଘ ୩୧ ବର୍ଷ ପରେ ବାଚଥି ପୀଡିତାଙ୍କୁ ନ୍ୟାୟ ମିଳିଛି ।