ଜମିବାଡ଼ି ବିବାଦରୁ ନୃଶଂସ କାଣ୍ଡ, ଥାନାରୁ ଫେରିବା ପରେ ମହିଳାଙ୍କୁ ପିଟିପିଟି ହତ୍ୟା - woman beaten to death

By ETV Bharat Odisha Team

Published : Jun 27, 2024, 4:05 PM IST

thumbnail
ଜମିବାଡ଼ି ବିବାଦରୁ ନୃଶଂସ କାଣ୍ଡ (ETV Bharat Odisha)

କେନ୍ଦ୍ରାପଡା: ଜମିଜମା ବିବାଦରୁ ନାରକୀୟ କାଣ୍ଡ । ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ମାରିଦେଲେ ପଡୋଶୀ । ହତ୍ୟାକାଣ୍ଡ ସମୟରେ ଛାତିଥରା ଘଟଣା ମୋବାଇଲରେ କଏଦ ହେବା ସହ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏପରି ଏକ ନିର୍ମମ ହତ୍ୟାକାଣ୍ଡ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଞ୍ଚଳରେ ଘଟିଛି । ମୃତ ମହିଳା ହେଉଛନ୍ତି 52 ବର୍ଷୀୟା ସୁଶୀଳା ନାୟକ । ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ଶୌଚାଳୟ ନିର୍ମାଣ କରିଥିଲେ । ଏହାକୁ ନେଇ ଗତ 2ବର୍ଷ ଧରି ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ ପାଇଁ ପହଞ୍ଚିଥିଲେ । କିନ୍ତୁ ଏହି ଘଟଣାର ସମାଧାନ ପାଇଁ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷଙ୍କୁ ଘରକୁ ପଠାଇଥିଲେ । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଁଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ହୋଇଥିବା ବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ୟ ଆହତ ହୋଇଥିଲେ l ଏମିତିକି ଆହତମାନଙ୍କୁ ନେଇ ହସ୍ପିଟାଲ ଆସୁଥିବା ଆମ୍ବୁଲାନ୍ସକୁ ଆକ୍ରମଣକାରୀମାନେ କିଛି ସମୟ ଅଟକ ରଖିଥିବା ଅଭିଯୋଗ । ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆହତ ମନୋରଞ୍ଜନ ଓ ପବିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି । 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.