ସାବଧାନ ! ରାଉରକେଲାରେ ମାତିଛନ୍ତି ଅଳଙ୍କାର ସଫେଇ ଚୋର - Thieves escaped in Rourkela - THIEVES ESCAPED IN ROURKELA
🎬 Watch Now: Feature Video
Published : Apr 13, 2024, 10:15 PM IST
Thieves escaped in Rourkela: ରାଉରକେଲା: ହୋଇଯାନ୍ତୁ ସାବଧାନ ! ସହରରେ ମାତିଛନ୍ତି ଲୁଟେରା । ଅଳଙ୍କାର ସଫେଇ ନାଁରେ ଲୁଟି ନେଉଛନ୍ତି ଅଳଙ୍କାର । ଆଜି କିଛି ଏହିଭଳି ଘଟଣା ଘଟିଛି ରାଉରକେଲା ଛେଣ୍ଡ କଲୋନି, ବିର୍ସା ମୁଣ୍ଡା ଷ୍ଟାଡିୟମ ୫ନଂ ଗେଟ୍ ସମ୍ମୁଖରେ ଥିବା ଘରେ । ତେବେ ଲୁଟ୍ କରିବା ପୂର୍ବରୁ ଧରା ପଡ଼ିଯିବା ଭୟରେ ଚୋର ମାରିଲେ ଚମ୍ପଟ ଯାହା ସିସିଟିଭିରେ ହୋଇଛି ରେକର୍ଡ ।
ସୂଚନା ମୁତାବକ ଘରେ ବୃଦ୍ଧାଙ୍କୁ ଏକାକୀ ଦେଖି ଦୁଇ ଯୁବକ ଗେଟ ଭିତରକୁ ପଶିଥିଲେ । ନିଜକୁ ସୁନାରୁପା ସଫେଇ କାରିଗର ବୋଲି ପରିଚୟ ଦେଇଥିଲେ । ନିଜ ପାଖରେ ରଖିଥିବା ପୁରୁଣା ସୁନା ଅଳଙ୍କାର ସଫା କରି ଦେଖାଇଥିଲେ । ପରେ ବୃଦ୍ଧାଙ୍କ ବିଶ୍ବାସ ହେବାରୁ ସେ ଘରୁ ସୁନା ଚେନ୍ ଓ କିଛି ଅଳଙ୍କାର ଦୁଇ ଯୁବକକୁ ସଫା କରିବାକୁ ଦେଇଥିଲେ । ଠିକ୍ ସେତିକି ବେଳେ ବୃଦ୍ଧାଙ୍କ ଘରେ ଦୁଇ ଯୁବକଙ୍କୁ ଦେଖି ପଡୋଶୀ ମହିଳା ଘଟଣାସ୍ଥଳକୁ ଆସିଥିଲେ । କାହିଁକି ଘରକୁ ପଶିଲେ ବୋଲି ଦୁହିଁଙ୍କୁ ପଚାରିଥିଲେ । ସେମାନେ ବୃଦ୍ଧାଙ୍କଠାରୁ ସଫେଇ କରିବାକୁ ନେଇଥିବା ଅଳଙ୍କାର ମହିଳାଙ୍କୁ ଦେଖାଇଥିଲେ ।
ମହିଳାଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ପାଟିତୁଣ୍ଡ କରିଥିଲେ । ଦୁଇ ଯୁବକ ଧରାପଡ଼ିଯିବା ଭୟରେ ସେଠାରୁ ଖସିଯିବାକୁ ବିଭିନ୍ନ ଆଳ ଦେଖାଇଥିଲେ । ଜଣେ ପରେ ଜଣେ ଗେଟ୍ ଖୋଲି ସେଠାରୁ ଦୌଡିବାକୁ ଲାଗିଥିଲେ । ମହିଳା ଓ ବୃଦ୍ଧାଙ୍କ ଘର ଥିବା ମହିଳାମାନେ ସେମାନଙ୍କୁ ଅଟକାବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । କିଛିଦିନ ପୂର୍ବରୁ ପାନପୋଷ ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ବାହାର ରାଜ୍ୟରୁ କିଛି ଅଳଙ୍କାର ସଫେଇ ଲୁଟେରା ଗ୍ୟାଙ୍ଗ ସହର ବିଭିନ୍ନ କଲୋନି ବୁଲୁଛନ୍ତି । ମହିଳା ଓ ବୃଦ୍ଧା ଥିବାର ସୁଯୋଗ ନେଇ ସେମାନେ ଘର ଭିତରକୁ ପଶୁଛନ୍ତି । ସୁନା ଓ ରୂପା ଅଳଙ୍କାର ସଫେଇ ଆଳରେ ଲୁଟ୍ କରି ଚମ୍ପଟ ମାରୁଛନ୍ତି ।
ଇଟିଭି ଭାରତ, ରାଉରକେଲା