thumbnail

ହୋମିଓପ୍ୟାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ - Ragging in Sambalpur

By ETV Bharat Odisha Team

Published : Jul 6, 2024, 9:49 PM IST

ସମ୍ବଲପୁର: ପୁଣି ସମ୍ବଲପୁରରେ ରାଗିଂ ଅଭିଯୋଗ । ସହରର ଉପକଣ୍ଠରେ ଥିବା ହୋମିଓପ୍ୟାଥି କଲେଜରେ ୩ ଜଣ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି କଲେଜରେ ୨୦୨୧ ଏପ୍ରିଲରେ ଏଭଳି ଏକ ଅଭିଯୋଗ ହୋଇଥିଲା l ସେ ସମୟରେ ଛାତ୍ରୀମାନେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ । ଏହି ସେଲ ଘଟଣାର ତଦନ୍ତ କରି କଲେଜ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଥିଲା । ସେ ସମୟରେ ରାଗିଂର ଶିକାର ହୋଇଥିବା କିଛି ଛାତ୍ରୀ ପୁର୍ନବାର ସେମାନଙ୍କୁ ରାଗିଂ କରାଯାଉଥିବା ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ତୁରନ୍ତ ମାମଲାକୁ ଗୁରୁତର ସହ ନେଇ ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କୁ ତଦନ୍ତ କରି ଏହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳଙ୍କୁ ୟୁଜିସିର ଚିଠି, 'ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି ' - Anti ragging committee

ଏହି କ୍ରମରେ ଆଜି ସମ୍ବଲପୁର ଏସପି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି l ଏସପି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହିଭଳି ଅଭିଯୋଗ ହୋଇଥିଲା ଓ ଦୁଇ ବର୍ଷ ପୂର୍ବରୁ ଆଣ୍ଟି ରାଗିଂ ସେଲରେ ଏନେଇ ଅଭିଯୋଗ କରାଯାଇଥିଲା l ସେହି ସମୟରେ ତତ୍କାଳୀନ ପ୍ରିନ୍ସିପାଲ ଓ ପ୍ରଫେସର ଓ ଛାତ୍ରୀମାନଙ୍କୁ ଡକାଯାଇ ବୁଝାସୁଝା କରାଯାଇଥିଲା l ବର୍ତ୍ତମାନ ଜଣେ ଅତିରିକ୍ତ ଏସପି, ଜଣେ ମହିଳା ଡ଼ିଏସପି ଏବଂ ଜଣେ ମହିଳା ଇନ୍ସପେକ୍ଟର ରାଙ୍କର ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି l ଏହି ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି l କଲେଜ ପ୍ରଶାସନ ସହ ସମନ୍ବୟ ରକ୍ଷା କରି ଟିମ ତଦନ୍ତ ଜାରି ରଖିଛି  l ଯିଏ ବି ଦୋଷୀ ବାହାରିବ ତା' ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.