କଫ ସିରଫ ଶିଶି ଗିଳି ଫସିଲା ନାଗ, ଦେଖନ୍ତୁ ଭିଡିଓ - Snake Helpline Rescue Cobra

By ETV Bharat Odisha Team

Published : Jul 4, 2024, 8:44 PM IST

thumbnail
Snake Helpline Rescue Cobra (ETV Bharat Odisha)

Snake Helpline Rescue Cobra: ଭୁବନେଶ୍ବର: କଫ ସିରପ୍‌ ବୋତଲ ଗିଳି ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଛି ନାଗ ସାପ । ଭୁବନେଶ୍ବରର ଓଲଡ୍‌ଟାଉନ ସ୍ଥିତ ଜ୍ଞାନନଗର ନିକଟରେ ବିନ୍ଦୁ ସାଗର ବେଢାରେ ନାଗ ସାପଟି ଛଟପଟ ହେଉଥିବା ଲୋକେ ଦେଖିବାକୁ ପାଇଥିଲେ । ଏହି ସାଢେ ୩ ଫୁଟ ଲମ୍ବର ନାଗ ସାପଟି ବୋତଲକୁ ନା ଢୋକି ପାରୁଥିଲା ନା ବାହାର କରିପାରୁଥିଲା । ସେଠାରେ ଉପସ୍ଥିତ ଥିବା ଲୋକ ସକାଳ ୬.୪୨ ମିନିଟ ବେଳେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଜଣେଇଥିଲେ । ଶୁଭେନ୍ଦୁ କାଳବିଳମ୍ବ ନକରି ୧୫ ମିନିଟ ଭିତରେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଚାରିପଟେ ଦେଖଣାହାରୀଙ୍କୁ ଦେଖି ସାପଟି ମଧ୍ୟ ବ୍ୟତିବ୍ୟସ୍ତ ହେଉଥିଲା, କିନ୍ତୁ ପେଟ ଭିତରେ ଥିବା ବସ୍ତୁଟିକୁ ବାହାର କରି ପାରୁନଥିଲା ।

ସକାଳୁ ଭେଟେନାରୀ ଡାକ୍ତର ମିଳିବା ଅସମ୍ଭବ ଜାଣି ଶୁଭେନ୍ଦୁ ବାଧ୍ୟ ହୋଇ ବାମ ହାତରେ ସାପ ମୁଣ୍ଡକୁ ଧରି ଡାହାଣ ହାତରେ ସ୍ନେକ ହୁକ ସହାୟତାରେ ଯତ୍ନର ସହିତ ଆସ୍ତେ ଆସ୍ତେ ସାପଟିର ତଳ ମାଢିକୁ ବୋତଲ ଦେହରୁ ତଳକୁ ଖସେଇ ଦେଇଥିଲେ । ଏହା ପରେ ସାପଟି ସହଜରେ ପୂରା ବୋତଲ ଟିକୁ ବାନ୍ତି କରି ଦେଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ଜାଣିବା ପାଇଁ ଶୁଭେନ୍ଦୁ ସାପକୁ ପ୍ରାୟ ୧୦ ମିନିଟ ସେଇ ସ୍ଥାନରେ ଚଳପ୍ରଚଳ ହେବାକୁ ଦେଇଥିଲେ । ତାପରେ ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ସାପ କାମୁଡିଲେ କଣ କରିବେ, ପୋଲିସ ପଢ଼ିଲେ ପାଠ - Snake Bite Primary Treatment

ଏ ଘଟଣାକୁ ପ୍ରଶଂସା କରି ବନ୍ୟ ପ୍ରାଣୀ ପିସିସିଏଫ ତଥା ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ସୁଶାନ୍ତ ନନ୍ଦ ଦୁଇଟି ଭିଡିଓ ଏକ୍ସରେ ପୋଷ୍ଟ କରିବା ପରେ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଶୁଭେନ୍ଦୁ ଏନେଇ ପିସିସିଏଫକୁ ଧନ୍ୟବାଦ ଦେଇଛନ୍ତି । ଏହା ରାଜ୍ୟର ସବୁ ସାପ ଉଦ୍ଧାରକାରୀଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।   

ଇଟିଭି ଭାରତ, ଭୁବନେଶ୍ବର 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.