କୋରାପୁଟରେ ସିକଲ ସେଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ - SICKLE CELL awareness

By ETV Bharat Odisha Team

Published : Jun 20, 2024, 4:09 PM IST

thumbnail
କୋରାପୁଟରେ ସିକଲ ସେଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ (ETV Bharat Odisha)

କୋରାପୁଟ: ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ ଅବସରରେ ଜୁନ ୧୯(ବୁଧବାର) ଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି ରୋଗର ପରୀକ୍ଷା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଏକ ସମ୍ମିଳନୀରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ସିକଲ ସେଲ ରୋଗୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇ ଜିଲ୍ଳାପାଳ ଭି. କାର୍ତିକ ଭାସନ ସିକିଲ ସେଲ ରୋଗୀ ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଏହି ରୋଗ ଚିହ୍ନଟରେ ଉନ୍ନତି ଓ ସଚେତନତାରେ ବୃଦ୍ଧି ଘଟିଲେ ଏହି ଅବସ୍ଥାରୁ ସମ୍ପୂର୍ଣ୍ଣ ରୂପେ ଉନ୍ନତି ହୋଇପାରିବାର ସ୍ଥିତି ଆଡକୁ ଗତି କରିପାରିବ ବୋଲି କହିଛନ୍ତି । ଏଥିସହ ସେ ନିଜେ ପରୀକ୍ଷା କରାଇ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ନିଜେ ପରୀକ୍ଷା କରାଇନେବା ସହ ଗାଁ ଗଣ୍ଡା ରେ ଅଧିକରୁ ଅଧିକ ବ୍ୟକ୍ତି ଏହି ପ୍ରକ୍ରିୟାରେ କିପରି ସାମିଲ ହେବେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । 

କୋରାପୁଟ ଅଂଚଳରେ ସିକିଲ ସେଲ ରୋଗୀ , ତାର କାରଣ , ନିରାକରଣ , ଚିକିତ୍ସା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସିଡିଏମଓ ସୁଧାଂଶୁ କୁମାର ଗିରି ଅବଗତ କରାଇଛନ୍ତି । ବର୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାରେ ୨୮ ହଜାର ସିକଲ ସେଲ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ 1400 ଜଣଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଆର୍ଥୀକ ସହାୟତା ଯୋଗାଇ ଦିଆଯାଉଥିବା ଡାକ୍ତର ଗିରି ଜଣାଇଛନ୍ତି । ଉଭୟ ପୁରୁଷ ଓ ମହିଳା ଙ୍କ ଦେହରେ ଏହି ରୋଗ ରହିଥିଲେ ସେମାନଙ୍କ ସନ୍ତାନ ମଧ୍ୟରେ ଏହି ରୋଗ ଦେଖାଦେବା ନିଶ୍ଚିତ ହୋଇଥିବା ଯୋଗୁଁ ଏହି ରୋଗ ସଂକ୍ରମଣ ର ଧାରା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ପରୀକ୍ଷା କରାଇବା ପରେ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଏହି ରୋଗ ଥିଲେ ଉଭୟଙ୍କ ବିବାହକୁ ରୋକି ଏହି ରୋଗ ବ୍ୟାପିବାର ଧାରାକୁ ରୋକାଯାଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି । ନିଜ ଅଭିଭାଷଣରେ ଡାକ୍ତର ଗିରି ସିକଲ ସେଲର ଭୟାବହ ରୂପ ଓ କୋରାପୁଟ ଅଂଚଳରେ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ । ସିକଲ ସେଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ଓ ଆଲୋଚନା ଛାତ୍ରଛାତ୍ରୀ ତଥା ଗବେଷକଙ୍କୁ ନୂତନ ଆଲୋକ ପ୍ରଦାନ କରିବ ବୋଲି ନର୍ସିଂ ମହାବିଦ୍ୟାଳୟର ଛାତ୍ରୀ ସାବିତ୍ରୀ ଦାସ କହିଛନ୍ତି । 



ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.