ମଦ ବିକ୍ରି ବନ୍ଦ କରିବା ପଡିଲା ମହଙ୍ଗା, ଏସଏଚଜି ମହିଳାଙ୍କୁ ମଦ ମାଫିଆଙ୍କ ଆକ୍ରମଣ - SHG Women attacked by liquor mafia
🎬 Watch Now: Feature Video
Published : Mar 15, 2024, 10:10 AM IST
SHG Women attacked by liquor mafia: ବଲାଙ୍ଗୀର: ଗାଁରେ ମଦ ବିକ୍ରି ବନ୍ଦ ପାଇଁ ଆନ୍ଦୋଳନ କରିବା ପଡିଲା ମହଙ୍ଗା । ମଦ ମାଫିଆଙ୍କ ଆକ୍ରମଣର ଶିକାର ହେଲେ ଏସଏଚଜି ମହିଳା । ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ବିଳେଇସରଡା ଗ୍ରାମରେ ମଦ ବିକ୍ରିକୁ ବିରୋଧ କରିବାରୁ ମଦ ମାଫିଆ ଏସଏଚଜି ମହିଳାଙ୍କୁ ଆକ୍ରମଣ ଓ ମାଡ ମାରିଥିବାର ଅଭିଯୋଗ ଆସିଛି । ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
ବିଳେଇସରଡା ଗ୍ରାମରେ ବେଆଇନ ମଦ ବିକ୍ରି ଯୋଗୁଁ ସମସ୍ତେ ଅତିଷ୍ଠ ହୋଇପଡିଥିଲେ । ଗାଁରେ ମଦ ବିକ୍ରି ବନ୍ଦ ପାଇଁ କିଛି ଏସଏଚଜି ଗ୍ରୁପର ଶତାଧିକ ମହିଳା ଆନ୍ଦୋଳନ କରିଥିଲେ । ଏପରିକି ସ୍ଥାନୀୟ ମନ୍ଦିରରେ ଏହା ପାଇଁ ଶପଥ ପାଠ ମଧ୍ୟ କରାଯାଇଥିଲା ଏବଂ ଗାଁରେ ମଦ ଆଦୌ ବିକ୍ରି ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ମହିଳାମାନେ ଗାଁରେ ବାରମ୍ବାର ସଚେତନ ଶୋଭାଯାତ୍ରା ମଧ୍ୟ କରିଥିଲେ । ଏହାପରେ ଅବକାରୀ ବିଭାଗ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଗାଁର କିଛି ମଦ ମାଫିଆଙ୍କୁ ଗିରଫ କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ଜଣେ ମଦ ମାଫିଆ ଗୁରୁବାର ଯମୁନା ଏସଏଚଜି ଗ୍ରୁପ ମହିଳାମାନଙ୍କୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବାର ଅଭିଯୋଗ ହୋଇଛି । ସେପଟେ ମହିଳାମାନେ ସମ୍ପୃକ୍ତ ମଦ ମାଫିଆ ବିରୋଧରେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଆହତ ମହିଳାଙ୍କ ଚିକିତ୍ସା କରାଇବା ସହ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆହତ ହୋଇଥିବା ମହିଳା ହେମା ବାଗ କହିଛନ୍ତି ଯେ, ସେମାନେ ଆନ୍ଦୋଳନ କରି ଗାଁରେ ମାଦ ବିକ୍ରି ବନ୍ଦ କରିଥିଲେ । ଏହି ଘଟଣାରେ ଗିରଫ ହୋଇଥିବା ଜଣେ ମଦ ମାଫିଆର ପୁଅ ଆକ୍ରୋଶ ରଖି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଗାଁ ମଝିରେ ସମ୍ପୃକ୍ତ ମଦ ମାଫିଆ ମାଡ଼ ମାରିବା ସହ ଆଗକୁ କୌଣସି ଆନ୍ଦୋଳନ କିମ୍ବା ବିରୋଧ କଲେ ଜୀବନରେ ମାରିଦେବାର ଧମକ ଦେଇଥିବାର ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର