ଶ୍ରାବଣ ଚତୁର୍ଥ ସୋମବାର; ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ, ମହାଦେବଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଭିଡ଼ - Kanwariya In Lord Shiva Temple

By ETV Bharat Odisha Team

Published : Aug 12, 2024, 5:50 PM IST

thumbnail
ଶ୍ରାବଣ ଚତୁର୍ଥ ସୋମବାର; ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ, ମହାଦେବଙ୍କୁ ଜଳଲାଗି ପାଇଁ କାଉଡିଆଙ୍କ ଭିଡ଼ (ETV Bharat Odisha)

କଟକ-ରାଉରକେଲା-ବୌଦ୍ଧ: ଆଜି ହେଉଛି ଶ୍ରାବଣର ଚତୁର୍ଥ ସୋମବାର । ଏନେଇ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବ ପୀଠ ।  ରାଜ୍ୟର ବିଭିନ୍ନ ସ୍ଥାନରେ କାଉଡିଆମାନେ ଜଳଲାଗି କରୁଥିବା ବେଳେ ପ୍ରବଳ ଭିଡ଼ ଜମିଛି । କଟକ, ରାଉରକେଲା ଏବଂ ବୌଦ୍ଧର ବିଭିନ୍ନ  ଶୈବ ପୀଠରେ କାଉଡିଆ ଏବଂ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ ସହ ଜଳଲାଗି କରୁଛନ୍ତି । 

କଟକ ବାବା ଧବଳେଶ୍ବର ପୀଠରେ ଭିଡ଼

ବାବା ଧବଳେଶ୍ବର ପୀଠକୁ ଜଳାଭିଷେକ କରିବା ପାଇଁ ରାଜ୍ୟ କୋଣ ଅନୁକୋଣରୁ ଆସିଛନ୍ତି କାଉଡ଼ିଆ । ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ସହ କାଉଡ଼ିଆ ମାନେ ଜଳଲାଗି କରିଛନ୍ତି । ବଡ଼ସିଂହାର ବେଶରେ ବାବା ଧବଳେଶ୍ବର ଆଜି ଦର୍ଶନ ଦେଉଥିବା ବେଳେ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିଶ ଫୋର୍ସ ମୃତୟନ କରାଯାଇଛି ।

ଚଳଚଞ୍ଚଳ ରାଉରକେଲାର ବିଭିନ୍ନ ଶୈବ ପୀଠ

ଶ୍ରାବଣ ମାସର ଚତୁର୍ଥ ସୋମବାର ରାଉରକେଲା ସହରର ବିଭିନ୍ନ ଶିବ ମନ୍ଦିରରେ କାଉଡିଆ ଏବଂ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ରାଉରକେଲା ବେଦବ୍ୟାସ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଆସି ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି କାଉଡିଆ । ମହାଦେବଙ୍କୁ ଜଳଲାଗି କରିବା ସହ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି । ମହାଦେବଙ୍କୁ ଜଳ ଅର୍ପଣ କରିବା, ତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଓ ପାପରୁ ମୁକ୍ତି ପାଇବା ପାଇଁ ସମସ୍ତ କୋଣ ଅନୁକୋଣରୁ ଲୋକେ ଏକାଠି ହୋଇ ଜଳାଭିଷେକ ସାମିଲ ହୁଅନ୍ତି ଏବଂ ଆମେ ମଧ୍ୟ ପ୍ରତ୍ୟକ ସୋମବାର ଆସି ଏଥରେ ଜଳଲାଗି କରିଛୁ ବୋଲି କହିଛନ୍ତି ଭକ୍ତ ଏବଂ କାଉଡିଆ । 
 

ବୌଦ୍ଧର ବିଭିନ୍ନ ଶୈବ ପୀଠରେ ଭିଡ଼

ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାର ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ମନ୍ଦିର ଗନ୍ଧରାଡ଼ି ର ହରିହର ମନ୍ଦିର ଓ ବୈଦ୍ଧର ରାମେଶ୍ବର ମନ୍ଦିର ସମେତ ଜିଲ୍ଲାର ଶିବ ମନ୍ଦିରରେ ପ୍ରବଳ ଜନ ସମାଗମ ହେବା ସହିତ ଆନନ୍ଦ ଉଲ୍ଲାସର ସହ ଜଳାଭିଷେକ କରିଛନ୍ତି । ବାଉଁଶୁଣୀ ପଞ୍ଚାୟତ ସଦର ମହାନଦୀ କୂଳରେ ରହିଛି ଦ୍ବାଦଶ ଶତାବ୍ଦୀରେ ରାଜା ଅନଙ୍ଗ ଭୀମଦେବଙ୍କ ଦ୍ବାରା ସ୍ଥାପିତ ଭୁବନେଶ୍ୱର ଶୈବପୀଠ । ଭୁବନେଶ୍ବର ଶିବ ମନ୍ଦିରଟି ଠିକ ମହାନଦୀ କୂଳରେ ଅବସ୍ଥିତ ଥିବା ବେଳେ ଦିନକୁ ଦିନ ଏହି ପ୍ରାଚୀନ ମନ୍ଦିରଟି ମହାନଦୀ ଗର୍ଭକୁ ଠେଲି ହୋଇ ଯାଉଛି । ମନ୍ଦିରଟି ମହାନଦୀର ଦକ୍ଷିଣକୁ ଢଳି ରହିଥିବାରୁ ଅନେକ ଏହି ମନ୍ଦିରକୁ ବାଉଁଶୁଣୀର ବକ୍ର ମନ୍ଦିର ବୋଲି ମଧ୍ୟ ଅଭିହିତ କରିଥାନ୍ତି । ତେବେ ଦିନକୁ ଦିନ ଏହି ପ୍ରାଚୀନ ଶୈବପୀଠ ର ଅସ୍ଥିତ୍ଵ ବିପଦ ସଙ୍କୁଳ ଅବସ୍ଥା ଆଡକୁ ଯାଉଥିବା ଯୋଗୁଁ ଏନେଇ ସ୍ଥାନୀୟ ସରପଞ୍ଚ, ଭକ୍ତ ଶ୍ରଦ୍ଧାଳୁ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାର ସୁରକ୍ଷାପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରାବଣ ୪ର୍ଥ ସୋମବାର; ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ଼, ଜଳଲାଗି କରି ବାବାଙ୍କ କଲେ ଦର୍ଶନ

କଟକ, ରାଉରକେଲା ଓ ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.