ମୋ ପରାଜୟ ପାଇଁ ମୁଁ ହିଁ ଦାୟୀ: ଭକ୍ତ ଦାସ - Bhakta Charan Das blames himself - BHAKTA CHARAN DAS BLAMES HIMSELF
🎬 Watch Now: Feature Video


Published : Jun 5, 2024, 9:49 PM IST
Bhakta Charan Das blames himself: ଭବାନୀପାଟଣା: ନିର୍ବାଚନ ଫଳାଫଳରେ ଦୀର୍ଘ ୨୪ ବର୍ଷର ସ୍ଥିର ବିଜେଡି ସରକାରକୁ ଲାଗିଛି ଶକ୍ତ ଝଟ୍କା । ସବୁ ଆକଳନକୁ ପଛରେ ପକାଇ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସେପଟେ ରାଜ୍ୟର ଦ୍ବିତୀୟ ବିରୋଧୀ ଦଳ ଭାବରେ ରହିବ କଂଗ୍ରେସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ଏହାସହ ନିଜର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଭକ୍ତ ।
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟ ହୋଇଥିବାବେଳେ କନିଷ୍ଠ ପ୍ରାର୍ଥୀଙ୍କ ଠାରୁ ପରାଜୟର ସାମ୍ନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥିନୀ ମନୋରମା ମହାନ୍ତି ଭକ୍ତ ଦାସଙ୍କ ଠାରୁ ୫ ହଜାର ୨୦୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ମନୋରମା ମହାନ୍ତି ୬୮ ହଜାର ୫୩୨ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୬୨ ହଜାର ୩୨୭ ଖଣ୍ଡ ଭୋଟ ପାଇ ପରାଜୟର ସାମ୍ନା କରିଛନ୍ତି । ଏନେଇ ଭକ୍ତ କହିଛନ୍ତି, "ପରାଜୟକୁ ମୁଁ ଭୟ କରେ ନାହିଁ, ବରଂ ମୋର ନିଜସ୍ଵ ଭୁଲ ପାଇଁ ମୁଁ ହାରିଲି । ମୁଁ ମୋର ନିର୍ବାଚନ ମଣ୍ଡଳୀରେ ସମୟ ଦେଇ ପାରିଲି ନାହିଁ, କାରଣ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ସାରା ରାଜ୍ୟର ଦାୟିତ୍ବ ତୁଲାଇବାକୁ ପଡ଼ିଲା ।"
ଅଞ୍ଚଳର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳକୁ ନଯିବା ହିଁ ହାରିବାର ମୁଖ୍ୟ କାରଣ ବୋଲି ପ୍ରକାଶ କରିଛନ୍ତି ଭକ୍ତ । ଅନ୍ୟପକ୍ଷରେ ବିଜପିର ସରକାର ଗଠନକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ । ସେ କହିଛନ୍ତି, "ବିଜେପି ନିର୍ବାଚନୀ ମାନିଫେଷ୍ଟୋକୁ ତୁରନ୍ତ ପୂରଣ କରିବାର ଆବଶ୍ୟକତା ରହିଛି । ଅଞ୍ଚଳରେ ଶିଳ୍ପର ବିକାଶ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ସହ ୪ ଦ୍ଵାର ଖୋଲିବା ଭଳି ଅନେକ ପ୍ରତିଶ୍ରୁତି ପ୍ରଥମେ ପୂରଣ କରନ୍ତୁ । ନଚେତ ବିରୋଧୀ ଦଳ ଭାବରେ ଆମେ ଏହି ସରକାରକୁ ବିରୋଧ କରିବୁ ।"
ଇଟିଭି ଭାରତ, କଳାହାଣ୍ଡି