ଆସୁଛି ବର୍ଷା ଦିନ, ମୁକାବିଲା ପାଇଁ ଅନୁଗୋଳ-ବଲାଙ୍ଗୀରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Flood preparation meeting - FLOOD PREPARATION MEETING
🎬 Watch Now: Feature Video


Published : Jun 14, 2024, 2:20 PM IST
ବଲାଙ୍ଗୀର/ ଅନୁଗୋଳ: ମୌସୁମୀ ବର୍ଷାକୁ ନେଇ ଏବେ ଠାରୁ ସତର୍କ ଜିଲ୍ଲା ପ୍ରଶାସନ । ମୌସୁମୀ ବର୍ଷା ପରେ ବନ୍ୟାର ସଠିକ୍ ମୁକାବିଲା ନିମନ୍ତେ ଅନୁଗୋଳ ଓ ବଲାଙ୍ଗୀରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ରାଜସ୍ୱ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ବିଦ୍ୟୁତ୍, ପୂର୍ତ୍ତ, ଅଗ୍ନିଶମ, ଆରକ୍ଷୀ ବାହିନୀ,ପଞ୍ଚାୟତ ଓ ଗ୍ରାମୀଣ ଜଳଯୋଗାଣ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ନଗରଊନ୍ନୟନ ବିଭାଗର ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ପ୍ରସ୍ତୁତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ନିର୍ବାଚିତ ପ୍ରତିନିଧୂମାନେ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ବୈଠକରେ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ ।
ବର୍ଷା ଦିନ ପୂର୍ବରୁ ଡ୍ରେନ୍ଗୁଡିକୁ ସଫା କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖୁବା, ଯନ୍ତ୍ର ଚାଳିତ ବୋଟ ଗୁଡିକ ସଜାଗ ରଖୁବା, କଣ୍ଟ୍ରୋଲ ରୁମ୍ ଗୁଡିକୁକାର୍ଯ୍ୟକ୍ଷମ କରିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ସଜାଗ ରହିବା, ସ୍ବାସ୍ଥ୍ୟ ଓ ପଶୁ ପାଳନ ବିଭାଗ ମାନକୁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକକୁ ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତର ଅଧ୍ୟକ୍ଷତା କରିଥିଲେ । ନବ ନିର୍ବାଚିତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡାବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ସାମିଲ ହୋଇଥିଲେ ।
ସେହିପରି ମୌସୁମୀ ବର୍ଷା ପାଇଁ ବଲାଙ୍ଗୀର ପୌରପରିଷଦ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏଥିର ସାମିଲ ହୋଇ ସମୀକ୍ଷା କରିଥିଲେ। ପୌରାଧ୍ୟକ୍ଷା ଲିକା ସାହୁ, ପୌର ଅଧିକାରୀ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ, ଆର ଡ଼ି ବିଭାଗ, କ୍ଷ୍ୟୁଦ୍ର ଜଳ ଶେଚନ ବିଭାଗ, ଜଳସେଚନ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଓ ଜାତୀୟ ରାଜପଥ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସହର ବନ୍ୟା ପ୍ରବଣ ଅଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ବିଧାୟକ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ସହର ମଧ୍ୟରେ ଥିବା ସବୁ ପୋଖରୀ, ନାଳ ଗୁଡିକର ବନ୍ୟା ଜଳ ନିୟନ୍ତ୍ରଣ ବ୍ୟବସ୍ଥା ସଠିକ କରିବାକୁ ନିର୍ଦେଶ ଦେଇଥିଲେ। ବର୍ଷା ପୂର୍ବରୁ ନାଳ ନାର୍ଦ୍ଧମା ସଫା କରିବା ସହ ସେଠି ଥିବା ଅବରୋଧ ହଟାଇବାକୁ କହିଥିଲେ।
ଇଟିଭି ଭାରତ, ବଲାଙ୍ଗୀର/ ଅନୁଗୋଳ