ନୟାଗଡ଼: ୧୯୮୮ ମସିହାରେ ନୟାଗଡ଼ରେ ପ୍ରତିଷ୍ଠା ହୋଇଥିଲା ଚିନି କଳ । ନୟାଗଡ଼ ଚିନି କଳର ବେଶ ପରିଚିତି ମଧ୍ୟ ଥିଲା । ଦୀର୍ଘ ବର୍ଷ ଧରି ଏହା ସୁରୁଖୁରୁରେ ଚାଲିଥିଲା । ହେଲେ ୨୦୧୪ରୁ ବନ୍ଦ ହୋଇଗଲା । ଏବେ ପୁଣି ଥରେ ନୟାଗଡ଼ ଚିନି କଳକୁ ନେଇ ସୃଷ୍ଟି ହୋଇଛି ସମ୍ଭାବନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶ୍ବାସନା ଦେବା ପରେ, ଉତ୍ସାହିତ ସ୍ଥାନୀୟ ଲୋକେ ଏବଂ ଆଖୁଚାଷୀ । ତେବେ କେଉଁଠି ତିଆରି ହେବ ଚିନି କଳ ? ପୁରୁଣା ଚିନି କଳର ପୁନରୁଦ୍ଧାର ନା ନୂଆ ସ୍ଥାନରେ ଗଢ଼ିବ ନୂଆ ଚିନି କଳ ? ତାକୁ ନେଇ କଳ୍ପନା ଜଳ୍ପନା ?
କେଉଁଠି ହେବ ନୂଆ ଚିନି କଳ ?
କେଉଁଠି ହେବ ନୟାଗଡ ଜିଲ୍ଲାର ନୂଆ ଚିନି କଳ ? ସ୍ଥାନ ଚିହ୍ନଟକୁ ନେଇ ବିବାଦ ଜୋର ଧରିଥିବା ବେଳେ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁରୁଣା ଚିନି କଳ ପାଣିପୋଇଲାଠାରେ ଚିନି କଳ ପ୍ରତିଷ୍ଠା ଦାବି କରାଯାଇଛି । ଅନ୍ୟପଟେ ଗମେଇ ଗାଁ ନିକଟରେ ଚିନି କଳ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା ପୁରୁଣା ଚିନି କଳ ବନ୍ଦ ହୋଇ ପଡ଼ି ରହିଥିବା ବେଳେ, ନୂଆ ଚିନି କଳ ପ୍ରତିଷ୍ଠାକୁ ସ୍ଥାନ ଚିହ୍ନଟ ଝାମେଲା ଲାଗି ରହିଥିବା ଅଭିଯୋଗ ହେଉଛି ।
ଚିନି କଳ ସ୍ଥାନ ଚିହ୍ନଟ ବିବାଦ ?
ନୟାଗଡ ଜିଲ୍ଲାରେ ନୂତନ ଚିନି କଳ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଖୁ ଚାଷୀ ଓ ଶ୍ରମିକମାନଙ୍କ ମନରେ ଆଶା ସଞ୍ଚାର ହୋଇଛି । ହେଲେ କଳ ପ୍ରତିଷ୍ଠା ପୂର୍ବରୁ ସ୍ଥାନ ଚିହ୍ନଟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଗମେଇ ଗାଁ ନିକଟରେ ନା ପୁରୁଣା ଚିନିକଳ ପାଣି ପୋଇଲା ଡ୍ୟାମ୍ ନିକଟରେ ନୂଆ ଚିନିକଳ ପ୍ରତିଷ୍ଠା ହେବ, ଏହାକୁ ନେଇ ବିବାଦ ଜୋର ଧରିଛି ।
ପୁରୁଣା ଚିନି କଳ ନିକଟରେ ପ୍ରତିଷ୍ଠା ଦାବି:
ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାଣିପୋଇଲା ନିକଟରେ ନୂଆ ଚିନିକଳ ପ୍ରତିଷ୍ଠା ଦାବି କରାଯାଇଛି । ଚାଷୀ, ଶ୍ରମିକ ଏବଂ ପୁରୁଣା ଚିନିକଳ କର୍ମଚାରୀଙ୍କୁ ନେଇ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇ ନିଷ୍ପତ୍ତି ନିଆଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ପୁରୁଣା ଚିନି କାରଖାନା ନିକଟରେ 110 ଏକରରୁ ଅଧିକ ଜମି ରହିଛି । ଆବଶ୍ୟକ ଭିତ୍ତିଭୂମି ଥିବା ସ୍ଥାନରେ ଚିନି କଳ ପ୍ରତିଷ୍ଠା ପାଇଁ ଦାବି ହୋଇଛି । ଏହାକୁ ସୁପାରିସ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଦାବି କରିଛି ମିଳିତ ଚିନିକଳ କ୍ରିୟାନୁଷ୍ଠାନ କମିଟି ।
ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁ କହିଛନ୍ତି, "କିଛି ମୃଷ୍ଟିମେୟ ବ୍ୟକ୍ତି ଚାହୁଁଛନ୍ତି ଚିନିକଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା । ଯେହେତୁ ଏଠାରେ ଚିନିକଳ ହେବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ଚାଷୀ ଓ ଶ୍ରମିକ ପୂର୍ବରୁ କ୍ଷତିଗ୍ରସ୍ତ ହୋଇଛନ୍ତି, ପାଣିର ବ୍ୟବସ୍ଥା ରହିଛି, ଆଖୁ ଚାଷ ମଧ୍ୟ ହେଉଛି । ଯଦି ଏଠାରେ ଚିନି କଳ ନହୁଏ ତେବେ ଆନ୍ଦୋଳନ ଜୋରଦାର କରାଯିବ ।"
ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଚକ୍ରଧର ଜେନା, "ପୁରୁଣା ଚିନିକଳ ନିକଟରେ ଏହି ନୂଆ ଚିନିକଳ ପ୍ରତିଷ୍ଠା କରିବାକୁ ଆମେ ଚିଠା ପ୍ରସ୍ତୁତ କରି ନକ୍ସା ଦେଇଛୁ । କ୍ରିୟାନୁଷ୍ଠାନ କମିଟି, ଚାଷୀ ଓ ଶ୍ରମିକମାନଙ୍କ ତରଫରୁ ଆମେ ଅନୁରୋଧ କରୁଛ, ଆମେ ଦେଇଥିବା ଜାଗାରେ ଚିନି କଳ ପ୍ରତିଷ୍ଠା ହେଉ ।"
ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରତିଷ୍ଠା ହେବ: ଜିଲ୍ଲାପାଳ
ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ କହିଛନ୍ତି,"ଏବେ ସୁଦ୍ଧା ଚିନି କଳ ପାଇଁ ସ୍ଥାନ ସ୍ଥିର ହୋଇନାହିଁ । ଗୋଟିଏ ସ୍ଥାନ ଚିହ୍ନଟ କରାଯାଇ ସରକାରଙ୍କୁ ତଥ୍ୟ ଦିଆଯାଇଛି । ସରକାରଙ୍କ ଯାହା ନିଷ୍ପତ୍ତି ନେବେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ।" ସେପଟେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ କହିଛନ୍ତି, " ଚିନି କଳ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର କାର୍ଯ୍ୟ କରାଯିବ ।"
ଏହାମଧ୍ୟ ପଢନ୍ତୁ... ଆସୁନି ଆଖୁ, କମୁଛି ଉତ୍ପାଦନ: କେବେ ସୁଧୁରିବ ଆସିକା ଚିନି କଳ ଭାଗ୍ୟ ? |
ଦଶନ୍ଧି ଧରି ବନ୍ଦ ରହିଛି ପୁରୁଣା ଚିନି କଳ:
ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବନ୍ଦ ହୋଇ ପଡିରହିଛି ନୟାଗଡର ପାଣିପୋଇଲାଠାରେ ପ୍ରତିଷ୍ଠା ହୋଇଥିବା ଚିନିକଳ । ଘରୋଇ କମ୍ପାନୀ ଅଧୀନରେ ଥିବା ଏହି କଳ ଅତ୍ୟଧିକ ଋଣ ବୋଝ ଓ ପରିଚାଳନାଗତ ତ୍ରୁଟି ପାଇଁ ଆଉ କାର୍ଯ୍ୟକ୍ଷମ ହୋଇପାରିନଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଚିନିକଳର ଯନ୍ତ୍ରାଂଶ ମାଟିରେ ମିଶିବାକୁ ବସିଲାଣି । ପୁରୁଣା ଚିନିକଳ ପୁନରୁଦ୍ଧାର ପାଇଁ ନୟାଗଡ଼ର କୃଷକ, ଶ୍ରମିକ ଏବଂ କର୍ମଚାରୀଙ୍କର ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି । ନୟାଗଡ଼ରେ ନୂଆ ଚିନି କଳ ପ୍ରତିଷ୍ଠା ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ସେପଟେ କୋଟି କୋଟି ଟଙ୍କା ଋଣଭାରରେ ବୁଡି ରହିଥିବା ପୁରୁଣା ଚିନିକଳର ଭାଗ୍ୟ କଣ ହେବ, ତାଙ୍କୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଇଟିଭି ଭାରତ, ନୟାଗଡ