ମା' ଲଙ୍କେଶ୍ୱରୀଙ୍କ ପୀଠରେ ଖଣ୍ଡାବସା ପର୍ବ - Khandabasa Jatra - KHANDABASA JATRA
🎬 Watch Now: Feature Video
Published : Sep 25, 2024, 5:24 PM IST
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମହାସମାରୋହରେ ପାଳିତ ହୋଇଛି । କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି । ମା’ଙ୍କ ଦର୍ଶନ ସିଧାସଳଖ ଭାବେ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଗତକାଲି (ମଙ୍ଗଳବାର) ସନ୍ଧ୍ୟା ୬ଟା ୧୫ରେ ମା’ ଲଙ୍କେଶ୍ଵରୀଙ୍କ ମନ୍ଦିରରୁ ସ୍ଥାନୀୟ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡାକୁ ଧରି ନିକଟ ଡାକବଙ୍ଗଳାରେ ତିଆରି ଅସ୍ଥାୟୀ ଝୁପୁଡି କୁଡିଆ ଘରକୁ ନେଇଥିଲେ । ସେହିପରି ବୁଢାରଜା ମନ୍ଦିରରୁ ଶଙ୍ଖୁଆରୀ ଆଉ ଏକ ଖଣ୍ଡା ଧରି ସେଠାକୁ ଆଣିଥିଲେ।
ଅସ୍ଥାୟୀ ଘରେ ମା’ ଲଙ୍କେଶ୍ଵରୀଙ୍କ ପାଟଖଣ୍ଡା ଓ ବୁଢା ରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣାକାର ବାଳକୃଷ୍ଣ ଆଚାରୀ ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ । ମାର୍ଜନା ପରେ ଲଙ୍କେଶ୍ଵରୀ ମନ୍ଦିର ପୂଜକ ମା’ଙ୍କ ଖଣ୍ଡାକୁ ଧରି ଲଙ୍କେଶ୍ଵରୀ ମନ୍ଦିରକୁ ଯାଇଥିଲେ । ସେହିପରି ଶଂଙ୍ଖୁଆରୀ ମା’ ଲଙ୍କେଶ୍ବରୀଙ୍କ ପାଟ ଖଣ୍ଡାକୁ ମାର୍ଜନ ପାଇଁ ମଧ୍ୟ ତାଙ୍କ ଖଣ୍ଡାକୁ ନେଇ ବୁଢାରଜା ମନ୍ଦିରକୁ ଯାଇଥିଲେ । ମା’ ଲଙ୍କେଶ୍ଵରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାତିରେ ମା’ଙ୍କ ପାଟଖଣ୍ଡାକୁ ଚାଉଳ ଉପରେ ବସାଯାଇଥିଲା । କିଛି ସମୟ ପରେ ଏକ ପଶୁ (ପାଟଗଡରା) ବଳି ଦିଆଯାଇଥିଲା । ମଧ୍ୟରାତ୍ରିରେ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶିମୁଳି ଗଛମୂଳରେ ମହାପଶୁ (ପୋଢ) ବଳି ଦିଆଯାଇଥିଲା । ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବ ସେ ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ୧ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ । ମା'ଙ୍କ ଖଣ୍ଡାବସା ପର୍ବରେ ଜିଲ୍ଲା ତଥା ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି