ଏବେବି ରାଜନୈତିକ ହିଂସା ଭୟ, କାଳିଆପାଣି ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ - 144 Imposed at Kaliapani Mines Area

By ETV Bharat Odisha Team

Published : Jul 1, 2024, 8:14 PM IST

thumbnail
144 IMPOSED AT KALIAPANI MINES AREA (ETV Bharat Odisha)

ଯାଜପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୬ଟାଠାରୁ ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ପ୍ରକାଶଯୋଗ୍ୟ, ନିର୍ବାଚନକୁ ଏହାଭିତରେ ଅନେକ ଦିନ ବିତିଯାଇଛି । ତେବେ ନିର୍ବାଚନ ପରେ ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ପ୍ରତିଦିନ ଦେଖାଦେଉଛି ରାଜନୈତିକ ହିଂସା । ଗତ କିଛିଦିନ ତଳେ ନିର୍ବାଚନରେ ହାରଜିତକୁ ନେଇ ଶ୍ରମିକ ନେତା ଭରତ ଚନ୍ଦ୍ର ମହାନ୍ତଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଭରତ ମହାନ୍ତି କାଳିଆପାଣି ଥାନାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଏତଲା ଦେଇଥିଲେ । ତେବେ ଏତଲା ଦେବାର ଅନେକ ଦିନ ବିତିଗଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆକ୍ରମଣ କରିଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ଦାବି କରି ଜୁଲାଇ ୧ ତାରିଖ ଦିନ ଖଣି ଅଞ୍ଚଳକୁ ବନ୍ଦ ଡାକରା ଦେଇଥିଲେ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୂର ସଙ୍ଘ ସମେତ ଅନେକ ଗଣସଂଗଠନ ।

ଏହି ସମୟରେ ଆଇନଶୃଙ୍ଖଳା ବ୍ୟାଘାତ ହେବାକୁ ଦୃଷ୍ଟିରେ ରଖି କାଳିଆପାଣି ପୋଲିସ ଓ ସୁକିନ୍ଦା ତହସିଲଦାର ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏହି ନିବେଦନକୁ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବରୀ ଅମାତ ଗ୍ରହଣ କରି ଆଜି ସକାଳ ୬ଟା ଠାରୁ ଅନିର୍ଦ୍ଦିଷ୍ଟକାଳ ୧୪୪ ଧାରା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ଏହି ଅଞ୍ଚଳରେ କୌଣସି ସ୍ଥାନରେ ୫ ଜଣ ବ୍ୟକ୍ତି ଏକାଠି ଛିଡ଼ା ହୋଇପାରିବେନି, କୌଣସି ଜରୁରୀ ପରିସ୍ଥିତି ନଥିଲେ ଏହି ବାଟ ଦେଇ ଯାଇପାରିବେ ନାହିଁ, କେବଳ ସରକାରୀ କର୍ମଚାରୀ ଓ ଖଣି ସଂସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଯାଇ ପାରିବେ ବୋଲି ଏହି ନୋଟିସରେ ଉଲ୍ଲେଖ ରହିଛି । ତେବେ ଏହି ଅଞ୍ଚଳରେ ପରିସ୍ଥିତି ଆୟତ୍ତକୁ ଆସିଲେ ଯେକୌଣସି ସମୟରେ ୧୪୪ ଧାରା ଉଠାଇ ଦିଆଯିବ ବୋଲି ଆଜି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବରୀ ଅମାତ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.