ପାରାଦ୍ୱୀପରୁ ବିପୁଳ ନକଲି ସ୍ପେୟାର ପାର୍ଟ୍ସ ଜବତ - DUPLICATE PARTS SEIZED
ପାରାଦ୍ୱୀପର ପୋଲିସର ରେଡ୍ । ନକଲି ସ୍ପେୟାର ପାର୍ଟ୍ସ ଜବତ । ନକଲି କାର୍ଟର ଫିଲଟରରେ କମ୍ପାନୀ ଲୋଗୋ ଲଗାଇ ବିକ୍ରି ଅଭିଯୋଗ ।
Published : Jan 14, 2025, 9:41 PM IST
ଜଗତସିଂହପୁର: ବନ୍ଦର ନଗରୀ ପାରାଦ୍ୱୀପରେ ମାଳ ମାଳ ଚାଇନା ପାର୍ଟ୍ସ । ଖବର ପାଇବା ପରେ ସମ୍ପୃକ୍ତ କମ୍ପାନୀରେ ଚଢାଉ କରିଛି ପୋଲିସ୍ । ପାରାଦ୍ୱୀପ ପୋଲିସ ପକ୍ଷରୁ ସହରର ଦୋଛକି ନିକଟରେ ଥିବା ଏକ ସୋ ରୁମରେ ଚଢାଉ କରି ନକଲି ଚାଇନା ସ୍ପେୟାର ପାର୍ଟ୍ସଗୁଡିକୁ ଜବତ କରାଯାଇଛି ।
- ପାରାଦ୍ବୀପ ପୋଲିସର ଚଢାଉ:
ରବିବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିବାବେଳେ ଆଜି ମଧ୍ୟ ରେଡ୍ ହୋଇଛି । ପାରାଦ୍ୱୀପ ଲକ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ କହିବା ମୁତାବକ,"ପାରାଦ୍ୱୀପରେ CAT କମ୍ପାନୀର ଫିଲଟର ଦୀର୍ଘ 6 ମାସ ହେବ ଗୋଟିଏ ବି ପିସ ବିକ୍ରି ହୋଇନଥିଲା । ଏହା କ'ଣ ପାଇଁ ବିକ୍ରି ହେଉନାହିଁ ସେନେଇ କମ୍ପାନୀର ମାର୍କେଟିଂ ଏଜେନ୍ସି ଓ ସାମଗ୍ରୀ ବିତରଣ କରୁଥିବା ସଂସ୍ଥା ଖୋଳତାଡ଼ କରିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ, ପାରାଦ୍ୱୀପର ଜେକେ ଇଂଜିନିୟରିଂ ଚାଇନାରୁ ନକଲି କାର୍ଟର ଫିଲଟର ଆଣି ତା ଉପରେ CAT ଲୋଗୋ ଲଗାଇ ବିକ୍ରି କରୁଛନ୍ତି । ପରେ ପାରାଦ୍ୱୀପ ଲକ ଥାନାରେ ଏହାକୁ ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ଲକ ଥାନା ପୋଲିସ ସେଠାରେ ଚଢ଼ାଉ କରିଛି । ସେହି ସ୍ଥାନରୁ ବିପୁଳ ପରିମାଣର ଚାଇନା କାର୍ଟର ଫିଲଟର ଜବତ କରାଯାଇଛି ।"
ଏହା ବି ପଢନ୍ତୁ... |
- କମ୍ପାନୀର ଲୋଗୋ ନକଲ କରାଯିବା ଅଭିଯୋଗ:
ପୂର୍ବରୁ ଦିଲ୍ଲୀ ଓ କୋଲକାତାରେ ଏହି କମ୍ପାନୀର ନକଲ କରି ବଜାରକୁ ଛଡା ଯାଇଥିବାକୁ ନେଇ ମଧ୍ୟ କମ୍ପାନୀ ଅଭିଯୋଗ କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ନକଲି ସାମଗ୍ରୀ ବୋଲି ଜାଣିବାକୁ ପାଇଛି । ସେଗୁଡିକ ଚୀନରୁ ଆସି ପାରାଦ୍ୱୀପରେ ପହଞ୍ଚିବା ପରେ ସେଗୁଡିକୁ ଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି କରାଯାଉଥିଲା । ସୂଚନାଯୋଗ୍ୟ ଯେ, ଟ୍ରାକ୍ଟରରେ ଲାଗୁଥିବା କାର୍ଟର ଫିଲଟରର ଦାମ ଭାରତୀୟ ବଜାର ପାଖାପାଖି 8-10 ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କିନ୍ତୁ ଚୀନରୁ ଆସୁଥିବା କାର୍ଟର ଫିଲଟରର ଦାମ ମାତ୍ର 7ଶହରୁ ଏକ ହଜାର ଟଙ୍କା ରହିଛି । ଏହାକୁ ନେଇ ଜେକେ ଇଂଜିନିୟରିଂର ମାଲିକ ମନୋରଞ୍ଜନ ଦ୍ବିବେଦୀଙ୍କ କହିଛନ୍ତି, "ପୂର୍ବରୁ ଆମେ ଆଣିନାହୁିଁ । ଗତ 6 ମାସ ତଳେ ଭୁଲବଶତଃ ଚୀନରୁ ଆସିଥିଲା।"
ଇଟିଭି ଭାରତ, ଜଗତସିଂହପୁର